ହାଇଦ୍ରାବାଦ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ୱିତୀୟ

ଭୁବନେଶ୍ୱର: ବୟସ ଯେ କେବଳ ଏକ ସଂଖ୍ୟା ଏହାକୁ ପ୍ରମାଣିତ କରିଛନ୍ତି ରାଜ୍ୟର ଆଉ ଜଣେ ଅନାଲୋଚିତ ଭେଟେରାନ ମାରାଥନର୍‌। ୬୯ ବର୍ଷୀୟ ଦୁଃଖୀଶ୍ୟାମ ପାଢ଼ୀ ସମ୍ପ୍ରତି ହାଇଦ୍ରାବାଦ ହାଫ୍‌ ମାରାଥନ୍‌ରେ ଦ୍ୱିତୀୟ ସ୍ଥାନ ଦଖଲ କରିବା ପରେ ଏହି କଥା ପଦାକୁ ଆସିଛି। ଗତ ଅଗଷ୍ଟ ୨୬ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ଏୟାରଟେଲ୍‌ ମାରାଥନ୍‌ର ହାଫ୍‌ ମାରାଥନ୍‌ ବର୍ଗରେ ଭାଗ ନେଇଥିବା ଶ୍ରୀ ପାଢ଼ୀ ସୁପର ଭେଟେରାନ୍‌ (୬୫ ବର୍ଷରୁ ଊର୍ଧ୍ୱ) ବର୍ଗରେ ଦ୍ୱିତୀୟ ସ୍ଥାନରେ ରହି ପଦକ, ଟ୍ରଫି ଓ ପ୍ରମାଣପତ୍ର ପାଇଛନ୍ତି। ମୋଟ ୨୨,୦୦୦ ରୁ ଉର୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ଏହି ପ୍ରତିଯୋଗିତାର ହାଫ୍‌ ମାରାଥନ୍‌ ବର୍ଗରେ ଦୁଃଖୀଶ୍ୟାମ ୨୧.୧୦୦ କିଲୋମିଟର୍‌ ଦୂରତାକୁ ୨ ଘଣ୍ଟା ୧୮ ମିନିଟ୍‌ ଓ ୭ ସେକେଣ୍ଡ୍‌ରେ ଶେଷ କରିଥିଲେ। ଗତବର୍ଷ ମଧ୍ୟ ଦୁଃଖୀଶ୍ୟାମ ହାଇଦ୍ରାବାଦରେ ଦ୍ୱିତୀୟ ଏବଂ ୨୦୧୬ରେ ପ୍ରଥମ ସ୍ଥାନ ଦଖଲ କରିଥିଲେ ଏହି ବର୍ଗରେ। ଫଳରେ ଲଗାତାର ତୃତୀୟ ବର୍ଷ ପାଇଁ ପଦକ ଜିତିବାର ଗୌରବ ପାଇଛନ୍ତି ଏହି ବ୍ରହ୍ମପୁର ହିଞ୍ଜିଳି ମୂଳଅଧିବାସୀ। ଚଳିତ ବର୍ଷ ପ୍ରାରମ୍ଭରେ ଟାଟା ମୁମ୍ବାଇ ମାରାଥନ୍‌ରେ ଫୁଲ୍‌ ମାରାଥନ୍‌ରେ ୪୨.୨୦୦ ମିଟର୍‌ ଦୂରତାକୁ ୪ ଘଣ୍ଟା ୩୮ ମିନିଟ୍‌ ୧୧ ସେକେଣ୍ଡ୍‌ରେ ଅତିକ୍ରମ କରି ଉଲ୍ଲେଖନୀୟ ଭାବେ ସପ୍ତମ ସ୍ଥାନରେ ରହି ମଧ୍ୟ ପଦକ ଓ ପ୍ରମାଣପତ୍ର ପାଇଥିଲେ। ମାତ୍ର ୨ ବର୍ଷ ତଳେ ପେସାଦାର ମାରାଥନ୍‌ ଦୌଡ଼ରେ ପଦାର୍ପଣ କରିଥିବା ଦୁଃଖୀଶ୍ୟାମ ଦେଶର ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ମାନର (ଏଆଇଏମ୍‌ଏସ, ଏଏଫ୍‌ଆଇ ଏବଂ ଆଇଏଏଏଫ୍‌) ମୋଟ ୨୬ ମାରାଥନ୍‌ ପ୍ରତିଯୋଗିତାରେ ଭାଗନେବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ଏହା ମଧ୍ୟରେ ୨ଟି ଫୁଲ୍‌ ମାରାଥନ୍‌, ୨୦ଟି ହାଫ୍‌ ମାରାଥନ୍‌, ୨ଟି ୨୫ କିଲୋମିଟର୍‌ ବିଶିଷ୍ଟ, ୨ଟି ୧୦ କିଲୋମିଟର୍‌ ବିଶିଷ୍ଟ ମାରାଥନ୍‌ ସାମିଲ ରହିଛ। ଏହି ସବୁ ଭୁବନେଶ୍ୱର, କୋଲକାତା ସହିତ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି, ଭଦୋଦରା, ଗୋଆ ଅନୁଷ୍ଠିତ ହୋଇଛି। ନିଜ ବୟସ ବର୍ଗରେ ନିୟମିତ ଉଚ୍ଚସ୍ଥାନ ଦଖଲ କରିଛନ୍ତି। ୨୦୧୬ ମସିହାର ଭୁବନେଶ୍ୱର ଟାଟା ଷ୍ଟିଲ୍‌ ହାଫ୍‌ ମାରାଥନରୁ ଅଭିଯାନ ଆରମ୍ଭ କରି ଏବେ ଅନେକ ବାଟ ଆଗେଇଛନ୍ତି। ରାଜ୍ୟର ଆଗଧାଡ଼ିର ମାରାଥନ୍‌ ଧାବକ ବିବେକାନନ୍ଦ ତ୍ରିପାଠୀଙ୍କୁ ଅନୁସରଣ କରିଥିବା ଶ୍ରୀ ପାଢ଼ୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଯୁବ ପିଢ଼ିଙ୍କୁ ଉତ୍ସାହିତ କରିବା ସହ ସମାଜରେ ମାରାଥନ୍‌ ଦୌଡ଼ର ଉପକାରିତା, ସୁନ୍ଦରସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନଶୈଳୀ ଲାଗି ସଚେତନତା ଜାଗ୍ରତ କରିବା ତାଙ୍କ ଲକ୍ଷ୍ୟ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର