କ୍ବାର୍ଟର ଫାଇନାଲ୍‌ରେ ଫ୍ରାନ୍‌ସ, ଇଂଲଣ୍ଡ

ଭାଲେନ୍‌ସିନେସ୍‌ (ଫ୍ରାନ୍‌ସ): ଆୟୋଜକ ଫ୍ରାନ୍‌ସ ଓ ଇଂଲଣ୍ଡ୍‌ ଚଳିତ ଫିଫା ମହିଳା ବିଶ୍ବକପ୍‌ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ରବିବାର ଖେଳାଯାଇଥିବା ଦୁଇଟି ପ୍ରିକ୍ବାର୍ଟର ଫାଇନାଲ୍‌ରେ ଫ୍ରାନ୍‌ସ ୨-୧ ଗୋଲ୍‌ରେ ବ୍ରାଜିଲ୍‌କୁ ଏବଂ ଇଂଲଣ୍ଡ ୩-୦ ଗୋଲ୍‌ରେ କାମେରୁନ୍‌କୁ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଫ୍ରାନ୍‌ସ ଓ ବ୍ରାଜିଲ୍‌ ମ୍ୟାଚ୍‌ ଉତ୍କଣ୍ଠାପୂର୍ଣ ରହିଥିଲା। ପ୍ରଥମାର୍ଧ ଗୋଲ୍‌ ଶୁନ୍ୟ ରହିବା ପରେ ୫୨ ମିନିଟ୍‌ରେ ଭାଲେରି ଗଭିନ୍‌ ପ୍ରଥମ ଗୋଲ୍‌ କରି ଫ୍ରାନ୍‌ସକୁ ଆଗେଇ ନେଇଥିଲେ। ହେଲେ ଥାଇସା ୬୩ ମିନିଟ୍‌ରେ ଗୋଲ୍‌ ଦେଇ ବ୍ରାଜିଲ୍‌ ପାଇଁ ସ୍ଥିତି ସମାନ କରିଦେଇଥିଲେ। ଫଳରେ ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। କିନ୍ତୁ ଅତିରିକ୍ତ ସମୟରେ ହିଁ ଫ୍ରାନ୍‌ସ ବାଜି ମାରି ନେଇଥିଲା। ଆମାନ୍ଦିନେ ହେନ୍‌ରି ୧୦୭ ମିନିଟ୍‌ରେ ବିଜୟ ସୂଚକ ଗୋଲ୍‌ କରି ଫ୍ରାନ୍‌ସକୁ କ୍ବାର୍ଟର ଫାଇନାଲ୍‌ ପହଞ୍ଚାଇଥିଲେ।

ଅନ୍ୟପକ୍ଷରେ ଇଂଲଣ୍ଡ ଓ କାମେରୁନ୍‌ ମ୍ୟାଚ୍‌ ଏକପାଖିଆ ରହିଥିଲା। ଷ୍ଟିଫ୍‌ ହଟନ୍‌ ୧୪ ମିନିଟ୍‌ରେ ପ୍ରଥମ ଗୋଲ୍‌ କରି ଇଂଲଣ୍ଡକୁ ଅଗ୍ରଣୀ ଦେଇଥିଲେ। ଏହାପରେ ଇଲେନ୍‌ ହ୍ବାଇଟ୍‌ (୪୫+୪ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଥିଲା ବେଳେ ୫୮ ମିନିଟ୍‌ରେ ଆଲେକ୍ସ ଗ୍ରିନ୍‌ଉଡ୍‌ଙ୍କ ଗୋଲ୍‌ ଇଂଲଣ୍ଡକୁ ସହଜ ବିଜୟ ଭେଟି ଦେଇଥିଲା। ତେବେ ଏହି ମ୍ୟାଚ୍‌ରେ ‘ଭାର୍‌’ ରିଭ୍ୟୁ କାମେରୁନ୍‌ଙ୍କୁ ନିରାଶ କରିଥିଲା। ଏହି ଦଳର ଦୁଇଟି ରିଭ୍ୟୁ ନାକଚ ହୋଇଯିବାରୁ ସହଜରେ ଇଂଲଣ୍ଡ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର