ଫ୍ୟୁଚର୍‌ ହୋପ୍‌ ଅନ୍ତର୍ଜାତୀୟ ରଗ୍‌ବି ସେଭେନ୍‌ସ:ଗୁଗଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‍ର ୧୫ ଜଣିଆ ଦଳ

ଭୁବନେଶ୍ୱର: କୋଲ୍‌କାତାର ହାଓ୍ଵଡାରେ ମାର୍ଚ ୨ ତାରିଖରେ ଖେଳାଯିବାକୁ ଥିବା ଫ୍ୟୁଚର୍‌ ହୋପ୍‌ ଅନ୍ତର୍ଜାତୀୟ ରଗ୍‌ବି ସେଭେନସ ପ୍ରତିଯୋଗିତାର ୧୩ ବର୍ଷରୁ କମ୍‌ ବିଦ୍ୟାଳୟ ବର୍ଗରେ ଓଡ଼ିଶାର ଗୁଗଲ୍‌ ସ୍ପୋର୍ଟସ ଟ୍ରଷ୍ଟ ଭାଗନେବ। ଏଥି ଲାଗି ଗୁଗଲ୍‌ ସ୍ପୋର୍ଟସ ଟ୍ରଷ୍ଟ ପକ୍ଷରୁ ଏକ ୧୫ ଜଣିଆ ଦଳ ମଙ୍ଗଳବାର ଘୋଷିତ ହୋଇଛି। ଏହି ଦଳରେ ମାଲକାନାଗିରିରୁ ୩, ବଲାଙ୍ଗୀର ଓ ନବରଙ୍ଗପୁରରୁ ୨ ଲେଖାଏଁ, ଗଞ୍ଜାମ, ମୟରୂଭଞ୍ଜ, କନ୍ଧମାଳ, ଅନୁଗୁଳ, ଭଦ୍ରକ, କୋରାପୁଟ, କେନ୍ଧୁଝର, ଯାଜପୁରରୁ ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଆମେ ଗତ ଥରର ବିଜେତା ସହ ମୁକାବିଲା କରିବାକୁ ଥିଲେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିବାକୁ ଢ଼େର ଆଶାବାଦୀ ଅଛୁ ବୋଲି କହିଛନ୍ତି ପ୍ରଶିକ୍ଷକ ସୁରେନ୍ଦ୍ର ଜେନା। ଅଧିକାଂଶ ଆଦିବାସୀ ପିଲାଙ୍କୁ ନେଇ ଗଠିତ ଏହି ଦଳର ୩/୪ ଜଣ ଖେଳାଳି ପୂର୍ବରୁ ଜାତୀୟ ସ୍ତରରେ ଖେଳି ସାରିଥିବାରୁ ଏହି ପ୍ରତିଯୋଗିତାରେ ଗୁଗଲ୍‌ ସ୍ପୋର୍ଟସକୁ ଫାଇଦା ମିଳିବ ବୋଲି କହିଥିଲେ ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି। ଆଦିବାସୀ ପିଲାଙ୍କ ରକ୍ତିରେ ଖେଳ ଭରି ରହିଛି, ସେମାନଙ୍କ ପ୍ରତିଭାର ବିକାଶ କରିବା ସହିତ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ପହଞ୍ଚାଇବା ଆମ ଦାୟିତ୍ୱ ବୋଲି କହିଥିଲେ ଟ୍ରଷ୍ଟ୍‍ର ଅଧ୍ୟକ୍ଷ ତଥା ଦଳର ପ୍ରବଂଧକ ଜଗଦୀଶ ପ୍ରସାଦ ମିଶ୍ର। ଆଦିବାସୀ ପିଲାଙ୍କ ପ୍ରୋତ୍ସାହନ ଓ ପ୍ରେରଣାର ଉତ୍ସ ପାଲଟିଥିବା ବନବାସୀ କଲ୍ୟାଣ ଆଶ୍ରମର ରଂଜନ କୁମାର ସ୍ୱାଇଁ ମଧ୍ୟ ମଙ୍ଗଳବାରର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହି ଆଶ୍ରମ ଅଧୀନରେ ଥିବା ସିମାଦ୍ରୀ ମିଶ୍ର ଜନଜାତି ଛାତ୍ରାବାସରେ ରହି ପ୍ରାୟ ୧୫୦ ଆଦିବାସୀ ପିଲା ସେମାନଙ୍କ ଭବିଷ୍ୟତ ଗଢ଼ୁଥିବା ଶ୍ରୀ ଜଗଦୀଶ ପ୍ରସାଦ ମିଶ୍ର ପ୍ରକାଶ କରିଥିଲେ।
ଗୁଗଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‍ ଦଳ: ଗୁରୁ ମାନ୍ଧ୍ରା, ଗୋବିନ୍ଦ ଶବର, ସୁକ୍ରା ମୁଦୁଲି, ଲଛିମ୍‌ ସୀସା, ରଂଜନ କୁମାର ମୁଦୁଲି, ଜିତେନ୍ଦ୍ର ସିଂହ, ଦୀପ୍ତିରଂଜନ ପ୍ରଧାନ, ଭକ୍ତ ଜାନୀ, ମନୋଜ ଜାନୀ, ଚନ୍ଦନ ମାଝୀ, ଦୀନବଂଧୁ ହାଲଓ୍ଵା, ଦୁର୍ଗା ମାରାଣ୍ଡି, କ୍ଷୀତିଶ ଦେହୁରି, ରାମାୟା ସୁପ୍ତି, ଅଙ୍କିତ ନାୟକ।

ସମ୍ବନ୍ଧିତ ଖବର