ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତା

କୋହଲି ଖସିଲେ; ଭୁବନେଶ୍ୱର, ଧଓ୍ଵନ୍‌ ଉଠିଲେ

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ବିଜୟ ପରେ ଭାରତୀୟ ଖେଳାଳି ଶିଖର ଧଓ୍ଵନ୍‌ ଏବଂ ଭୁବନେଶ୍ୱର କୁମାର ସଦ୍ୟ ପ୍ରକାଶିତ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାରେ ଉଲ୍ଲେଖନୀୟ ସଫଳତା ପାଇଥିଲା ବେଳେ ଅଧିନାୟକ ବିରାଟ କୋହଲି ଖସିଯାଇଛନ୍ତି। ତିନିଟିକିଆ ଶୃଙ୍ଖଳାରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ଧଓ୍ଵନ୍‌ ୧୪ ସ୍ଥାନ ଲମ୍ଫ ଦେଇ ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ଜୀବନର ଶ୍ରେଷ୍ଠ ମାନ୍ୟତା ଭାବେ ୨୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତେବେ କୋହଲି ଷଷ୍ଠ ସ୍ଥାନକୁ ଖସି ଯାଇଛନ୍ତି। ଅନ୍ୟପକ୍ଷରେ ବୋଲରଙ୍କ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ଦ୍ରୁତ ବୋଲର ଭୁବନେଶ୍ୱର କୁମାର (୭ ଓ୍ଵିକେଟ୍‌) ୨୦ ସ୍ଥାନ ଲମ୍ଫ ଦେଇ ଦ୍ୱାଦଶରେ ପହଞ୍ଚିଛନ୍ତି। ତେବେ ଆଫ୍‌ଗାନିସ୍ତାନ ଲେଗ୍‌ ସ୍ପିନର ରସିଦ୍‌ ଖାନ୍‌ ବୋଲରଙ୍କ ମାନ୍ୟତାର ଶୀର୍ଷ ସ୍ଥାନକୁ ଲମ୍ଫ ଦେଇଛନ୍ତି। ନ୍ୟୁଜିଲାଣ୍ଡ୍‌ ଲେଗ୍‌ ସ୍ପିନର ଇସ୍‌ ସୋଢ଼ୀ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ଟେ୍ଵଣ୍ଟି-୨୦ରେ ଶ୍ରେଷ୍ଠ ବୋଲର ମାନ୍ୟତା ପାଇଥିବା ରସିଦ୍‌ ମଧ୍ୟ ଦିନିକିଆ ବୋଲର ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ଅଛନ୍ତି। ବୋଲରଙ୍କ ଭଳି ଟେ୍ଵଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ମଧ୍ୟ ପରିବର୍ତନ ଘଟିଛି। ନ୍ୟୁଜିଲାଣ୍ଡ୍‌ର କଲିନ୍‌ ମୁନ୍‌ରୋ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଥିଲା ବେଳେ ଅଷ୍ଟ୍ରେଲିଆର ଗ୍ଲେନ୍‌ ମାକ୍ସେଓ୍ଵଲ୍‌ ଦ୍ୱିତୀୟରେ ରହିଛନ୍ତି। ତେବେ ମାକ୍ସେଓ୍ଵଲ୍‌ ଟେ୍ଵଣ୍ଟି-୨୦ ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

ସମ୍ବନ୍ଧିତ ଖବର