ଗୋଟିଏ ଦଳରେ ଖେଳିବେ ‘ମଙ୍କଡିଂ’ ବିବାଦର ଚର୍ଚ୍ଚିତ ନାୟକ ଅଶ୍ବିନ୍ ଓ ବଟଲର୍

ନୂଆଦିଲ୍ଲୀ: କ୍ରିକେଟ୍ ଜଗତର ସବୁଠାରୁ ଅଧିକ ଚର୍ଚ୍ଚିତ ବିବାଦ ମଧ୍ୟରେ ଗୋଟିଏ ବିବାଦ ଭାବେ ପରିଗଣିତ ହେଉଥିବା ‘ମଙ୍କଡିଂ’ ବିବାଦରେ ସମ୍ପୃକ୍ତ ଥିବା ରବିଚନ୍ଦ୍ରନ୍ ଅଶ୍ବିନ୍ ଓ ଜସ୍ ବଟଲର୍ ଗୋଟିଏ ଦଳରୁ ଆଇପିଏଲ୍ ଖେଳିବାକୁ ଯାଉଛନ୍ତି। ଆଇପିଏଲ୍ ପ୍ରଶଂସକମାନେ କେବେ ଭାବି ନଥିବେ ଯେ ଏତେ ବଡ ବିବାଦ ପରେ ଦୁହେଁ ଗୋଟିଏ ଦଳରୁ ଖେଳିବାକୁ ସମର୍ଥ ହେବେ। ତେବେ ଶନିବାର ଦିନ ଅଶ୍ବିନଙ୍କୁ ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ନିଲାମରେ କିଣିବା ପରେ ଏହା ସତ ହେବାକୁ ଯାଉଛି। ଜସ୍ ବଟଲରଙ୍କୁ ପୂର୍ବରୁ ହିଁ ରାଜସ୍ଥାନ ରୟାଲ୍ସ ଦଳରେ ରିଟେନ୍ କରି ରଖିଥିଲା।

ଅଶ୍ବିନଙ୍କୁ ଦଳରେ ନେବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ବଟଲରଙ୍କ ସହ କଥା ହୋଇଥିଲା। ବଟଲର ନୋ ପ୍ରୋବ୍ଲେମ୍ (କୌଣସି ସମସ୍ୟା ନାହିଁ) କହିଥିଲେ। ଅଶ୍ବିନଙ୍କୁ ୫ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି।

୨୬ ମାର୍ଚ୍ଚ ୨୦୧୯ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସଙ୍କ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚରେ ଏହି ପ୍ରସିଦ୍ଧ ‘ମଙ୍କଡିଂ’ ବିବାଦ ହୋଇଥିଲା। ପଞ୍ଜାବ କିଙ୍ଗ୍ସ୍ ଏହି ମ୍ୟାଚକୁ ଜିତିଥିଲା। ସେତେବେଳେ ରାଜସ୍ଥାନ ରୟାଲ୍ସର ଓପନର ଜସ୍ ବଟଲର ନନ୍ ଷ୍ଟ୍ରାଇକର୍ ପାର୍ଶ୍ବରେ ବ୍ୟାଟ୍ ଧରି ଛିଡା ହୋଇଥିଲେ। ଅଶ୍ବିନ୍ ବୋଲିଂ କଲାବେଳେ ବଲ୍ ଅଶ୍ବିନଙ୍କ ହାତରୁ ଖସିବା ପୂର୍ବରୁ ବଟଲର୍ ନନ୍ ଷ୍ଟ୍ରାଇକର୍ ପାର୍ଶ୍ବରୁ କ୍ରିଜ୍ ଛାଡି ରନ୍ ନେବାକୁ ଚାହୁଁଥିଲେ। ଏହି ସମୟରେ ଅଚାନକ ଅଶ୍ବିନ୍ ଷ୍ଟମ୍ପର ବେଲ୍ କୁ ବଲ୍ ଦ୍ବାରା ଖସାଇ ବଟଲରଙ୍କୁ ରନ୍ ଆଉଟ୍ କରିଦେଇଥିଲେ।
ଏହାପରେ ଅଶ୍ବିନ୍ ଓ ବଟଲରଙ୍କ ମଧ୍ୟରେ ବିତର୍କ ହୋଇଥିଲା।

ଅଶ୍ବିନ ବଟଲରଙ୍କୁ ଯେପରି ଆଉଟ୍ କଲେ ଏହାକୁ ‘ମଙ୍କଡିଂ’ କୁହାଯାଏ। କିଛି କ୍ରିକେଟ୍ ପଣ୍ଡିତ ‘ମଙ୍କଡିଂ’ ଖେଳୁଆଡ ମନୋଭାବର ବିପରୀତ କହିଥାନ୍ତି। କିଛି କ୍ରିକେଟ୍ ପଣ୍ଡିତ ‘ମଙ୍କଡିଂ’ କୁ ସଠିକ୍ ଦର୍ଶାଇଥାନ୍ତି। ତେବେ ସବୁଠୁ ବଡ କଥା ହେଲା ଅଶ୍ବିନ ବଟଲରଙ୍କୁ ଯେପରି ଆଉଟ୍ କଲେ ତାହା କ୍ରିକେଟର ନିୟମ ମଧ୍ୟରେ ଆସିଥାଏ।
ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ୧୯୪୭ ମସିହାରେ ଭାରତର ବିନୁ ମଙ୍କଡ ଅଷ୍ଟ୍ରେଲିଆର ବିଲ୍ ବ୍ରାଉନଙ୍କୁ ଏପରି ଆଉଟ୍ କରିଥିଲେ। ବିନୁଙ୍କ ସାଙ୍ଗିଆ ଅନୁସାରେ ଏହାକୁ ‘ମଙ୍କଡିଂ’ କୁହାଯାଏ।

ସମ୍ବନ୍ଧିତ ଖବର