ସ୍ୱର୍ଣ୍ଣିମ ଶୁକ୍ରବାର: ଟେନିସ୍‌ ଓ ରୋଇଂରୁ ମିଳିଲା ୨ ସ୍ୱର୍ଣ୍ଣ, ଷଷ୍ଠ ଦିବସରେ ଭାରତକୁ ୭ ପଦକ

ଜାକର୍ତା/ପାଲେମବାଙ୍ଗ୍‌: ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ଗୋଟିଏ ଦିବସରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ଟେନିସ୍‌ ଏବଂ ରୋଇଂରୁ ଦଳଗତ ସ୍ୱର୍ଣ୍ଣ ସହିତ ଭାରତ ଶୁକ୍ରବାର ମୋଟ ୭ ପଦକ ଅମଳ କରିଛି। କିନ୍ତୁ ପୁରୁଷଙ୍କ ଭଳି ମହିଳା କବାଡ଼ି ଦଳ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ହାରି ଭାରତକୁ ନିଶ୍ଚିତ ସ୍ୱର୍ଣ୍ଣରୁ ବଞ୍ଚିତ ରଖିଛନ୍ତି।

ଟେନିସ୍‌ରେ ଶୀର୍ଷ ମାନ୍ୟତା ଯୋଡ଼ି ଭାବେ ଖେଳିଥିବା ଭାରତୀୟ ସାଥୀ ରୋହନ୍‌ ବୋପାନ୍ନା ଏବଂ ଦିଭିଜ ଶରଣ ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ କରି ପ୍ରଥମ ଥର ଏସିଆଡ୍‌ ସ୍ୱର୍ଣ୍ଣ ହାତେଇ ନେଇଥିଲେ। ପାଲେମବାଙ୍ଗ୍‌ରେ ଖେଳାଯାଇଥିବା ଟେନିସ୍‌ ପୁରୁଷ ଯୁଗଳ ଫାଇନାଲ୍‌ରେ ବୋପାନ୍ନା-ଶରଣ ୬-୩, ୬-୪ ସେଟ୍‌ରେ କାଜାକସ୍ତାନର ଆଲେକଜାଣ୍ଡର୍‌ ବବଲିକ୍‌ ଏବଂ ଡେନିସ୍‌ ୟେଭେସେୟଭଙ୍କୁ ପରାସ୍ତ କରିଥିଲେ। ସିଧାସଳଖ ଫାଇନାଲ୍‌ ମ୍ୟାଚ୍‌କୁ ଭାରତୀୟ ଯୋଡ଼ି ମାତ୍ର ୫୨ ମିନିଟ୍‌ରେ ଜିତି ନେଇଥିଲେ। କୋର୍ଟ ଭିତରେ ବୋପାନ୍ନା ଏବଂ ଶରଣଙ୍କ ସମନ୍ଵୟ ମଧ୍ୟ ଚମତ୍କାର ଥିଲା। କାଜାକ ଯୋଡ଼ିଙ୍କ ପାଦରେ ଗତି ରହିଥିଲେ ମଧ୍ୟ ଅଭିଜ୍ଞ ଭାରତୀୟ ତାରକା ଏହାକୁ ଫିକା ପକାଇ ଦେଇଥିଲେ। ଜାକର୍ତା ଗସ୍ତ ପୂର୍ବରୁ ଲିଆଣ୍ଡର୍‌ ପେସ୍‌ ଓହରି ଯାଇଥିଲେ ମଧ୍ୟ ଭାରତ ସ୍ୱର୍ଣ୍ଣିମ ସଫଳତା ଜିତି ଏହାକୁ ପ୍ରଭାବିତ ହେବାକୁ ଦେଇନାହିଁ। ଅନ୍ୟପକ୍ଷରେ ଶୁକ୍ରବାର ମଧ୍ୟ ଟେନିସ୍‌ରୁ ଭାରତକୁ କାଂସ୍ୟ ପଦକ ମିଳିଥିଲା। ସେମିଫାଇନାଲ୍‌ରେ ପ୍ରଜ୍ଞେଶ ଗୁଶେଶ୍ୱରନ ଉଜ୍‌ବେକିସ୍ତାନର ଡେନିସ୍‌ ଇସ୍ତୋମିନ୍‌ଙ୍କଠାରୁ ୨-୬, ୨-୬ ସେଟ୍‌ରେ ହାରିଯାଇଥିଲେ। ଏଥି ସହିତ ଭାରତ ମଧ୍ୟ ୨୦୦୨ ମସିହା ଏସିଆଡ୍‌ଠାରୁ ଆରମ୍ଭ କରି ଟେନିସ୍‌ରୁ ପଦକ ଜିତିବା ପରମ୍ପରା ଜାରି ରଖିଛି। କିନ୍ତୁ ୮ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତିଛି। ୨୦୦୨ ଏବଂ ୨୦୦୬ରେ ମହେଶ ଭୂପତି ଏବଂ ଲିଆଣ୍ଡର୍‌ ପେସ୍‌ ଲଗାତାର ସ୍ୱର୍ଣ୍ଣ ପଦକ ଜିତିବା ସହିତ ଏସିଆଡ୍‌ ଇତିହାସରେ ସବୁଠୁ ସଫଳ ଟେନିସ ଯୋଡ଼ି ଅଛନ୍ତି। ୨୦୧୦ ଗୁଆଁଜୁ ସଂସ୍କରଣରେ ସୋମଦେବ ଦେବବର୍ମନ ଏବଂ ସନମ ସିଂହ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୪ରେ ସାକେତ ମିନେନି ଏବଂ ସନମ ସିଂହ ରୌପ୍ୟ ପଦକ ଜିତିଥିଲେ।

Tennis – 2018 Asian Games – Men’s Doubles – JSC 

ରୋଇଂରୁ ଭାରତକୁ ଶୁକ୍ରବାର ସର୍ବାଧିକ ୩ ପଦକ ମିଳିଥିଲା। ସାଓ୍ଵର୍ନ ସିଂହ, ଦାତୁ ଭୋକାନାଲ୍‌, ଓମ୍‌ ପ୍ରକାଶ ଏବଂ ସୁଖମିତ୍‌ ସିଂହଙ୍କୁ ନେଇ ଗଠିତ ପୁରୁଷ ସ୍କଲ୍‌ ଦଳ ୬:୧୭.୧୩ ସମୟରେ ନୌଚାଳନା କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ। ନୌଚାଳନାର ଶେଷ ଦିବସରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ମିଳିଥିଲା। ଗୁରୁବାରର ନିରାଶାକୁ କିନ୍ତୁ ଭାରତୀୟ ନୌଚାଳକମାନେ ଶୁକ୍ରବାର ଭରଣା କରି ନେଇଥିଲେ। ଗୁରୁବାର ନିରାଶ ପରେ ଆମେ ସୈନିକମାନଙ୍କୁ ହାର ନ ମାନିବାକୁ କହିଥିଲୁ। ଦଳୀୟ ସାଥୀମାନଙ୍କୁ କହିଥିଲି, ସ୍ୱର୍ଣ୍ଣ ପାଇଁ ଯିବା। ‘କର ବା ମର’ ମନୋଭାବ ରଖି ଆମେ ସଫଳ ହେଲୁ ବୋଲି କହିଥିଲେ ସ୍ୱର୍ଣ୍ଣ ବିଜୟୀ ଦଳର ବରିଷ୍ଠ ସଦସ୍ୟ ସାଓ୍ଵର୍ନ ସିଂହ। ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ ଏହି ଇଭେଣ୍ଟ୍‌ରେ ରୌପ୍ୟ ଓ କାଂସ୍ୟ ଜିତିଥିଲେ। ରୋଇଂରୁ ମିଳିଥିବା ସ୍ୱର୍ଣ୍ଣ ଭାରତ ପାଇଁ ଏସିଆଡ୍‌ରୁ ଦ୍ୱିତୀୟ। କାରଣ ୨୦୧୦ରେ ବଜରଙ୍ଗ୍‌ ଲାଲ୍‌ ଠକ୍କର ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ଶୁକ୍ରବାର ଭାରତ ପାଇଁ ଏହି ଖେଳରୁ ଅନ୍ୟ ଦୁଇଟି ପଦକ କାଂସ୍ୟ ରୂପରେ ମିଳିଥିଲା। ଦୁଶ୍ୟନ୍ତ ଚୌହାନ ଲାଇଟେଓ୍ଵଟ୍‌ ସ୍କଲ୍‌ରେ କାଂସ୍ୟ ପଦକ ଜିତି ୨୦୧୪ ଇଞ୍ଚିଅନ୍‌ ସଫଳତାକୁ ଦୋହରାଇଥିଲେ। ବର୍ଷକ ତଳେ ଖେଳ ଛାଡ଼ି ଦେଇଥିବା ଦୁଶ୍ୟନ୍ତଙ୍କୁ ବାସ୍ତବରେ ମୁଖ୍ୟ ପ୍ରଶିକ୍ଷକ ଇସ୍‌ମାଇଲ୍‌ ବେଗ୍‌ ପ୍ରବର୍ତାଇ ଆଣିଥିଲେ। ଏବେ ଲଗାତାର ପଦକ ଜିତିବାର ଗୌରବ ତାଙ୍କ ନାମରେ ରହିଲା। ମୁଁ ମୋ ଜୀବନର ଶେଷ ରେସ୍‌ରେ ଥିବାଭଳି ପ୍ରତିଦ୍ୱନ୍ଦ୍ୱିତା କରିଥିଲି ବୋଲି କହିଥିଲେ ଦୁଶ୍ୟନ୍ତ। ସେହିଭଳି ଭଗବାନ ସିଂହ ଏବଂ ରୋହିତ କୁମାର ଲାଇଟ୍‌େଓ୍ଵଟ୍‌ ଡବଲ୍‌ ସ୍କଲ୍ସରେ କାଂସ୍ୟ ପଦକ ହାସଲ କରି ନେଇଥିଲେ। ଟ୍ରକ୍‌ ଡ୍ରାଇଭର୍‌ର ପୁଅ ଭଗବାନ ଆର୍ଥିକ ଅନଟନ କାରଣରୁ ସାମ୍ବାଦିକତାର ଦ୍ୱିତୀୟ ବର୍ଷ ଛାତ୍ର ଥିବାବେଳେ ପାଠପଢ଼ା ଛାଡ଼ି ଭାରତୀୟ ସେନାରେ ଯୋଗ ଦେଇଥିଲେ।

ସ୍କ୍ଵାସ୍‌ରୁ ୩ ପଦକ ପକ୍କା
ଏସୀୟ କ୍ରୀଡ଼ାର ସ୍କ୍ଵାସ୍‌ ପ୍ରତିଯୋଗିତାରୁ ଭାରତର ୩ ପଦକ ପକ୍କା ହୋଇଛି। ପୁରୁଷ ଏକକରେ ସୌରଭ ଘୋସାଲ, ମହିଳା ଏକକରେ ଦୀପିକା ପାଲିକଲ ଓ ଜୋତ୍ସ୍ନା ଚିନାପ୍ପା ସେମିଫାଇନାଲ୍‌ରେ ପ୍ରବେଶ କରି ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର କ୍ୱାର୍ଟର୍‌ ଫାଇନାଲ୍‌ରେ ସୌରଭ ସାଥୀ ପ୍ରତିଦ୍ୱନ୍ଦ୍ୱୀ ହରିନ୍ଦର ପାଲ୍‌ ସିଂହ ସାନ୍ଧୁଙ୍କୁ ୩-୧ରେ ହରାଇଥିଲେ। ସେହିଭଳି ଦୀପିକା ୩-୦ରେ ଜାପାନ୍‌ର ମିସାକି କୋବାୟାସିଙ୍କୁ ଏବଂ ଜୋତ୍ସ୍ନା ୩-୧ରେ ହଂକଂର ଲିଙ୍ଗ୍‌ ହୋ ଚାନ୍‌ଙ୍କୁ ପରାସ୍ତ କରିଥିଲେ। ଶନିବାର ସେମିଫାଇନାଲ୍‌ରେ ସୌରଭ ହଂକଂର ମିଙ୍ଗ୍‌ ଚୁନ୍‌ଙ୍କୁ ଏବଂ ଦୀପିକା ଓ ଜୋତ୍ସ୍ନା ଯଥାକ୍ରମେ ମାଲେସିଆର ନିକୋଲାନ୍‌ ଡେଭିଡ ଓ ଶିବାସାଙ୍ଗାରି ସୁବ୍ରମନିୟମଙ୍କୁ ଭେଟିବେ।

ବ୍ୟାଡ୍‌ମିଣ୍ଟନ କ୍ୱାର୍ଟର୍‌ରେ ଅଶ୍ୱିନୀ-ସିକ୍କି
ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ମହିଳା ଯୁଗଳ ବ୍ୟାଡ୍‌ମିଣ୍ଟନ୍‌ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରି ପଦକ ଦୌଡ଼ରେ ଆଗକୁ ବଢ଼ିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ଏବଂ ଏଚ୍‌ଏସ୍‌ ପ୍ରଣୟ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇ ନିରାଶ କରିଛନ୍ତି। ଶୁକ୍ରବାର ଲଢ଼େଇରେ ଅଶ୍ୱିନୀ-ସିକ୍କି ୨୧-୧୭, ୧୬-୨୧, ୨୧-୧୯ରେ ମାଲେସିଆର ଏମ୍‌କେ ଚୋ-ଏମ୍‌ଓ୍ଵାଇ ଲି’ଙ୍କୁ ମାତ୍‌ ଦେଇଥିଲେ। ପୁରୁଷ ଏକକରେ ଶ୍ରୀକାନ୍ତ ୨୩-୨୧, ୧୯-୨୧ରେ ହଂକଂର ଭିନ୍‌ସେଣ୍ଟ୍‌ ଓ୍ଵଙ୍ଗ୍‌ଙ୍କଠୁ ଏବଂ ପ୍ରଣୟ ୧୨-୨୧, ୨୧-୧୫, ୧୫-୨୧ରେ ଥାଇଲାଣ୍ଡ୍‌ର କାନ୍ତାଫୋନ ଓ୍ଵାଙ୍ଗଚାରୋଏନ୍‌ଙ୍କଠୁ ହାରି ଯାଇଥିଲେ।

ମୁଷ୍ଟିଯୁଦ୍ଧ ପ୍ରି-କ୍ୱାର୍ଟର୍‌ରେ ମନୋଜ
ଚଳିତ ଏସୀୟ କ୍ରୀଡ଼ା ମୁଷ୍ଟିଯୁଦ୍ଧ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଭାରତୀୟ ତାରକା ମନୋଜ କୁମାର ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ୬୯ କିଲୋଗ୍ରାମ େଓ୍ଵଲ୍‌ଟର୍‌ ମୁକାବିଲାରେ ମନୋଜ ୫-୦ରେ ଭୁଟାନ୍‌ ଯୋଦ୍ଧା ସାଙ୍ଗେ ଓ୍ଵାଙ୍ଗଦିଙ୍କୁ ଧରାଶାୟୀ କରିଥିଲେ। ତେବେ ପୁରୁଷ ଫ୍ଲାଏ ୫୨ କିଲୋଗ୍ରାମ୍‌ ବର୍ଗରେ ଗୌରଭ ସୋଲାଙ୍କି ୦-୫ରେ ଜପାନ୍‌ର ରୋମି ତାନାକାଙ୍କଠୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର