ମାଦ୍ରିଦ୍‌, ବେଟିଂ ସଂପର୍କିତ ଦୁର୍ନୀତି ଅପରାଧ ପାଇଁ ସ୍ପେନ୍‌ ଟେନିସ୍‌ ଖେଳାଳି ସାମୁଏଲ୍‌ ରିବେଇରୋ ନାଭାରେତେ ୮ ମାସ ବାସନ୍ଦ ଦଣ୍ଡ ପାଇଛନ୍ତି। ଟେନିସ୍‌ ଇଣ୍ଟିଗ୍ରିଟି ୟୁନିଟ୍‌ (ଟିଆଇୟୁ) ମଙ୍ଗଳବାର ରିବେଇରୋଙ୍କୁ ବାସନ୍ଦ ଦଣ୍ଡ ଦେବା ସାଙ୍ଗକୁ ୧୦୦୦ ଡଲାର ଜରିମାନା ମଧ୍ୟ କରିଛି। ରିବେଇରୋ ୨୦୧୩ ଜାନୁଆରିରୁ ମାର୍ଚ ମାସ ମଧ୍ୟରେ ବିଭିନ୍ନ ମ୍ୟାଚ୍‌ ବେଳେ ୨୮ ଥର ବେଟିଂ କରିଥିଲେ ବୋଲି ତଦନ୍ତରୁ ଧରାପଡ଼ିଥିଲା। ଅବଶ୍ୟ ସେଥରୁ କୌଣସିଟି ସେ ଖେଳୁଥିବା ମ୍ୟାଚ୍‌ ସହ ସଂପୃକ୍ତ ନଥିଲା ବୋଲି ଟିଆଇୟୁ ସ୍ପଷ୍ଟ କରିଛି। ତଥାପି ୮ ମାସ ବାସନ୍ଦ ମଧ୍ୟରୁ ୪ ମାସ ନିଲମ୍ବିତ କରାଯାଇପାରିବ ବୋଲି ସର୍ତ ରହିଛି। ଯଦି ସେ ଟେନିସ୍‌ କ୍ଷେତ୍ରରେ ଆଉ କୌଣସି ଦୁର୍ନୀତି ସଂପର୍କିତ ଅପରାଧ ନକରନ୍ତି, ତେବେ ୪ ମାସ ଦଣ୍ଡ କୋହଳ କରାଯାଇପାରିବ ବୋଲି ଟିଆଇୟୁ ପକ୍ଷରୁ ବିବୃତି ରଖାଯାଇଛି। ୨୪ ବର୍ଷ ବୟସ୍କ ରିବେଇରୋ ଜୁଲାଇ ୨୦୧୬ରେ ଜୀବନର ଶ୍ରେଷ୍ଠ ଏକକ ମାନ୍ୟତା ୭୨୩ ପାଇଥିଲେ।