ଫାଇନାଲ୍‌ରେ ହାଲେପ୍‌-ଷ୍ଟିଫେନ୍‌ସ ମୁହାଁମୁହିଁ

ପ୍ୟାରିସ୍‌: ଚଳିତ ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକ ଟ୍ରଫି ପାଇଁ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌ ଏବଂ ଦଶମ ମାନ୍ୟତା ସ୍ଲୋଆନେ ଷ୍ଟିଫେନ୍‌ସଙ୍କ ମଧ୍ୟରେ ଲଢ଼େଇ ହେବ। ଶନିବାର ମହିଳା ଏକକ ଫାଇନାଲ୍‌ ଖେଳାଯିବ। ଗୁରୁବାର ସେମିଫାଇନାଲ୍‌ରେ ରୋମାନୀୟ ସୁନ୍ଦରୀ ହାଲେପ୍‌ ସିଧାସଳଖ ୬-୧, ୬-୪ ସେଟ୍‌ରେ ତୃତୀୟ ମାନ୍ୟତା ସ୍ପେନ୍‌ର ଗାର୍ବିନେ ମୁଗୁରୁଜାଙ୍କୁ ପରାସ୍ତ କରିଥିଲେ। ଅନ୍ୟ ସେମିଫାଇନାଲ୍‌ରେ ଦୁଇ ଆମେରିକୀୟ ଲଳନା ଷ୍ଟିଫେନ୍‌ସ ଏବଂ ମାଡିସନ୍‌ କିସ୍‌ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ ଷ୍ଟିଫେନ୍‌ସ ସିଧାସଳଖ ୬-୪, ୬-୪ ସେଟ୍‌ରେ ତ୍ରୟଦଶ ମାନ୍ୟତା କିସ୍‌ଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।

ନାଦାଲ-ଡେଲ୍‌ ପୋଟ୍ରୋ ସେମିଫାଇନାଲ୍‌
ଶୀର୍ଷ ମାନ୍ୟତା ରାଫେଲ ନାଦାଲ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ଏକକ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଗୁରୁବାର କ୍ୱାର୍ଟର ଫାଇନାଲ୍‌ରେ ସ୍ପେନ୍‌ ତାରକା ନାଦାଲ ୪-୬, ୬-୩, ୬-୨ ଓ ୬-୨ ସେଟ୍‌ରେ ଡିଏଗୋ ସ୍କାର୍ଚମ୍ୟାନ୍‌ଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ୩୨ ବର୍ଷ ବୟସ୍କ ନାଦାଲ ଏକାଦଶ ଥର ପାଇଁ ରୋଲାଁ ଗ୍ୟାରସ୍‌ରେ ସେମିଫାଇନାଲ୍‌ ପ୍ରବେଶ କଲେ। କୌଣସି ଗ୍ରାଣ୍ଡ୍‌ସ୍ଲାମ୍‌ ଇତିହାସରେ ଏତେଥର ସେମିଫାଇନାଲ୍‌ ପ୍ରବେଶ କରିବାରେ ସେ ମଧ୍ୟ ତୃତୀୟ ଖେଳାଳି ହେଲେ। ଏହା ପୂର୍ବରୁ ଏଭଳି ସଫଳତା କେବଳ ଜିମ୍ମି କନର୍ସ (ୟୁଏସ୍‌ ଓପନ୍‌) ଏବଂ ରୋଜର ଫେଡେରର୍‌ (ଓ୍ଵିମ୍ବିଲଡନ୍‌ ଓ ଅଷ୍ଟ୍ରେଲିଆନ୍‌ ଓପନ୍‌)ଙ୍କ ନାମରେ ରହିଥିଲା। ବର୍ଷା ବାଧାପ୍ରାପ୍ତ କ୍ୱାର୍ଟର ଫାଇନାଲ୍‌ ଏକ କଷ୍ଟସାଧ୍ୟ ମୁକାବିଲା ଥିଲା। ଡିଏଗୋ ମୋର ଜଣେ ଉତ୍ତମ ବନ୍ଧୁ ଏବଂ ଚମତ୍କାର ଖେଳାଳି ମଧ୍ୟ। ତାଙ୍କୁ ହରାଇବା ଆତ୍ମସନ୍ତୋଷ ଦେଇଛି ବୋଲି ୧୬ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ନାଦାଲ କହିଛନ୍ତି। ଏବେ କେବଳ ରୋଲାଁ ଗ୍ୟାରସ୍‌ରେ ୧୧ ଥର ପାଇଁ ଟ୍ରଫି ଜିତିବାର ଲକ୍ଷ୍ୟ ରହିଲା। ସେମିଫାଇନାଲ୍‌ରେ ନାଦାଲଙ୍କ ମୁକାବିଲା ଆର୍ଜେଣ୍ଟିନା ତାରକା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋଙ୍କ ସହ ହେବ। ବୁଧବାରର ବର୍ଷା ବାଧାପ୍ରାପ୍ତ ଅନ୍ୟ କ୍ୱାର୍ଟର ଫାଇନାଲ୍‌ରେ ପଞ୍ଚମ ମାନ୍ୟତା ଡେଲ୍‌ ପୋଟ୍ରୋ ୭-୬, ୫-୭, ୬-୩ ଓ ୭-୫ ସେଟ୍‌ରେ ତୃତୀୟ ମାନ୍ୟତା କ୍ରୋଏସିଆ ତାରକା ମାରିନ୍‌ ସିଲିକ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି।

ସମ୍ବନ୍ଧିତ ଖବର