ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ହକି ଦଳ

ବୀରେନ୍ଦ୍ର ଏକମାତ୍ର ଓଡ଼ିଆ, ରୂପୀନ୍ଦର ଫେରିଲେ

ନୂଆଦିଲ୍ଲୀ,: ଆସନ୍ତା ମେ’ ୧୦ରୁ ୧୭ ତାରିଖ ମଧ୍ୟରେ ଅଷ୍ଟ୍ରେଲିଆ ସହ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ଙ୍କ ତତ୍ତ୍ବାବଧାନରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମନ୍‌ପ୍ରୀତ୍‌ ସିଂହ ଅଧିନାୟକ ମନୋନୀତ ହୋଇଥିଲା ବେଳେ ସୁରେନ୍ଦ୍ର କୁମାରଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ଦଳକୁ ଅଭିଜ୍ଞ ଡିଫେଣ୍ଡର ରୂପୀନ୍ଦର ପାଲ୍‌ ସିଂହ ପ୍ରତ୍ୟାବର୍ତନ କରିଛନ୍ତି। ମିଡ୍‌ଫିଲ୍‌ଡର ଯଶକରଣ ସିଂହଙ୍କୁ ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ମିଳିଛି। ମେ’ ୧୦ ତାରିଖରେ ପର୍ଥରେ ପ୍ରଥମ ମ୍ୟାଚ୍‌ ଖେଳି ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଏହା ପରେ ୧୩, ୧୫ ଓ ୧୭ ତାରିଖରେ ପରବର୍ତୀ ତିନିଟି ମ୍ୟାଚ୍‌ ଖେଳି ଗସ୍ତ ଶେଷ କରିବ। ଏହି ଗସ୍ତ ବିଶେଷକରି ଆଗାମୀ ଜୁନ୍‌ ୬ ତାରିଖରୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ ପୂର୍ବରୁ ଗୁରୁତ୍ବ ବହନ କରିବ। ଅଷ୍ଟ୍ରେଲିଆ ଗସ୍ତରେ ଯୁବ ଖେଳାଳିଙ୍କ ପ୍ରତିଭା ପରଖିବା ସାଙ୍ଗକୁ ଅଭିଜ୍ଞ ଖେଳାଳିଙ୍କ ପରୀକ୍ଷା ନିଆଯିବ ବୋଲି ମୁଖ୍ୟ ପ୍ରଶିକ୍ଷକ ରିଡ୍‌ କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତର ପ୍ରଦର୍ଶନକୁ ଭିତ୍ତି କରି ହକି ସିରିଜ୍‌ ଫାଇନାଲ୍ସ ପାଇଁ ଦଳ ଚୟନ କରାଯିବ।
ଭାରତୀୟ ଦଳ: କୃଷ୍ଣ ବାହାଦୁର ପାଠକ, ପିଆର୍‌ ଶ୍ରୀଜେସ୍‌ (ଗୋଲ୍‌ରକ୍ଷକ), ରୂପୀନ୍ଦର ପାଲ୍‌ ସିଂହ, ସୁରେନ୍ଦ୍ର କୁମାର (ଉପଅଧିନାୟକ), ହର୍‌ମନ୍‌ପ୍ରୀତ୍‌ ସିଂହ, ବୀରେନ୍ଦ୍ର ଲାକ୍ରା, ଗୁରିନ୍ଦର ସିଂହ, କୋଠାଲଜିତ୍‌ ସିଂହ (ଡିଫେଣ୍ଡର), ହାର୍ଦିକ୍‌ ସିଂହ, ମନ୍‌ପ୍ରୀତ୍‌ ସିଂହ (ଅଧିନାୟକ), ଯଶକରଣ ସିଂହ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା (ମିଡ୍‌ଫିଲ୍‌ଡର), ମନ୍‌ଦୀପ୍‌ ସିଂହ, ଗୁରସାହିବଜିତ୍‌ ସିଂହ, ଆକାଶଦୀପ୍‌ ସିଂହ, ସୁମିତ କୁମାର ଜୁନିଅର୍‌, ଅର୍ମନ୍‌ କ୍ୟୁରେସୀ (ଫରୱାର୍ଡ)।

ସମ୍ବନ୍ଧିତ ଖବର