ହର୍ନାଣ୍ଡେଜ୍‌ଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର : ସ୍ପେନ୍‌ର ଆକ୍ରମଣାତ୍ମକ ମିଡ୍‌ଫିଲ୍‌ଡର ଜାଭି ହର୍ନାଣ୍ଡେଜ୍‌ଙ୍କ ସହ ଓଡ଼ିଶା ଏଫ୍‌ସି ଚୁକ୍ତି କରିଛି। ହିରୋ ଆଇଏସ୍‌ଏଲ୍‌ (ଇଣ୍ଡିଆନ୍‌ ସୁପର ଲିଗ୍‌)ର ଆଗାମୀ ଅଷ୍ଟମ ସଂସ୍କରଣ ପାଇଁ ଜାଭି ଆମ ସହ ଯୋଡ଼ିହେଲେ ବୋଲି ଶୁକ୍ରବାର ଓଡ଼ିଶା ଏଫ୍‌ସି ଘୋଷଣା କରିଛି। ନିଜର ଯୁବ କ୍ୟାରିୟରରେ ସିଡିଏଫ୍‌ ପିଜାରେଲ, ସାଲାମାନ୍‌କା ଓ ରିଅଲ୍‌ ମାଦ୍ରିଦ୍‌ ପକ୍ଷରୁ ଖେଳିଥିବା ଜାଭି ରିଅଲ୍‌ ମାଦ୍ରିଦ୍‌ ‘ବି’ ପକ୍ଷରୁ ଖେଳି ସିନିଅର୍‌ ପଦାର୍ପଣ କରିଥିଲେ। ବିଭିନ୍ନ ସ୍ପାନିସ୍‌ କ୍ଲବ୍‌ ପାଇଁ ଖେଳିବା ପରେ ୩୨ ବୟସ୍କ ଜାଭି ରୋମାନିଆ ପେସାଦାର କ୍ଲବ୍‌ ଏସିଏସ୍‌ ପୋଲି ତିମିସୋରାରେ ଯୋଗ ଦେଇଥିଲେ। ୨୦୧୯ରେ ଏଟିକେ ପାଇଁ ଚୁକ୍ତିବଦ୍ଧ ହେବା ପୂର୍ବରୁ ସେ ମଧ୍ୟ ପୋଲାଣ୍ଡ୍‌ ଓ ଆଜରବୈଜାନ୍‌ରେ ପେସାଦାର ଫୁଟ୍‌ବଲ୍‌ ଖେଳିଥିଲେ। ସେହିବର୍ଷ କୋଲ୍‌କାତା ଦଳ ଏଟିକେ ଟ୍ରଫି ଜିତିବା ପରେ ନବଗଠିତ ଏଟିକେ ମୋହନବାଗାନ ତାଙ୍କୁ ୨୦୨୦ରେ ବି ନିଜ ସହ ରଖିଥିଲା। ଆଇଏସ୍‌ଏଲ୍‌ରେ ଜାଭି ୩୭ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ୨୦୧୯-୨୦ ଋତୁରେ ଫାଇନାଲ୍‌ରେ ଚେନ୍ନାୟିନ୍‌ ଏଫ୍‌ସି ବିପକ୍ଷରେ ୨ ଗୋଲ୍‌ କରିଥିଲେ।

ଜାଭିଙ୍କ ସାମିଲ ପରେ ଓଏଫ୍‌ସି ମୁଖ୍ୟ ପ୍ରଶିକ୍ଷକ କିକୋ ରାମିରେଜ୍‌ ତାଙ୍କୁ ଜଣେ ମହାନ୍‌ ଖେଳାଳି ବୋଲି କହିଛନ୍ତି। ଆମ ପାଇଁ ମିଡ୍‌ଫିଲ୍‌ଡରେ ସେ ବେଶ୍‌ ସହାୟକ ହେବେ ଏବଂ ଦଳୀୟ ସନ୍ତୁଳନ ରକ୍ଷା ହୋଇପାରିବ ବୋଲି କହିଛନ୍ତି କିକୋ। ଫୁଟ୍‌ବଲ୍‌ର ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ଖେଳିବାରେ ଜାଭି ଜଣେ ଚମତ୍କାର ଖେଳାଳି। ଅନ୍ୟପକ୍ଷରେ ଜାଭି ମଧ୍ୟ ଓଡ଼ିଶା ଏଫ୍‌ସିରେ ଯୋଡ଼ି ହୋଇଥିବାରୁ ଉତ୍ସାହିତ ବୋଲି କହିଛନ୍ତି। ଦଳୀୟ ସାଥୀମାନଙ୍କୁ ଭେଟିବା ପାଇଁ ବ୍ୟାକୁଳ ଏବଂ ଭାରତରେ ଖେଳିବା ଜାରି ରଖିବା ମୋ ପାଇଁ ଖୁସୀର କଥା ବୋଲି କହିଛନ୍ତି ଜାଭି। ଦଳ ମୋ ଉପରେ ରଖିଥିବା ଭରସାକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିବା ସହ ପ୍ରଶଂସକଙ୍କୁ ଗର୍ବିତ କରିବି ବୋଲି ଜାଭି କହିଛନ୍ତି। ଓଏଫ୍‌ସି କ୍ଲବ୍‌ ସଭାପତି ରାଜ ଅଥୱାଲ ମଧ୍ୟ ଜାଭିଙ୍କ ସହ ଚୁକ୍ତିକୁ ନେଇ ଉତ୍ସାହିତ ଅଛନ୍ତି। ସେ ଜାଭିଙ୍କୁ ଓଡ଼ିଶା ଏଫ୍‌ସି ପରିବାରକୁ ସ୍ବାଗତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର