ମହିଳା ହକିରେ ଓଡ଼ିଆ ମହକ, ଗ୍ଲୋରିଆଙ୍କଠୁ ଗୌରବମୟ ଅଧ୍ୟାୟ

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ଭାରତୀୟ ହକି ମାନଚିତ୍ରରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର। ଭାରତକୁ ପାଖାପାଖି ୭୦ରୁ ଅଧିକ ଅନ୍ତର୍ଜାତୀୟ ହକି ତାରକା ଦେଇଛି ଓଡ଼ିଶା। ପୁରୁଷ ହକିରେ ଲାଜରୁସ ବାର୍ଲା, ଦିଲୀପ ତିର୍କି, ଇଗ୍ନେସ ତିର୍କି, ପ୍ରବୋଧ ତିର୍କିଙ୍କ ଭଳି ଓଡ଼ିଆ ଖେଳାଳି ନିଜ ପ୍ରଦର୍ଶନ ବଳରେ ଭାରତୀୟ ହକିକୁ ସମୃଦ୍ଧମୟ କରିଛନ୍ତି। ମହିଳା ହକିରେ ମଧ୍ୟ ଓଡ଼ିଶା ପଛରେ ନାହିଁ। ଗ୍ଲୋରିଆ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କଠାରୁ ଆରମ୍ଭ କରି ଦୀପଗ୍ରେସ୍ ଏକ୍କାଙ୍କ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ମହିଳା ଖେଳାଳି ଭାରତୀୟ ହକିର ଗୌରବମୟ ଅଭିଯାନରେ ରଖିଛନ୍ତି ନିଜ ନିଜର ବଳିଷ୍ଠ ଅବଦାନ। ଜାତୀୟ ମହିଳା ହକିର କନିଷ୍ଠ ଏବଂ ବରିଷ୍ଠ ସ୍ତରରେ ଓଡ଼ିଶା ମଧ୍ୟ ସବୁବେଳେ ଏକ ମହାଶକ୍ତି ହୋଇ ରହି ଆସିଛି। ନଭେମ୍ବର ପହିଲାରେ ଓଡ଼ିଶାର ସେହି ଜାଜ୍ଜୁଲ୍ୟମାନ ମହିଳା ହକି ଇତିହାସରେ ଆଉ ଏକ ନୂଆ ଫର୍ଦ ଯୋଡ଼ିହେବ। ଭାରତର କ୍ରୀଡ଼ା ରାଜଧାନୀର ମାନ୍ୟତା ଲାଭ କରି ସାରିଥିବା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହିଳା ହକି ମ୍ୟାଚ୍ ଆୟୋଜନ ହେବ। ଭାରତୀୟ ମହିଳା ହକି ଦଳ ଏଠାରେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଆମେରିକା ସହ ଲଢ଼ିବ। ଏହି ପ୍ରତୀକ୍ଷିତ ଲଢ଼େଇ ନଭେମ୍ବର ୧ ଏବଂ ୨ ତାରିଖ ଦୁଇ ଦିନ ଧରି ଖେଳାଯିବ।

୨୦୧୬ରେ ଭାରତୀୟ ମହିଳା ହକି ଦଳ ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେହି ଐତିହାସିକ ସଫଳତା ଲାଭ କରିଥିବା ଭାରତୀୟ ଦଳରେ ଓଡ଼ିଶାର ୪ ଜଣ (ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ) ଖେଳାଳି ଥିଲେ। କଳିଙ୍ଗ ଷ୍ଟାଡିୟମରେ ଆସନ୍ତାବର୍ଷର ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ୩ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ। ଲିଲିମା, ନମିତା ଓ ଦୀପଗ୍ରେସ୍ ଭାରତୀୟ ଦଳରେ ଥିଲା ବେଳେ ଆଘାତପ୍ରାପ୍ତ ସୁନିତା ଘରୋଇ ପରିବେଶରେ ଅନ୍ତର୍ଜାତୀୟ ପଦାର୍ପଣ ସହ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରୁ ବଞ୍ଚିତ ହୋଇଛନ୍ତି। ତାଙ୍କୁ ଛାଡ଼ି ଅନ୍ୟ ତିନି ଜଣ ଯାକ (ଲିଲିମା, ନମିତା ଓ ଦୀପଗ୍ରେସ୍) ଲଗାତାର ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଟିକେଟ ହାସଲ ଲକ୍ଷ୍ୟରେ ରହିବେ। ଆମେରିକାକୁ ପରାସ୍ତ କରି ଭାରତ ବି ଦଳଗତ ଭାବେ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇବ।

