ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ୨-୦ରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ଶୃଙ୍ଖଳା ବଞ୍ଚାଇବାର ଏହା ଶେଷ ସୁଯୋଗ ହେବ। ତୃତୀୟ ଟ୍ବେଣ୍ଟି-୨୦ରେ ପୁନର୍ବାର ଘରୋଇ ପ୍ରଶଂସକଙ୍କ ନଜର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତଙ୍କ ଉପରେ ରହିବ। ପନ୍ତ ବିଗତ କିଛି ମ୍ୟାଚ୍ରେ ଆଶାଜନକ ପ୍ରଦର୍ଶନ କରି ପାରିନାହାନ୍ତି। ସେଥିପାଇଁ ତାଙ୍କୁ ୪ ନମ୍ବର ସ୍ଥାନରେ ଖେଳାଇବା ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ୨୧ ବର୍ଷୀୟ ପନ୍ତଙ୍କୁ ଅବଶ୍ୟ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ସମର୍ଥନ କରିଛନ୍ତି। ତେବେ ଏକାଧିକ ପୂର୍ବତନ କ୍ରିକେଟର ତାଙ୍କ ସଟ୍ ଚୟନକୁ ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି। ଏଣୁ ରବିବାର ବ୍ୟକ୍ତିଗତ ଭାବେ ସେ ଟିକିଏ ଚାପରେ ରହିବେ। ଚିନ୍ନାସ୍ବାମୀ ଷ୍ଟାଡିୟମର ଛୋଟ ପଡ଼ିଆ ପାଇଁ ଭାରତ ଆସନ୍ତାକାଲି ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖେଳାଇପାରେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ସ୍ପିନର ଭଲ କରୁଥିବାରୁ ବୋଲିଂ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ରାହୁଲ ଚହରଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଭାରତ ମଧ୍ୟ ଅପରିବର୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇପାରେ। ତେବେ ଆସନ୍ତାବର୍ଷର ବିଶ୍ବକପ୍କୁ ଆଖି ଆଗରେ ରଖି କିଛି ଯୁବ ତାରକାଙ୍କୁ ମଧ୍ୟ ଏଥିରେ ସୁଯୋଗ ମିଳିପାରେ। ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହେବା ପରେ ମୋହାଲି ମୁକାବିଲାକୁ ଭାରତ ସହଜରେ ୭ ୱିକେଟ୍ରେ ଜିତି ନେଇଥିଲା। ବେଙ୍ଗାଲୁରୁରେ ମଧ୍ୟ ବିରାଟ ବାହିନୀ ମୋହାଲି ସଫଳତାକୁ ଦୋହରାଇବା ଆଶାରେ ରହିବ। ବିଶ୍ବକପ୍ ଏବଂ ତା’ ପରଠୁ ଦୁର୍ବଳ ପ୍ରଦର୍ଶନ କରି ଆସୁଥିବା ଦକ୍ଷିଣ ଆଫ୍ରିକା ରବିବାର ଆଉ ଏକ କଠୋର ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଅଧିକ ବିକଳ୍ପ ନଥିଲେ ମଧ୍ୟ ଏହି ଦଳ ନିଜ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ଦୁଇଟି ଅଦଳ ବଦଳ କରିପାରେ। ଦ୍ବିତୀୟ ମ୍ୟାଚ୍ରେ ଅପରାଜିତ ଅର୍ଧଶତକ ଅର୍ଜନ କରି ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭଲ କରୁଥିବାରୁ ଏହା ମଧ୍ୟ ଦକ୍ଷିଣ ଆଫ୍ରିକାର ଚିନ୍ତା ବଢ଼ାଇବ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟାଟିଂ ପିଚ୍
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଏଠାରେ ବଲ୍ ଏକ ନିର୍ଦିଷ୍ଟ ଉଚ୍ଚତାରେ ବ୍ୟାଟ୍କୁ ଆସିଥାଏ। ସେଥିପାଇଁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚଳିତ ବର୍ଷ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ଗୁଡ଼ିକର ହାରାହାରି ପ୍ରଥମ ପାଳି ସ୍କୋର୍ ଥିଲା ୧୮୦। ଛୋଟ ପଡ଼ିଆ ହୋଇଥିବାରୁ ଏଠାରେ ରନ୍ ରୋକିବା ସ୍ପିନରଙ୍କ ପାଇଁ ତୁଳନାତ୍ମକ ଭାବେ କଷ୍ଟକର ହୋଇଥାଏ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ୍ ଆୟର, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, ଦୀପକ ଚହର, କ୍ରୁନାଲ ପାଣ୍ଡ୍ୟା/ ରାହୁଲ ଚହର/ଖଲିଲ ଅହମ୍ମଦ, ନଭଦୀପ ସଇନି।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’ କକ୍ (ଅଧିନାୟକ), ରସି ଭାନଡର ଦୁସେନ, ଟେମ୍ବା ବଭୁମା, ଡେଭିଡ୍ ମିଲର, କାଗିସୋ ରବାଦା, ତାବ୍ରାଇଜ୍ ସାମି, ଡ୍ବେନ୍ ପ୍ରିଟୋରିୟସ୍, ଆନ୍ଦିଲ ଫେଲୁକ୍ବାଓ, ବିୟର୍ନ ଫରଟ୍ବିନ୍, ଆନରିଚ୍ ନର୍ତଜେ, ରେଜା ହେଣ୍ଡ୍ରିକ୍ସ।
ରୋହିତଙ୍କ ପାଖରେ କୋହଲିଙ୍କୁ ଟପିବା ସୁଯୋଗ
ମୋହାଲିରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଟପି ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ରବିବାରର ତୃତୀୟ ମୁକାବିଲାରେ ରୋହିତଙ୍କ ପାଖରେ କୋହଲିଙ୍କୁ କାଟିବାର ସୁଯୋଗ ରହିବ। କାରଣ ରୋହିତ (୨୪୩୪) ସଂପ୍ରତି କୋହଲି (୨୪୪୨)ଙ୍କଠାରୁ ମାତ୍ର ୭ ରନ୍ ପଛରେ ରହିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ପାଖରେ ମଧ୍ୟ ଏହି ମ୍ୟାଚ୍ରେ କୀର୍ତ୍ତିମାନ କରିବାର ସୁଯୋଗ ଅଛି। ଶିଖର ଏହି ମ୍ୟାଚ୍ରେ ୪ ରନ୍ କରି ପାରିଲେ ଟ୍ବେଣ୍ଟି-୨୦ରେ ୭,୦୦୦ ରନ୍ ପୂରଣ କରିବେ। ଏଭଳି କରିବାରେ ସେ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ପରେ ଚତୁର୍ଥ ଭାରତୀୟ ହେବେ।