ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: କୋହଲି ଓ ଧାଵନ ଉଠିଲେ

ଦୁବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ଶିଖର ଧାଵନ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ସଦ୍ୟ ଘୋଷିତ ଟ୍ବେଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି। ଆଇସିସିର ଉଭୟ ଦିନିକିଆ ଓ ଟେଷ୍ଟ୍ ବ୍ୟାଟିଂ ତାଲିକାର ଶୀର୍ଷରେ ଥିବା କୋହଲି ଟ୍ବେଣ୍ଟି-୨୦ ମାନ୍ୟତାରେ ଉନ୍ନତି ଆଣି ନବମ ସ୍ଥାନକୁ ଲମ୍ଫ ମାରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଓ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଯଥାକ୍ରମେ ୩୦* ଓ ୨୬ ରନ୍‌ କରିଥିଲେ। ଅନ୍ୟପକ୍ଷରେ ସେହି ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ୩୨ ଓ ୫୨ ରନ୍ କରିଥିବା ଧାଵନ ପଞ୍ଚଦଶ ସ୍ଥାନକୁ ଉଠିଛନ୍ତି। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମନୀଷ ପାଣ୍ଡେ ଉପରକୁ ଉଠି ୭୦ରେ ପହଞ୍ଚିଥିବା ବେଳେ ଲୋକେଶ ରାହୁଲ ଷଷ୍ଠ ସ୍ଥାନରେ ଅପରିବର୍ତ୍ତିତ ସହ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଭାରତୀୟ ରହିଛନ୍ତି।ଅପରପକ୍ଷରେ ବୋଲିଂରେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ଦ୍ରୁତ ବୋଲର ନଭଦୀପ ସୈନି ୧୪୬ ସ୍ଥାନରୁ ୯୮କୁ ଲମ୍ଫ ମାରିଛନ୍ତି। ଶ୍ରୀଲଙ୍କା ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଶାର୍ଦୁଳ ଠାକୁର ୯୨ତମ ସ୍ଥାନରେ ପହଞ୍ଚିଛନ୍ତି। ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ୮ ସ୍ଥାନ ଉପରକୁ ଉଠି ୩୯ରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାକୁ ୨-୦ରେ ଜିତିଥିବା ଭାରତ ୨ ପଏଣ୍ଟ ଅର୍ଜନ କରି ଦଳଗତ ମାନ୍ୟତାରେ ୨୬୦ ପଏଣ୍ଟ ସହ ପୂର୍ବ ପରି ପଞ୍ଚମ ସ୍ଥାନରେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର