ବାଂଲାଦେଶକୁ ଐତିହାସିକ ଦିନିକିଆ ଟ୍ରଫି

ଡବଲିନ୍‌: ବିଶ୍ବକପ୍‌ ପୂର୍ବରୁ ଏକ ଜବରଦସ୍ତ ମନସ୍ତାତ୍ତ୍ବିକ ବିଜୟ ହାସଲ କରିଛି ବାଂଲାଦେଶ। ଶୁକ୍ରବାର ବର୍ଷାବାଧାପ୍ରାପ୍ତ ତ୍ରିରାଷ୍ଟ୍ରୀୟ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ (ଡିଏଲ୍‌)ରେ ପରାସ୍ତ କରି ବାଂଲାଦେଶ ଟ୍ରଫି ଜିତି ନେଇଛି। ଏଥି ସହିତ ପ୍ରଥମ ଥର ପାଇଁ ବାଂଲାଦେଶ ଏକ ଦିନିକିଆ ପ୍ରତିଯୋଗିତାରେ ମୁକୁଟ ହାସଲ କରିବାର ଗୌରବ ମଧ୍ୟ ଅର୍ଜନ କରିଛି।
ଶୁକ୍ରବାର ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ୨୪ ଓଭରରେ ୧ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ସାଇ ହୋପ୍ (୭୪, ୬୪ ବଲ୍‌, ୬‌ ଚୌକା, ୩ ଛକା) ଏବଂ ସୁନୀଲ ଅମ୍ବ୍ରିସ୍‌ (୬୯*, ୭୮ ବଲ୍, ୭ ଚୌକା) ଚମତ୍କାର ଅର୍ଧଶତକ ହାସଲ କରିଥିଲେ। ଏହା ପରେ ବର୍ଷା ହେବାରୁ ମ୍ୟାଚ୍‌ ବହୁ ସମୟ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ବାଂଲାଦେଶ ସମ୍ମୁଖରେ ୨୪ ଓଭରରେ ୨୧୦ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବାଂଲାଦେଶ ୨୨.୫ ଓଭରରେ ୫ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ‌ କରି ନେଇଥିଲା। ସୌମ୍ୟ ସରକାର (୬୬, ୪୧ ବଲ୍‌, ୯ ଚୌକା, ୩ ଛକା), ମୁସଫିକର ରହିମ୍ (୩୬, ୨୨ ବଲ୍, ୨ ଚୌକା, ୨ ଛକା) ଭଲ ବ୍ୟାଟିଂ କରିବା ପରେ ମୋସାଦେକ୍‌ ହୋସେନ୍ (୫୨*, ୨୪ ବଲ୍‌, ୨ ଚୌକା, ୫ ଛକା) ଏବଂ ମହମ୍ମଦୁଲ୍ଲା (୧୯*, ୨୧ ବଲ୍‌) ଦଳକୁ ୭ ବଲ୍‌ ପୂର୍ବରୁ ଐତିହାସିକ ବିଜୟ ପ୍ରଦାନ କରିଥିଲେ। ମୋସାଦେକ ମାତ୍ର ୨୦ ବଲରୁ ଅର୍ଧଶତକ ହାସଲ କରି ବାଂଲାଦେଶ ପାଇଁ କୀର୍ତିମାନ ପ୍ରତିଷ୍ଠା କରିଥିଲେ।

ସମ୍ବନ୍ଧିତ ଖବର