ଗୋଆ-ଚେନ୍ନାଇନ୍‌ ଫାଇନାଲ୍

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଅନିରୁଦ୍ଧ ଥାପ୍ପାଙ୍କୁ ଓଡ଼ିଶାର ଅନ୍ତର୍ଜାତୀୟ ମହିଳା ଫୁଟବଲର୍‌ ଲୋଚନା ମୁଣ୍ଡା ପୁରସ୍କୃତ କରୁଛନ୍ତି

ଭୁବନେଶ୍ବର,: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲରେ ଶନିବାର ଚେନ୍ନାଇନ୍‌ ଏଫ୍‌ସି ଭେଟିବ ଗୋଆ ଏଫ୍‌ସିକୁ। ବୁଧବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଚେନ୍ନାଇନ୍‌ ଦଳ ୨-୦ ଗୋଲ୍‌ରେ ଶକ୍ତିଶାଳୀ ଏଟିକେକୁ ପରାସ୍ତ କରି ପ୍ରଥମ ଗୌରବ ପଥରେ ଅଗ୍ରସର ହୋଇଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଗୋଆ ୩-୦ରେ ଚେନ୍ନାଇ ସିଟିକୁ ପରାସ୍ତ କରିଥିଲା। ବୁଧବାରର ପରାଜୟ ସହିତ ସୌରଭ ଗାଙ୍ଗୁଲିଙ୍କ ସହମାଲିକାନାରେ ଥିବା ଏଟିକେ ଅଶ୍ରୁଳ ବିଦାୟ ନେଇଛି। ଚମତ୍କାର ଖେଳିଥିବା ଚେନ୍ନାଇନ୍‌ର ଅଗ୍ରଭାଗ ଖେଳାଳି ଅନିରୁଦ୍ଧ ଥାପ୍ପା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଓଡ଼ିଶାର ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲର୍ ଲୋଚନା ମୁଣ୍ଡା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ବୁଧବାରର ପ୍ରଥମାର୍ଧ ଖେଳ ବେଶ ଅନାକର୍ଷଣୀୟ ଏବଂ ରକ୍ଷଣାତ୍ମକ ଥିଲା। ଚେନ୍ନାଇନ୍‌ ଅଧିକାଂଶ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ଗୋଲ୍‌ ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। କିନ୍ତୁ ଏହି ଏକମାତ୍ର ସୁଯୋଗ ଗୋଲ୍‌ ପୋଷ୍ଟ୍‌ ବାହାରକୁ ଯିବାରୁ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଥିଲା। ପାର୍ଶ୍ବ ପରିବର୍ତନ ପରେ ଚେନ୍ନାଇନ୍‌ ମଧ୍ୟ ନିଜ ଗତିଶୀଳ ଖେଳକୁ ଜାରି ରଖିଥିଲା। ଲଗାତାର ଆକ୍ରମଣପରେ ଦଳକୁ ମଧ୍ୟ ଏହାର ସୁଫଳ ମିଳିଥିଲା। ୫୦ତମ ମିନିଟ୍‌ରେ ଅନିରୁଦ୍ଧଙ୍କ ଚମତ୍କାର ଡ୍ରିବଲ୍‌ ଖେଳ ପରେ ବାମ ପାର୍ଶ୍ବରୁ ଦେଇଥିବା କ୍ରସ୍‌କୁ ଚେକିୟୋତ୍ କିଝାକ ଭିଟିଲ୍ ଭିନୀଥ ହେଡ୍‌ର ଜରିଆରେ ଗୋଲ୍‌ ମୁହାଁ କରି ଦେଇଥିଲେ। ଏଥି ସହିତ ଚେନ୍ନାଇନ୍‌ ଦ୍ବିତୀୟାର୍ଧ ପ୍ରାରମ୍ଭରୁ ଅଗ୍ରଣୀ ନେଇଥିଲା। ଏଟିକେ କରୁଥିବା ପ୍ରତିଟି ପ୍ରୟାସକୁ କିନ୍ତୁ ଚେନ୍ନାଇନ୍‌ର ରକ୍ଷଣଭାଗ ପଣ୍ଡ କରିବାରେ କୌଣସି ସୁଯୋଗ ହାତଛଡ଼ା କରୁନଥିଲେ। ୫୮ତମ ମିନିଟ୍‌ରେ କିନ୍ତୁ ଅନିରୁଦ୍ଧ ଏକା ଏକା ବଲ୍ ନେଇ ଡି’ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ଏଟିକେ ଗୋଲ୍‌ରକ୍ଷକ ଦେବଜିତ୍‌ ମଜୁମଦାରଙ୍କୁ ପରାସ୍ତକରି ମ୍ୟାଚ୍‌କୁ ଚେନ୍ନାଇନ୍‌ ପକ୍ଷରେ ୨-୦ରେ କରିଦେଇଥିଲେ। ଉଭୟ ଗୋଲ୍‌ରେ ଅନିରୁଦ୍ଧଙ୍କ ସମ୍ପୃକ୍ତି ରହିଥିଲା। ଦୁଇଟି ଗୋଲ୍‌ ବରଣ କରିବା ପରେ କିନ୍ତୁ ଏଟିକେ କିଛି ଆକ୍ରମଣାତ୍ମକ ଫୁଟ୍‌ବଲ୍‌ ଦେଖାଇଥିଲା। କିନ୍ତୁ ଏହି ପ୍ରଦର୍ଶନ କିଛି କର୍ନର ଅର୍ଜନ ସଫଳତାରେ ସୀମିତ ରହିଥିଲା। ଚେନ୍ନାଇନ୍‌ କ୍ରମେ ଶେଷ ୫ ମିନିଟ୍‌ରେ ସାଧାରଣ ଫୁଟବଲ୍ ଖେଳିବାକୁ ପସନ୍ଦ କରିଥିଲା। ଶେଷକୁ ଜନ୍‌ ଗ୍ରେଗରିଙ୍କ ଚେନ୍ନାଇନ୍‌ ଏଫସି ଷ୍ଟିଫେନ୍ ଜେମ୍ସ କାପେଲଙ୍କ ଏଟିକେ ଉପରେ ଭାରି ପଡ଼ିଥିଲା। ଦୁଇଥର ଲେଖାଏଁ ଆଇଏସ୍‌ଏଲ୍ ଜିତିଥିବା ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲା କିନ୍ତୁ କ୍ବାଲିଟି ଫୁଟବଲ୍‌ ଦେଇନଥିଲା ଉପସ୍ଥିତ ୫୦୦ ପ୍ରାୟ ପ୍ରଶଂସକଙ୍କୁ।
ପୂର୍ବରୁ ଚେନ୍ନାଇନ୍‌ ଏଫସି ନିଜ ପ୍ରଥମ ମ୍ୟାଚ୍ (ଆଇଜଲ ଏଫସି) ୱାକ୍ ଓଭର ରୂପରେ ପାଇଥିବା ବେଳେ ମୁମ୍ବାଇ ସିଟି (୨-୦) ଏବଂ ନର୍ଥଇଷ୍ଟ୍ ୟୁନାଇଟେଡ ଏଫସି (୨-୧)କୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ସିଧାସଳଖ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଖେଳିଥିବା ଏଟି‌କେ ୩-୧ରେ ରିୟଲ୍‌ କଶ୍ମୀରକୁ ଏବଂ ଦିଲ୍ଲୀ ଡାଇନାମସକୁ ୪-୩ରେ ପରାସ୍ତ କରି ଶେଷ ୪ ଦଳରେ ସାମିଲ ହୋଇଥିଲା। ଶନିବାରର ଫାଇନାଲ୍‌ ମ୍ୟାଚ୍‌ ରାତି ୮.୩୦ ମିନିଟ୍‌ରେ ଗୋଆ ଏଫସି ଏବଂ ଚେନ୍ନାଇନ୍‌ ଏଫସି ମଧ୍ୟରେ ଖେଳାଯିବ। ଉଭୟ ଦଳ ପାଇଁ ପ୍ରଥମଥର ସୁପକପ୍‌ ଜିତିବାର ସୁଯୋଗ ରହିବ।

ସମ୍ବନ୍ଧିତ ଖବର