ଓଡ଼ିଶା ଭାରତୀୟ ହକିର ସୁରକ୍ଷିତ ଘର: ଧନରାଜ ପିଲ୍ଲେ

ବେଙ୍ଗାଲୁରୁ ସେଣ୍ଟ୍ରାଲ ଓ ବେଙ୍ଗାଲୁରୁ ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିବା ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ ସହ ‌ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି)ର ହକି ପର୍ଯ୍ୟାୟ ଶେଷ ହୋଇଛି। ଏହା ମଧ୍ୟ ବେଙ୍ଗାଲୁରୁରେ ହକିର ଲୋକପ୍ରିୟତାକୁ ଦର୍ଶାଉଛି। ବିଭିନ୍ନ ଜାତୀୟ ସ୍ତରୀୟ ହକି ପ୍ରତିଯୋଗିତା ସହ ବେଙ୍ଗାଲୁରୁ ଲିଗ୍ ଓ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗି ହକି ଏଠାରେ ସମ୍ଭବତଃ ସମସ୍ତଙ୍କ ପ୍ରିୟ ଖେଳ। କର୍ଣ୍ଣାଟକ ମଧ୍ୟ ବିଗତ ଦଶନ୍ଧିରେ ଜାତୀୟ ଦଳକୁ ଅନେକ ପ୍ରତିଭାବାନ ଖେଳାଳି ଦେଇଛି। ବେଙ୍ଗାଲୁରୁ ଲିଗ୍‌ରେ ଅନେକ ଅନ୍ତର୍ଜାତୀୟ ଖେଳାଳି ଓ ଅଲିମ୍ପିଅନ୍ ଅଂଶଗ୍ରହଣ କରନ୍ତି। ଏଥିରେ ଖେଳି ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିବା ପ୍ରସିଦ୍ଧ ଓ ଲୋକପ୍ରିୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଜୁଡ୍ ଫେଲିକ୍ସ, ଆଶିଷ ବଲାଲ, ଏବି ସୁବୟା, ଲେନ୍ ଆୟପ୍ପା, ଅର୍ଜୁନ ହଲପ୍ପା, ସବୁ ଭର୍କେ, ଅନିଲ ଆଲଡ୍ରିନ, ସନ୍ଦୀପ ସୋମେଶ, ଭିଏସ୍ ବିନୟ ପ୍ରମୁଖ।

ଏଥର କେଆଇୟୁଜି ପୁରୁଷ ହକି ଫାଇନାଲ୍‌କୁ ଆସିବା। ଏହି ମ୍ୟାଚ୍‌ରେ ଉଭୟ ଦଳ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ପେନାଲ୍ଟି ସୁଟ୍‌ଆଉଟ୍‌ରେ ଅବଶ୍ୟ ବେଙ୍ଗାଲୁରୁ ସେଣ୍ଟ୍ରାଲ ବାଜି ମାରି ନେଇଥିଲା। ଘରୋଇ ପଡ଼ିଆରେ ଖେଳୁଥିଲା ବେଳେ ଏହି ଦୁଇ ଦଳ ପରସ୍ପରର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ଭୁବନେଶ୍ବରରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା। ହକିର ଅନ୍ତୁଡ଼ିଶାଳ ଓଡ଼ିଶାରେ ଖେଳୁଥିଲା ବେଳେ ସବୁ ଖେଳାଳି ପ୍ରଶଂସକଙ୍କଠାରୁ ସମର୍ଥନ ଓ ଭଲ ପାଇବା ପାଇଥାଆନ୍ତି। ‌ସେଠାରେ ଖେଳିବାର ଅଭିଜ୍ଞତା ନିଶ୍ଚିତ ଭାବେ ନିଆରା ଓ ସ୍ବତନ୍ତ୍ର। ପ୍ରତିଭା ଚିହ୍ନଟ ପାଇଁ ଦୁଇ ଅଲିମ୍ପିଆନ୍ ଦେବେଶ ଚୌହ୍ବାନ ଓ ଦୀପକ ଠାକୁର ଉପସ୍ଥିତ ରହିବା ମଧ୍ୟ ଖେଳାଳିମାନଙ୍କୁ ନିଜ ନିଜର ‌ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଅତିରିକ୍ତ ଉତ୍ସାହ ପ୍ରଦାନ କରିଥିବ। ବେଙ୍ଗାଲୁରୁ ସେଣ୍ଟ୍ରାଲ ବିଶ୍ବବିଦ୍ୟାଳୟ ନିର୍ଧାରିତ ସମୟରେ ଜିତି ପାରିଥାଆନ୍ତା। ହେଲେ ବେଙ୍ଗାଲୁରୁ ବିଶ୍ବବିଦ୍ୟାଳୟ ପାରୁପର୍ଯ୍ୟନ୍ତ ଲଢ଼ି ମ୍ୟାଚ୍‌କୁ ପେନାଲ୍ଟି ସୁଟ୍‌ଆଉଟ୍‌କୁ ନେଇ ଯାଇଥିଲା। ଏହି ଦଳର ଅଧିନାୟକ ରାହିଲ ମହମ୍ମଦ କନିଷ୍ଠ ସ୍ତରର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି। ହରେଶ ସୋମାପା, ସିଏସ୍ ଶମନାଥ, ୟାତିଶ କୁମାର ଓ ଏସି ସୁବ୍ରମଣିଙ୍କ ଭଳି ଖେଳାଳି ପ୍ରଭାବୀ ପ୍ରଦର୍ଶନ କଲେ। ଆଇଟିଏମ୍ ବିଶ୍ବବିଦ୍ୟାଳୟ (ଗ୍ବାଲିୟର) ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିବା ଫାଇନାଲରେ କିନ୍ତୁ ଆଇଟିଏମ୍ ସହଜ ବିଜୟ ହାସଲ କରିଥିଲା। ଭାରତୀୟ ହକି ଓଡ଼ିଶା ରୂପରେ ଏକ ସୁରକ୍ଷିତ ଘର ପାଇଛି। କ୍ରୀଡ଼ା ପ୍ରସାର ଓ ଏଥିନେଇ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଆଦର୍ଶ ପାଲଟିଛି। କେଆଇୟୁଜି ଓଡ଼ିଶାର ସଫଳତା ମୁକୁଟରେ ଆଉ ଏକ ମଣି ସଦୃଶ। ମୁଁ ସବୁ ଅବିଭାବକଙ୍କୁ ବିନମ୍ର ଅନୁରୋଧ କରୁଛି, ସେମାନେ ଖେଳପ୍ରିୟ ପିଲାମାନଙ୍କୁ ପ୍ରୋତ୍ସା‌ହନ ଓ ସମର୍ଥନ ଦିଅନ୍ତୁ। କିଏ ଜାଣିଛି, ଭବିଷ୍ୟତରେ ଆପଣଙ୍କ ଘରୁ ହୁଏତ ଜଣେ ସଫଳ ତାରକା ବାହାରିପାରେ।

ସମ୍ବନ୍ଧିତ ଖବର