ଆଇସିସି ଟେଷ୍ଟ୍‌ ମାନ୍ୟତା: ପୂଜାରା ତୃତୀୟ:ବ୍ରାଡ୍‌ମ୍ୟାନ୍‌ଙ୍କ ନିକଟତର ହେଲେ ସ୍ମିଥ୍‌

ଦୁବାଇ: ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍‌ସମ୍ୟାନ୍‌ ଚେତେଶ୍ୱର ପୂଜାରା ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ ଟେଷ୍ଟ ଖେଳାଳିଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଲମ୍ଫ ଦେଇଛନ୍ତି। ୫୪ ଟେଷ୍ଟରୁ ୫୨.୯୬ ହାରରେ ୪୩୯୬ ରନ୍‌ ସଂଗ୍ରହ କରିଥିବା ପୂଜାରା (୮୭୩ ପଏଣ୍ଟ୍‌) ମଙ୍ଗଳବାର ସାନି ପ୍ରକାଶିତ ମାନ୍ୟତାରେ ତୃତୀୟ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ପ୍ରାୟ ୨ ବର୍ଷ ଧରି ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି (୯୨୦ ପଏଣ୍ଟ୍‌) ଦ୍ୱିତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ତେବେ ସ୍ମିଥ୍‌ କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ସର୍ବାଧିକ ପଏଣ୍ଟ୍‌ କୀର୍ତିମାନର ନିକଟତର ହୋଇଛନ୍ତି।

ବ୍ରାଡ୍‌ମ୍ୟାନ୍‌ଙ୍କ ନାମରେ ୯୬୧ ପଏଣ୍ଟ୍‌ ରହିଥିଲା ବେଳେ ସ୍ମିଥ୍‌ଙ୍କ ପଏଣ୍ଟ୍‌ ସଂଖ୍ୟା ଏବେ ୯୪୫ରେ ପହଞ୍ଚିଛି। ତେବେ ବି ସ୍ମିଥ୍‌ ଆଇସିସି ମାନ୍ୟତାର ଶୀର୍ଷରେ ରହିବାରେ ବ୍ରାଡ୍‌ମ୍ୟାନ୍‌ଙ୍କୁ ଅତିକ୍ରମ କରିସାରିଛନ୍ତି। ସ୍ମିଥ୍‌ ୧୧୪ ଟେଷ୍ଟ ଧରି ଶୀର୍ଷ ମାନ୍ୟତା ବଜାୟ ରଖିଥିଲା ବେଳେ ପଞ୍ଚମ ଖେଳାଳି ହୋଇଛନ୍ତି। ତାଙ୍କ ଉପରକୁ ଥିବା ଅନ୍ୟ ୪ ଜଣ ହେଲେ ଗ୍ୟାରି ସୋବର୍ସ (୧୮୯ ଟେଷ୍ଟ), ଭିଭିଆନ୍‌ ରିଚାର୍ଡସ୍‌ (୧୭୯ ଟେଷ୍ଟ), ବ୍ରାୟନ୍‌ ଲାରା (୧୪୦ ଟେଷ୍ଟ) ଓ ସଚିନ୍‌ ତେନ୍ଦୁଲକର (୧୩୯ ଟେଷ୍ଟ)।
ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ କୋହଲି ଓ ପୂଜାରା ଦୁଇ ଭାରତୀୟ ଭାବେ ଶୀର୍ଷ-୧୦ରେ ସ୍ଥାନ ଅକ୍ତିଆର କରିଥିଲା ବେଳେ ବୋଲରଙ୍କ ମାନ୍ୟତା ତାଲିକାରେ ଦୁଇ ସ୍ପିନର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ସେହିପରି ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ମଧ୍ୟ ଏହି ଦୁଇ ଭାରତୀୟ ସ୍ପିନର ଜାଦେଜା ଓ ଅଶ୍ୱିନ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର