ଏପ୍ରିଲ ୧୫ ଯାଏ ସବୁ ଖେଳ ବନ୍ଦ, ଅଲିମ୍ପିକ୍ସ ଆଥଲେଟଙ୍କୁ ସର୍ତ୍ତମୂଳକ ମଞ୍ଜୁରି

ଅଭ୍ୟାସ ସ୍ଥଳକୁ ଅନ୍ୟ କେହି ଯାଇ ପାରିବେ ନାହିଁ, ବାହାରର କୌଣସି ପ୍ରଶିକ୍ଷକ ଓ ଅଧିକାରୀ ଖେଳାଳିଙ୍କୁ ଭେଟି ପାରିବେ ନାହିଁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ରୋକିବା ଲାଗି ସଙ୍ଗରୋଧ (କ୍ବାରାଣ୍ଟିନ୍) ବ୍ୟବସ୍ଥାକୁ ଅନୁସରଣ କରିବା ସହ କେନ୍ଦ୍ର ସରକାର ଗୁରୁବାର ଏଥିଲାଗି ବିସିସିଆଇ, ଭାରତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ଏବଂ ଅନ୍ୟାନ୍ୟ ଜାତୀୟ କ୍ରୀଡ଼ା ମହାସଂଘକୁ ସାନି ନିର୍ଦେଶନାମା ଜାରି କରିଛନ୍ତି। ଭାରତୀୟ କ୍ରୀଡ଼ାବିତଙ୍କୁ ସମ୍ଭାବ୍ୟ କରୋନା ସଂକ୍ରମଣ ଆଶଙ୍କାରୁ ‌ଦୂରେଇ ରଖିବା ଲାଗି ଏହି ନୂଆ ନିର୍ଦେଶନାମା ଜାରି କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଉପ ସଚିବ ଏସ୍‌ପିଏସ୍ ତୋମାର ଆଇଓସି ସଭାପତି, ମହାସଚିବ ଏବଂ ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘ ଓ ବିସିସିଆଇକୁ ପଠାଇଥିବା ପତ୍ରରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପ୍ରତିଯୋଗିତା ଓ ଚୟନ ଶିବିର ଆଦି ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଜାତୀୟ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ କରି ଦିଆଯାଇଛି। ଅଲିମ୍ପିକ୍ସ ପାଇଁ ଅଭ୍ୟାସ କରୁଥିବା ଖେଳାଳିମାନେ ଯେମିତି ବାହାର ଲୋକଙ୍କ ସଂସ୍ପର୍ଶରେ ନଆସନ୍ତି, ସେଥିଲାଗି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ତୋମାର ପଠାଇଥିବା ପତ୍ରରେ ବି ପରାମର୍ଶ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରରେ ନଥିବା କୌଣସି ଖେଳାଳିଙ୍କୁ ସେଠାରେ ଅଭ୍ୟାସ କରୁଥିବା ଖେଳାଳିଙ୍କ ସହ ମିଶିବାକୁ ନଦେବାକୁ ମଧ୍ୟ ସେ ତାଗିଦ କରିଛନ୍ତି। ବାହାରେ ଥିବା ଖେଳାଳିମାନେ ସଙ୍ଗରୋଧ ନିୟମ ପାଳନ କରିବା ପରେ ଯାଇ, ସେମାନଙ୍କୁ ଶିବିର ଭିତରକୁ ପ୍ରବେଶ ଅନୁମତି ଦେବାକୁ ସେ କହିଛନ୍ତି। ସରକାରଙ୍କ ପରାମର୍ଶ ପରେ ଜାତୀୟ ବନ୍ଧୁକ ଚାଳନା ସଂଘ ଦିଲ୍ଲୀରେ ହେବାକୁ ଥିବା ଅଲିମ୍ପିକ୍ସ ଚୟନ ଶିବିରକୁ ସ୍ଥଗିତ କରି ଦିଆଯାଇଛି।

ସମ୍ବନ୍ଧିତ ଖବର