ସିଏସ୍‌କେର ହଳଦିଆ ଜର୍ସି ପାଇଁ ମୁଁ ଗର୍ବିତ: ରାଇନା

ମୁମ୍ବାଇ: ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ବ୍ୟକ୍ତିଗତ କାରଣ ଯୋଗୁଁ ୟୁଏଇରେ ଆୟୋଜିତ ୨୦୨୦ ଆଇପିଏଲ୍‌ରୁ ଓହରି ଯାଇଥିଲେ। ଚଳିତ ଆଇପିଏଲ୍‌ରେ ଶନିବ‌ାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ‌ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟ‌ାନ୍‌ ‌୩୬ ବଲ୍‌ରୁ ୫୪ ରନ୍‌ ସଂଗ୍ରହ କରି ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ତାଙ୍କ ଦଳ ସିଏସ୍‌କେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ୭ ୱି‌କେଟ୍‌ରେ ହାରିଯାଇଥିଲା। ପରାଜୟ ବରଣ ସତ୍ତ୍ବେ ଚେନ୍ନାଇ ସମର୍ଥକ ସେମାନଙ୍କ ‘ଚିନ୍ନା ଥାଲା’ ରାଇନାଙ୍କୁ ଫେରି ପାଇଛନ୍ତି। ‘‘ମହେନ୍ଦ୍ର ସିଂହ ଧୋନି ଓ ସିଏସ୍‌କେ ନିକଟକୁ ପୁଣି ଥରେ ଫେରିଥିବାରୁ ଖୁସି ଅନୁଭବ କରୁଛି।

ଏହି ଦଳ ଖେଳାଳିମାନଙ୍କ ପାଇଁ ବହୁତ କିଛି ଅବଦାନ ରଖିଛି। ଦଳକୁ ପୁଣି ଫେରିବା ଏବଂ ହଳଦିଆ ଜର୍ସି ପିନ୍ଧିବା ମୋତେ ଗର୍ବିତ କରିବା ସହ ମୋ ମନରେ ଖୁସୀର ଲହରୀ ଖେଳାଇ ଦେଇଛି’’ ବୋଲି ସିଏସ୍‌କେର ଅଫିସିଆଲ୍‌ ‌ୱେବ୍‌ସାଇଟ୍‌ରେ ପୋଷ୍ଟ ହୋଇଥିବା ଭିଡିଓରେ କହିଛନ୍ତି। ‘‘ଏହି ମ୍ୟାଚ୍‌ ହାରିବା ନିଶ୍ଚିତ ଦୁଃଖ ଲାଗିଛି। କିନ୍ତୁ ଏହା ଆମକୁ ଅଗକୁ ଭଲ ପ୍ରଦର୍ଶନ ଲାଗି ପ୍ରେରଣା ଦେବ। ଆମେ ଯଦି ଆଉ ୧୫-୨୦ ରନ୍‌ ଅଧିକ କରିଥା’ନ୍ତୁ, ତେବେ ଫଳାଫଳ ଅଲଗା ହୋଇଥା’ନ୍ତା। ପରବର୍ତ୍ତୀ ମ୍ୟାଚ୍‌ ଆଉ କିଛି ଦିନ ବାକିଥିବାରୁ ଆମକୁ ଅଧିକ ଅଭ୍ୟାସ ସୁଯୋଗ ମିଳିବ। ଏଥିରେ ଆମେ ଭଲ କରିବା ଲାଗି ଶିଖିପାରିବୁ’’ ବୋଲି ‌ରାଇନା କହିଛନ୍ତି।

ସମ୍ବନ୍ଧିତ ଖବର