ହକିରେ ଖୋର୍ଧାକୁ ଦ୍ୱିମୁକୁଟ

ରାଜ୍ୟ ଜନଜାତି କ୍ରୀଡ଼ା

ଭୁବନେଶ୍ୱର: ରାଜ୍ୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାର ହକିରେ ଖୋର୍ଧା ବରିଷ୍ଠ ବାଳକ ଓ ବାଳିକା ଦଳ ବିଜେତା ହୋଇଛନ୍ତି। ଖୋର୍ଧା ଦଳ ଗୁରୁବାର କିଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଉଭୟ ବାଳକ ଓ ବାଳିକା ଫାଇନାଲ୍‌ରେ ଯଥାକ୍ରମେ ୩-୨ ଓ ୭-୦ ଗୋଲ୍‌ରେ ସୁନ୍ଦରଗଡ଼କୁ ହରାଇ ବିଜେତା ହୋଇଥିଲା। ତେବେ କନିଷ୍ଠ ବାଳକରେ ଦେଓଗଡ଼ ୩-୧ରେ ସମ୍ବଲପୁରକୁ ଏବଂ ବାଳିକାରେ ସୁନ୍ଦରଗଡ଼ ୩-୦ରେ ସମ୍ବଲପୁରକୁ ପରାସ୍ତ କରି ବିଜେତା ହୋଇଥିଲା। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ ଫାଇନାଲ୍‌, ଉଚ୍ଚ ଡିଆଁ, ଜାଭେଲିନ୍‌, ଲମ୍ବ ଡିଆଁ ଏବଂ ୪୦୦ ମିଟର ଦୌଡ଼ର ହିଟ୍‌ ଅନୁଷ୍ଠିତ ହୋଇଥିଲା। ଉଚ୍ଚ ଡିଆଁ ଉପ କନିଷ୍ଠ ବାଳକରେ ନବରଙ୍ଗପୁରର ଲକ୍ଷ୍ମଣ ମାଝୀ ପ୍ରଥମ, କଳାହାଣ୍ଡିର କୃଷ୍ଣ ମାଝୀ ଦ୍ୱିତୀୟ ଓ ଭଦ୍ରକର ଦୁର୍ଯ୍ୟୋଧନ ବିର୍ନା ତୃତୀୟ ଏବଂ ବାଳିକାରେ ନବରଙ୍ଗପୁରର ସାରା ସାମତ ପ୍ରଥମ, ମୟୂରଭଞ୍ଜର ସିଙ୍ଗୋ ସୋରେନ ଦ୍ୱିତୀୟ ଓ ସମ୍ବଲପୁରର ଦୀପା କିଷନ ତୃତୀୟ ହୋଇଥିଲେ। ଲମ୍ବ ଡିଆଁ ବରିଷ୍ଠ ବାଳକରେ ଭଦ୍ରକର ଚନ୍ଦନ ଶେଖର, ବରଗଡ଼ ତିକେଶ୍ୱର ଭୁଏ, ଝାରସୁଗୁଡ଼ାର ରାଜୁ ମଲ୍ଲିକ ଏବଂ ବାଳିକାରେ କେନ୍ଦୁଝରର ପୁଷ୍ପଲତା ନାଏକ, ନବରଙ୍ଗପୁରର କାଞ୍ଚନ ସନ୍ତ ଓ ଖୋର୍ଧାର ରୋଜା ମଲ୍ଲିକ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କନିଷ୍ଠ ଲମ୍ବ ଡିଅାଁରେ କେନ୍ଦୁଝରର ସୁନିତା ଦାସ ପ୍ରଥମ, ରୂପାଲି ତିର୍କି ଦ୍ୱିତୀୟ ଏବଂ ମୟୂରଭଞ୍ଜର ରାଜମଣୀ ହାଂସ୍‌ଦା ତୃତୀୟ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର