ସଚିନ ୨ ପଏଣ୍ଟ୍‌ ଚାହାନ୍ତି, ମୁଁ ବିଶ୍ବକପ୍: ଗାଙ୍ଗୁଲି

କୋଲକାତା: ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ସେ କହିଛନ୍ତି , ସଚିନ ପାକିସ୍ତାନ ବିପକ୍ଷ ଦୁଇ ପଏଣ୍ଟ ଚାହୁଁଛନ୍ତି, ମୁଁ ବିଶ୍ବକପ୍। ବିଶ୍ବକପ୍‌ରେ ୧୦ ଦଳ ଅଂଶ ଗ୍ରହଣ କରୁଛନ୍ତି। ଲିଗ୍ ପର୍ଯ୍ୟାୟରେ ସମସ୍ତେ ପରସ୍ପର ବିପକ୍ଷରେ ଖେଳିବେ। ଏଣୁ ଗୋଟିଏ ମ୍ୟାଚ୍‌ର ଫଳାଫଳ ଭାରତ ଉପରେ ସେତେଟା ପ୍ରଭାବ ପକାଇବ ବୋଲି ମୁଁ ଭାବୁନାହିଁ। ଭାରତ ବିନା ବିଶ୍ବକପ୍ ଆୟୋଜନ ଆଇସିସି ପାଇଁ ଆଦୌ ସହଜ ହେବନି। ହେଲେ ଆଇସିସିକୁ ଏଭଳି ଏକ ଜିନିଷ କରିବାରୁ ରୋକିବା ଲାଗି ଭାରତ ପାଖରେ ଶକ୍ତି ଅଛି କି ନାହିଁ ତାହା ବି ଦେଖିବାକୁ ହେବ। ହେଲେ ବ୍ୟକ୍ତିଗତ ଭାବେ ମୁଁ ଚାହେଁ ଯେ ଭାରତ ଦୃଢ଼ ବାର୍ତା ଦେଉ। ସେ ଆହୁରି କହିଛନ୍ତି ଏହି ବିଷୟରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସରକାର ଯେଉଁ ପଦକ୍ଷେପ ନେବେ ଭାରତୀୟ ଦଳ ତାକୁ ସମର୍ଥନ କରିବ ବୋଲି ମୋର ଆଶା ଓ ବିଶ୍ବାସ। ସୂଚନାଯୋଗ୍ୟ ଯେ ସଚିନ ଶୁକ୍ରବାର ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ବର୍ଜନ କରିବା ନିଷ୍ପତ୍ତି ସହ ଏକମତ ହୋଇ ନଥିଲେ। ପାକିସ୍ତାନକୁ ୨ ପଏଣ୍ଟ ଉପହାର ଦେବା ସପକ୍ଷରେ ମୁଁ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର