ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ହେଡ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ୪୬୭

ମେଲବର୍ନ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ପାଳିରେ ୪୬୭ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରି ନ‌େଇଛି। ଜବାବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ଦଳ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୪୪ ରନ୍ କରିଛି।

ଶୁକ୍ରବାର ଅଷ୍ଟ୍ରେଲିଆ ୨୫୭/୪ରୁ‌ ଖେଳିଥିଲା। ଷ୍ଟିଭେନ୍‌ ସ୍ମିଥ୍‌ (୮୫, ୨୪୨ ବଲ୍‌, ୮ ଚୌକା, ୧ ଛକା) ସକାଳେ ୫୦ ବଲ୍‌ ଖେଳି ମାତ୍ର ୮ ରନ୍‌ ଯୋଡ଼ି ପାରିଥିଲେ। ନିଲ୍‌ ୱାଗ୍‌ନର୍‌ଙ୍କ ଶିକାର ହୋଇ ଶତକରୁ ବଞ୍ଚିତ ରହିଥିଲେ। ଏହା ପରେ ଟ୍ରାଭିସ୍ ହେଡ୍‌ (୧୧୪, ୨୩୪ ବଲ୍‌, ୧୨‌ ଚୌକା) ଏବଂ ଅଧିନାୟକ ୱିକେଟ୍‌ରକ୍ଷକ ଟିମ୍ ପେନ୍‌ (୭୯, ୧୩୮ ବଲ୍‌, ୯ ଚୌକା) ଷଷ୍ଠ ୱିକେଟ୍ ପାଇଁ ୧୫୦ ରନ୍‌ ଯୋଡ଼ିଥିଲେ। ଚା’ପାନ୍‌ ବିରତି ପରେ କିନ୍ତୁ ଅଷ୍ଟ୍ରେଲିଆ ମାତ୍ର ୩୩ ରନ୍‌ ଭିତରେ ଶେଷ ୫ ୱିକେଟ୍ ହରାଇ ଦେବାରୁ ସମ୍ଭାବ୍ୟ ୫୦୦ ସୀମା ଅତିକ୍ରମ କରିପାରି ନଥିଲା। ଅଧିନାୟକ ଭାବେ ଟିମ୍ ପେନ୍‌ ନିଜ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ୍ ସ୍କୋର୍‌ କରିଥିଲେ। ଟ୍ରାଭିସ୍ ହେଡ୍‌ ନିଜ ଖେଳ ଜୀବନର ଦ୍ବିତୀୟ ଟେଷ୍ଟ୍ ଶତକ ହାସଲ କରିଥିଲେ। ହେଡ୍‌ଙ୍କୁ ୱାଗନର୍‌ ନିଜ ଚତୁର୍ଥ ଶିକାର କରିଥିଲେ। ଶେଷ ୪ଟିରୁ ଟିମ୍ ସାଉଦି ୩ ୱିକେଟ୍‌ ନେଇ ସର୍ବାଧିକ ରନ୍‌ ବ୍ୟୟ (୩୩.୧-୬-୧୦୩-୩) ଦୁଃଖକୁ ପଛରେ ପକାଇଥିଲେ।

ଜବାବରେ ନ୍ୟୁଜିଲାଣ୍ଡ୍‌ ଏହାର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଟମ୍ ବ୍ଲଣ୍ଡେଲ୍‌ (୧୫)ଙ୍କୁ ସଅଳ ହରାଇଥିଲା। ଅଧିନାୟକ କେନ୍ ୱିଲିୟମସନ୍‌ (୯) ମଧ୍ୟ ଅଧିକ ସମୟ ରହିନଥିଲେ। ପ୍ୟାଟ୍ କମିନ୍ସ ଓ ଜେମ୍ସ ପାଟିନ୍‌ସନ୍‌ ଉଭୟଙ୍କୁ ୱିକେଟ ପଛପଟେ ଟିମ୍ ପେନ୍‌ଙ୍କ ଗ୍ଳୋଭ୍‌ସରେ କ୍ୟାଚ୍‌ କରାଇ ନେଇଥିଲେ। ଖେଳ ବନ୍ଦ ବେଳକୁ ଟମ୍ ଲଥାମ୍ (୯*) ଏବଂ ରସ୍ ଟେଲର୍‌ (୨*) ବ୍ୟାଟିଂ କରୁଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୫୫.୧ ଓଭରରେ ୪୬୭ (ଟ୍ରାଭିସ୍ ହେଡ୍‌-୧୧୪, ଷ୍ଟିଭେନ୍ ସ୍ମିଥ୍‌-୮୫, ଟିମ୍ ପେନ୍‌-୭୯, ମାର୍ନସ ଲବୁସାନ୍‌-୬୩, ନିଲ୍ ୱାଗନର୍‌-୪/୮୩, ଟିମ୍ ସାଉଦି-୩/୧୦୩, କଲିନ୍ ଗ୍ରାଣ୍ଡହୋମ୍‌-୨/୬୮, ଟ୍ରେଣ୍ଟ୍ ବୋଲ୍‌ଟ-୧/୯୧)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୧୮ ଓଭରରେ ୪୪/୨ (ଟମ୍ ବ୍ଲଣ୍ଡେଲ୍‌-୧୫, ଟମ୍ ଲଥାମ୍‌-୯*, ରସ୍ ଟେଲର୍‌-୨*, ପ୍ୟାଟ୍ କମିନ୍ସ-୧/୮, ଜେମ୍କ ପାଟିନ୍‌ସନ୍‌-୧/୯)।

ସମ୍ବନ୍ଧିତ ଖବର