କୋହଲିଙ୍କୁ ସମର୍ଥନ କରି ମୁଁ ବିତାଡ଼ିତ ହୋଇଥିଲି: ଭେଙ୍ଗସରକାର

ମୁମ୍ବାଇ: ୨୦୦୮ ମସିହାର କଥା। ତାମିଲନାଡୁର ଏସ୍‌ ବଦ୍ରିନାଥଙ୍କ ବଦଳରେ ବିରାଟ କୋହଲିଙ୍କୁ ସମର୍ଥନ କରି ଜାତୀୟ ଦଳରେ ସାମିଲ କରିଥିବାରୁ ତତ୍‌କାଳୀନ ବିସିସିଆଇ ଚୟନ ସମିତି ମୁଖ୍ୟ ଦିଲ୍ଲୀପ ଭେଙ୍ଗସରକାର ହଟହଟ୍ଟା ହୋଇଥିଲେ। ସେତେବେଳେ ତାମିଲନାଡୁ ସଂଘରୁ ପ୍ରତିନିଧିତ୍ୱ କରୁଥିବା ଏନ୍‌ ଶ୍ରୀନିବାସନ ବିସିସିଆଇର କୋଷାଧ୍ୟକ୍ଷ ଥିବାରୁ ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ। ଶେଷକୁ ଏହି କାରଣ ପାଇଁ ଭେଙ୍ଗସରକାରଙ୍କୁ ଚୟନ ସମିତି ଅଧ୍ୟକ୍ଷ ପଦରୁ ବିତାଡ଼ିତ ହୋଇଥିଲେ। ଏଭଳି କଥାକୁ ଗୁରୁବାର ନିଜେ ଭେଙ୍ଗସରକାର ପ୍ରକାଶ କରିଛନ୍ତି।
ଗୁରୁବାର ମୁମ୍ବାଇର ଏକ ଉତ୍ସବରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଭେଙ୍ଗସରକାର କହିଥିଲେ କୋହଲି ସ୍ୱଳ୍ପ ବୟସର ଖେଳାଳି ଥିଲେ। ନଗଦ ନଗଦ ତାଙ୍କ ନେତୃତ୍ୱରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିଲା। କୋହଲିଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରି ଆମେ ଶ୍ରୀଲଙ୍କା ଗସ୍ତରେ ପଠାଇଥିଲୁ। କିନ୍ତୁ ଚୟନ ସମିତିର ଏହି ନିଷ୍ପତ୍ତିରେ ପ୍ରଥମେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ପ୍ରଶିକ୍ଷକ ଗ୍ୟାରୀ କର୍ଷ୍ଟେନ୍‌ ସହମତି ନ ଥିଲେ। କୋହଲିଙ୍କୁ ସାମିଲ କରିବାର ଏହା ସବୁଠାରୁ ଭଲ ବେଳା ଥିଲା ବୋଲି ମୁଁ ଅନୁଭବ କରିଥିଲି। ମୋ ସହିତ ଚୟନକର୍ତାମାନେ ଏକମତ ହୋଇଥିଲେ। କିନ୍ତୁ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଖେଳାଳି ହୋଇଥିବାରୁ ବଦ୍ରିନାଥଙ୍କୁ ଅନ୍ୟ କିଛି ଚାହୁଁଥିଲେ। ବଦ୍ରିନାଥଙ୍କୁ ସୁଯୋଗ ନ ମିଳିବାରୁ ଶ୍ରୀନିବାସନ ଖପ୍ପା ହୋଇଥିଲେ। ଏହା ମୋ ବହିସ୍କାରର କାରଣ ଥିଲା ବୋଲି ଭେଙ୍ଗସରକାର ପ୍ରକାଶ କରିଥିଲେ। ଭାରତ ପାଇଁ ୧୧୬ ଟେଷ୍ଟ୍‍ ଏବଂ ୧୨୯ ଦିନିକିଆ ଖେଳିଥିବା ଭେଙ୍ଗସରକାର ୨୦୦୬ ମସିହାରେ କିରଣ ମୋରେଙ୍କଠାରୁ ମୁଖ୍ୟ ଚୟନକର୍ତା ଦାୟିତ୍ୱ ନେଇଥିଲେ। କିନ୍ତୁ ୨ ବର୍ଷ ପରେ ତାଙ୍କ ବଦଳରେ ସାଥୀ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଏହି ଦାୟିତ୍ୱ ନେଇଥିଲେ।

ସୂଚନାଯୋଗ୍ୟ, ୨୦୦୮ ଶ୍ରୀଲଙ୍କା ଗସ୍ତରେ ବଦ୍ରିନାଥ ୩ ମ୍ୟାଚ୍‌ରୁ ଯଥାକ୍ରମେ ୨୭*, ୬, ୬ ରନ୍‌ କରିଥିଲେ। କୋହଲି ସେହି ଗସ୍ତରେ ସମସ୍ତ ୫ ମ୍ୟାଚ୍‌ ଖେଳି ୧୨, ୩୭, ୨୫, ୫୪ ଏବଂ ୩୧ ରନ୍‌ କରିଥିଲେ। କେଉଁ ଆଧାରରେ ବ୍ରଦିନାଥ ବାଦ୍‌ ପଡ଼ିଲେ ବୋଲି ଶ୍ରୀନିବାସନ ମୋତେ ପ୍ରଶ୍ନ କରିଥିଲେ। ଇମର୍ଜିଂ ଖେଳାଳିଙ୍କ ଅଷ୍ଟ୍ରେଲିଆ ଗସ୍ତରେ ମୁଁ କୋହଲିଙ୍କୁ ଦେଖିଛି, ସେ ଜଣେ ବିରଳ ଖେଳାଳି ବୋଲି ମୁଁ ଯୁକ୍ତି ବାଢ଼ିଥିଲି। କିନ୍ତୁ ବଦ୍ରିନାଥ ତାମିଲନାଡୁ ପାଇଁ ୮୦୦ ରନ୍‌ କରିଛନ୍ତି ବୋଲି ସେ ଯୁକ୍ତି କରିଥିଲେ। ତାଙ୍କୁ ୨୯ ହେଲାଣି ସେ ଆଉ କେବେ ଖେଳିବେ ବୋଲି କହିଥିଲେ। ଏହାର ଠିକ୍‌ ପରଦିନ ଶ୍ରୀନିବାସନ ତତ୍‌କାଳୀନ ସଭାପତି ଶରଦ ପାଓ୍ଵାରଙ୍କ ଜରିଆରେ ଶ୍ରୀକାନ୍ତଙ୍କୁ ନୂଆ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧିତ ଖବର