ଫିକା ପଡିପାରେ ହକି ଫାଇନାଲ!

ଉଦ୍‌ଯାପନୀ ଉତ୍ସବରେ ଦେଖିବାକୁ ମିଳି ନପାରନ୍ତି ବଲିଉଡ୍ କିମ୍ବା କ୍ରିକେଟ୍ ତାରକା

ଭୁବନେଶ୍ବର: ଫିକା ପଡ଼ିପାରେ ହକି ବିଶ୍ୱକପ୍‌ ଉଦ୍‌ଯାପନୀ ଉତ୍ସବ। କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବନି ଷ୍ଟାର କ୍ରେଜ୍‌। ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ୍‌ ଫାଇନାଲ୍‌ର ଉଦଯାପନୀ ଉତ୍ସବରେ କୌଣସି ବଲିଉଡ ଷ୍ଟାର କିମ୍ବା କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିବ ନାହିଁ। ଏପରିକି ଷ୍ଟାଡିୟମରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ ବୋଲି ସୂଚନା ମିଳିଛି। ବଲିଉଡ ଷ୍ଟାର୍‌ କିମ୍ବା କ୍ରିକେଟର୍‌ଙ୍କୁ ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଦ୍‌ଯାପନୀ ଉତ୍ସବର ଅତିଥି ଭାବେ ଦେଖିବାକୁ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱକପ୍‌ ହକିର ଉଦ୍‌ଯାପନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ବଲିଉଡ ତାରକାଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଥିଲା। ଉଦ୍‌ଯାପନୀ ଉତ୍ସବ ଏମିତି ହେବ ଯେ ପୂର୍ବରୁ ମଧ୍ୟ ଏଭଳି କେହି ଦେଖିନଥିବେ। ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ, କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ସାହିଦ କପୁର, ଅମିର ଖାନ୍, ରାହୁଲ ଦ୍ରାବିଡଙ୍କ ଭଳି ବଡ଼ ବଡ଼ ତାରକା ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖି ଏମାନଙ୍କୁ ଅନୁରୋଧ କରାଯାଇଥିବା କିଛି ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ବଡ଼ ବଡ଼ ନାମିଦାମୀ ଷ୍ଟାରଙ୍କୁ ପାଖରେ ଦେଖିବାର ସୁଯୋଗ ମିଳିବ ବୋଲି ଆଶା ବାନ୍ଧି ବସିଥିଲେ ଦର୍ଶକ। ଖାସ୍ ଏଥିପାଇଁ ଫାଇନାଲ୍‌ ମ୍ୟାଚ୍‌ର ଟିକେଟ୍‌ ମଧ୍ୟ ବିକ୍ରି ଆରମ୍ଭରୁ ଶେଷ ହୋଇଯାଇଥିଲା। ଏତେ ବଡ଼ ବଡ଼ ତାରକାମାନଙ୍କୁ ପାଖରୁ ଦେଖିବା ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଥିଲା। କିନ୍ତୁ ଉଦ୍‌ଯାପନୀ ଉତ୍ସବରେ କୌଣସି ବଡ଼ ତାରକା ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିବା ପରେ ପ୍ରଶଂସକଙ୍କ ଉତ୍ସାହ ଫିକା ପଡ଼ିଯିବା ଆଶଙ୍କା ଉପୁଜିଛି।

ସମ୍ବନ୍ଧିତ ଖବର