କଟକ: ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଷଷ୍ଠ ଶତକ ଓ ଶୁଭ୍ରାଂଶୁ ସେନାପତିଙ୍କ ନିର୍ଭରଯୋଗ୍ୟ ଅର୍ଧଶତକ ସତ୍ତ୍ୱେ ଓଡ଼ିଶା ବିଜୟନଗରମ୍ ରଣଜୀ ମ୍ୟାଚରେ ଓଡ଼ିଶା ଉପରୁ ବିପଦ ଟଳିନାହିଁ। ପରାଜୟ ଏଡ଼ାଇବା ସହିତ ଓଡ଼ିଶାକୁ ଶୁକ୍ରବାର ଶେଷ ଦିନରେ ୧ ପଏଣ୍ଟ୍ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିବ। ବିପ୍ଳବ ସାମନ୍ତରାୟଙ୍କୁ ଛାଡ଼ିଦେଲେ ଅନ୍ୟସବୁ ବ୍ୟାଟ୍ସମ୍ୟାନ ପାଭିଲିଅନ୍ ଫେରିଯାଇଛନ୍ତି। ଶୁଭ୍ରାଂଶୁ ତାଙ୍କର ଦ୍ୱିତୀୟ ଶତକଠୁ ମାତ୍ର ୯ରନ୍ ଦୂରରେ ରହିଯାଇଥିଲେ। ଓଡ଼ିଶା ତୃତୀୟ ଦିନ ଶେଷ ସୁଦ୍ଧା ୨୯୪ ରନ୍ ସଂଗ୍ରହ କରିଛି। ଫଲୋଅନ୍ ସୀମାଠାରୁ ଓଡ଼ିଶା ଏବେ ମଧ୍ୟ ୧୪୧ ରନ୍ ପଛରେ ରହିଛି। ଶେଷ ଦିନରେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ସହ ପରାଜୟ ଏଡ଼ାଇବା ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଆଗରେ ଏକମାତ୍ର ବିକଳ୍ପ ରହିଛି। ଗୁରୁବାର ତୃତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ବିପ୍ଳବ ସାମନ୍ତରାୟ (୨୮*)ଙ୍କ ସହ ପ୍ରଥମ ପଦାର୍ପଣକାରୀ ଅଫସ୍ପିନର ଶୁଭମ୍ ନାୟକ କ୍ରିଜ୍ରେ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଦୁଇ ଦିନ ବୋଲରଙ୍କ ନିରାଶ ପରି ବ୍ୟାଟ୍ସମ୍ୟାନ ମଧ୍ୟ ଗୁରୁବାର ଆରମ୍ଭରୁ ଓଡ଼ିଶାକୁ ନିରାଶ କରିଥିଲେ। ଦ୍ୱିତୀୟ ଦିନରେ ନଟରାଜ ମାତ୍ର ୪ରନ୍ କରି ଆଉଟ ହୋଇଥିଲାବେଳେ ତୃତୀୟ ଦିନର ପ୍ରଥମ ଅଧଘଣ୍ଟା ମଧ୍ୟରେ ସନ୍ଦୀପ ଆଉଟ୍ ହୋଇଯାଇଥିଲେ। ଦଳୀୟ ସ୍କୋରରେ ଆଉ ୭ରନ୍ ଯୋଗ କରିବା ପରେ ବ୍ୟକ୍ତିଗତ ୨୧ରନ୍ କରି ଆଉଟ ହୋଇଥିଲେ। ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ଅଧିନାୟକ ଗୋବିନ୍ଦଙ୍କ ସହ ଶୁଭ୍ରାଂଶୁ ସେନାପତି ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଉଭୟ ଚମତ୍କାର ଭାବେ ଆନ୍ଧ୍ର ବୋଲରଙ୍କୁ ସାମ୍ନା କରି ଦଳୀୟ ସ୍କୋର୍କୁ ୨୦୦ ପାର୍ କରାଇଥିଲେ। ଏଥିମଧ୍ୟରେ ଗୋବିନ୍ଦ ମଧ୍ୟ ତାଙ୍କର ଷଷ୍ଠ ଶତକ ହାସଲ କରି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିଲେ। ମଧ୍ୟମଗତି ବୋଲର ଶଶୀକାନ୍ତଙ୍କ ବଲ୍ରେ ଗୋବିନ୍ଦ ୧୧୧ ରନ୍ (୧୮୨ ବଲ୍, ୧୩ ଚୌକା) କରିଥିବାବେଳେ ଆଉଟ ହୋଇଥିଲେ। ଗୋଟିଏ ଓଭର ବ୍ୟବଧାନରେ ଶୁଭ୍ରାଂଶୁ ମଧ୍ୟ ବାମହାତୀ ସ୍ପିନର ଭାର୍ଗବ ଭଟ୍ଟଙ୍କ ଦ୍ୱାରା ବୋଲ୍ଡ ହୋଇ ଶତକରୁ (୯୧ ରନ୍, ୧୯୭ ବଲ୍, ୧୧ ଚୌକା, ୧ ଛକା) ଅଳ୍ପକେ ବଞ୍ଚିତ ହୋଇଥିଲେ। ଉଭୟ ଗୋବିନ୍ଦ ଓ ଶୁଭ୍ରାଂଶୁ ତୃତୀୟ ଓ୍ଵିକେଟ୍ ପାଇଁ ୧୮୫ ରନ୍ ଯୋଡ଼ିବା ଓଡ଼ିଶା ପାଇଁ ଉଲ୍ଲେଖନୀୟ ଥିଲା। ଏହା ପରେ ବିପ୍ଳବ ସାମନ୍ତରାୟ ଓ ସୌରଭ ରାଓ୍ଵତଙ୍କ ଉପରେ ବ୍ୟାଟିଂ ଭାର ପଡ଼ିିଥିଲା। ଉଭୟ ପାଖାପାଖି ୧୮ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଭାର୍ଗବ ଭଟ୍ଟଙ୍କ ବଲ୍କୁ ବୁଝିନପାରି ସୌରଭ (୨୩) ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପଛକୁ ଅବିନାଶ ସାହା (୫) ଶେଷ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଭାବେ ଆସିଥିଲେ ବି ସେ ମଧ୍ୟ ଖାସ୍ କିଛି କରିପାରିନଥିଲେ। ଘରୋଇ ଦଳ ପାଇଁ ବାମହାତୀ ସ୍ପିନର ଭାର୍ଗବ ଭଟ୍ଟ ୩, ମଧ୍ୟମଗତି ବୋଲର ଶଶୀକାନ୍ତ ୨ ଓ ଅଫସ୍ପିନର ସୋଏବ୍ ଖାନ୍ ୧ ଓ୍ଵିକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ପ୍ରଥମ ପାଳି: ୫୮୪/୫ (ଘୋଷଣା)। ଓଡ଼ିଶା ପ୍ରଥମ ପାଳି: ୧୦୨ ଓଭରରେ ୨୯୪/୬ (ଗୋବିନ୍ଦ ପୋଦ୍ଦାର-୧୧୧, ଶୁଭ୍ରାଂଶୁ ସେନାପତି-୯୧, ସୌରଭ ରାଓ୍ଵତ-୨୩, ସନ୍ଦୀପ ପଟ୍ଟନାୟକ-୨୧, ବିପ୍ଳବ ସାମନ୍ତରାୟ-୨୮*, ଭାର୍ଗବ ଭଟ୍ଟ-୩/୬୬, କୋଦିରାମକୃଷ୍ଣ ଶଶୀକାନ୍ତ-୨/୩୦, ସୋଏବ୍ ମହମ୍ମଦ ଖାନ୍-୧/୭୮।