ଇତିହାସ କହେ ହକି ୟୁରୋପୀୟ ଧର୍ମ ପ୍ରଚାରକଙ୍କ ମାଧ୍ୟମରେ ଓଡ଼ିଶା ଆସିଥିଲା। ଖୁବ୍‌ କମ୍ ଦିନରେ ଓଡ଼ିଶାର ଆଦିବାସୀ ଇଲାକାରେ ହକି ବେଶ୍ ଲୋକପ୍ରିୟ ହୋଇଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ହକି ସୁନ୍ଦରଗଡ଼ ଏବଂ ଏହାର ଆଖପାଖ ଜିଲ୍ଲାରେ ଦୈନନ୍ଦିନ ଜୀବନର ପ୍ରମୁଖ ଅଙ୍ଗ ପାଲଟିଥିଲା। ତେବେ ଜାତୀୟ ସ୍ତରରେ ଓଡ଼ିଶା ହକିର ଉତ୍ଥାନ ସମ୍ଭବତଃ ନବେ ଦଶକରେ ହୋଇଥିଲା। ଓଡ଼ିଆ ପୁରୁଷ ଏବଂ ମହିଳା ହକି ଖେଳାଳିମାନେ ଜଣଙ୍କ ପରେ ଜଣେ ଜାତୀୟ ଦଳରେ ନିଜ ଉପସ୍ଥିତି ଜାହିର କରିଥିଲେ। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ହକି ଖେଳାଳିର ମାନ୍ୟତା କିନ୍ତୁ ଗ୍ଲୋରିଆ ଡୁଙ୍ଗ୍‌ଡୁଙ୍ଗ୍‌ ଲାଭ କରନ୍ତି। ଜ୍ୟୋତି ସୁନୀତା କୁଲ୍ଲୁଙ୍କ ସମସାମୟିକ ହୋଇଥିଲେ ମଧ୍ୟ ସେ ପ୍ରଥମେ ଅନ୍ତର୍ଜାତୀୟ ହକି ଖେଳିଥିଲେ ବୋଲି ସଂପ୍ରତି କପୁରଥଲାର ରେଲ୍ କୋଚ୍ ଫାକ୍ଟ୍ରିରେ କାର୍ଯ୍ୟ କରୁଥିବା ଗ୍ଲୋରିଆ ଦାବି କରନ୍ତି। କନିଷ୍ଠ ଏବଂ ବରିଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଓଡ଼ିଆ ମହିଳା ଖେଳାଳିମା‌ନେ ହେଲେ ଅର୍ଜୁନ ପୁରସ୍କାର ବିଜୟିନୀ ଜ୍ୟୋତି ସୁନୀତା କୁଲ୍ଲୁ, ଅନରିତା କେ‌ର୍କେଟା, ସୁଭଦ୍ରା ପ୍ରଧାନ, ବିନିତା ଟପ୍ପୋ, ବିନିତା ଖେସ୍, ସରିତା ଲାକ୍ରା, ନୀଳିମା କୁଜୁର, ମୁକ୍ତାପ୍ରଭା ବାର୍ଲା, ଟେରେସା କୁଜୁର, ଆଗ୍ନେସିଆ ଲୁଗୁନ୍, ବାହାମନୀ ତିର୍କି, ଅଞ୍ଜନା ବାର୍ଲା, ପୌଲିନା ସୁରିନ୍, ରଞ୍ଜିତା ବାର୍ଲା, ସରିତା ହନୁମାନ, ସୁନୀତି କିସପୋଟା, ସବିତା ଏକ୍କା, ମୁକ୍ତା ଖାଲକୋ, ସୁମିତ୍ରା ତିର୍କି, ଅଶ୍ରିତା ଟପ୍ପୋ, ପୁନମ ଟପ୍ପୋ, ରୀନାକାନ୍ତି ଏକ୍କା, ବିନିତା କିଣ୍ଡୋ, ଅନୁପା ବାର୍ଲା, ରୋଜାଲିନ ଡୁଙ୍ଗ୍‌ଡୁଙ୍ଗ୍‌, ସୁଲୋଚନା କିଶାନ, ସୁରଭି ପ୍ରଧାନ, ପୁନମ ବାର୍ଲା, ରଶ୍ମିତା ମିଞ୍ଜ, ଅସ୍ମିତା ବାର୍ଲା, ମାରିଆନା କୁଜୁର, ଅଜମିନା କୁଜୁର ପ୍ରମୁଖ। ଏମାନଙ୍କ ମଧ୍ୟରୁ ଦୀପଗ୍ରେସ୍ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା ବେଳେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ ‌ପ୍ରତ୍ୟେକ ଦେଢ଼ ଶହରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଲେଣି।

ସମ୍ବନ୍ଧିତ ଖବର