ଭାରତରେ ପହଞ୍ଚିଲା ପ୍ରଥମ ଦଫା ଇଂଲଣ୍ଡ ଦଳ, ଷ୍ଟୋକ୍ସ, ଆର୍ଚର ଓ ବର୍ଣ୍ଣସ ସହ ୧୫ ଜଣ ଆସିଲେ

ଚେନ୍ନାଇ : ଆସନ୍ତା ମାସ ୫ ତାରିଖରୁ ଭାରତ ବିପକ୍ଷରେ ଇଂଲଣ୍ଡ ଦଳ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ। ଏଥିପାଇଁ ରବିବାର ପ୍ରଥମ ଦଫାରେ ଭ୍ରମଣକାରୀ ଦଳର ୧୫ ଜଣ ସଦସ୍ୟ ଚେନ୍ନାଇରେ ପହଞ୍ଚିଛନ୍ତି। ଏହି ଦଫାରେ ପ୍ରମୁଖ ଖେଳାଳି ଭାବେ ଅଲ୍‌ରାଉଣ୍ଡର ବେନ୍‌ ‌ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ବ୍ୟାଟ୍ସମ୍ୟାନ୍‌ ରୋରି ବର୍ଣ୍ଣସ୍‌ ଓ ଜୋନାଥନ ଟ୍ରଟ୍‌ ରହିଛନ୍ତି। ଚେନ୍ନାଇର ଚେ‌ପକ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଦୁଇ ଟେଷ୍ଟ୍‌ ଲାଗି ଏହି ଦଳ ସହ କିଛି ରିଜର୍ଭ ଖେଳାଳି ମଧ୍ୟ ଭାରତରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଥିବା ଖେଳାଳିମା‌ନେ ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ ଦଳରେ ନଥିଲେ। ତେଣୁ ଅବଶି‌ଷ୍ଟ ଖେଳାଳି ସଂପ୍ରତି ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଖେଳିସାରି ସିଧାସଳଖ ସେଠାରୁ ଚେନ୍ନାଇରେ ପହଞ୍ଚିବେ। ୨୬ ତାରିଖରେ ଗଲ୍‌ରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ଶେଷ ହେବାକୁ ଥିଲା ବେଳେ ୨୭ ତାରିଖରେ ଇଂଲଣ୍ଡର ଅବଶିଷ୍ଟ ଖେଳାଳି ଚେନ୍ନାଇରେ ପହଞ୍ଚିବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରେ ମଧ୍ୟ ଘରୋଇ ଭାରତୀୟ ଖେଳାଳିମାନେ ଚେନ୍ନାଇରେ ଏକତ୍ରିତ ହେବେ।

ସମ୍ବନ୍ଧିତ ଖବର