ଜାତିଆଣ ମନ୍ତବ୍ୟ ପାଇଁ ଯୁବିଙ୍କ ନାମରେ ଏତାଲା

ହିସାର : ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲଙ୍କ ନାମରେ ଜାତିଆଣ ଅକ୍ଷେପ କରିଥିବାରୁ ପୂର୍ବତନ ଅଲରାଉଣ୍ଡର୍‌ ଯୁବରାଜ ସିଂହଙ୍କ ନାମରେ ହରିଆଣା ପୁଲିସ ସୋମବାର ଏତାଲା ଦାଏର କରିଛି। ଗତବର୍ଷ ଉପଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ ଆଲୋଚନା ବେଳେ ଯୁବରାଜ ଏଭଳି ଟିପ୍ପଣୀ ଦେଇଥିଲେ। ଫଳରେ ହାନସୀ ପୁଲିସ ଥାନାରେ ଯୁବରାଜଙ୍କ ନାମରେ ଆଇନଜୀବୀ ରଜତ କାଲସାନ୍‌ ୧୫୩, ୧୫୩-ଏ ଦଫାରେ ଏତାଲା ଦେଇଥିଲେ।

କାଲସାନ ଅଭିଯୋଗ କରିଥିଲେ ଯୁବରାଜଙ୍କ ମନ୍ତବ୍ୟ ଦଳିତବର୍ଗ ଲୋକମାନଙ୍କ ଭାବାବେଗକୁ କଷ୍ଟ ପହଞ୍ଚାଇଛି। ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ବହୁ ଲୋକ ଦେଖିଥିବା ସେ ଦାବି କରିଥିଲେ। କାଲସାନ୍ ମଧ୍ୟ ହରିଆଣା ଗୃହମନ୍ତ୍ରୀ ଅନିଲ ଭିଜଙ୍କୁ ନିକଟରେ ଅଭିଯୋଗ କରିବାରୁ ସେ ରାଜ୍ୟର ପୁଲିସ୍‌ ଡିଜିକୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିଲେ। ଯୁବରାଜ କିନ୍ତୁ ଏଥି ପାଇଁ ଅନୁତପ୍ତ ହୋଇଛନ୍ତି। ‘ବଂଧୁମାନଙ୍କ ସହ ଆଲୋଚନା ବେଳେ ମୋତେ ଭୁଲ ବୁଝିଛନ୍ତି। ମୁଁ ଉଦ୍ଦେଶ୍ୟମୂଳକ ଭାବେ କିଛି କହିନାହିଁ, ଏହା କାହାରି ଭାବନା କି ଭାବାବେଗକୁ କଷ୍ଟ ଦେଇଥିଲେ ସେଥିପାଇଁ ଅନୁତପ୍ତ’ ବୋଲି ଯୁବରାଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର