ସିଲି ପଏଣ୍ଟ୍‌: ୱାର୍ନରଙ୍କ ଝିଅ କୋହଲି ପ୍ରଶଂସକ

ସିଡ୍‌ନି: ଅଷ୍ଟ୍ରେଲିଆର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ଝିଅ ଇଣ୍ଡିରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କର ଜଣେ ବଡ଼ ପ୍ରଶଂସକ। ପିତା ୱାର୍ନରଙ୍କ ସହ କ୍ରିକେଟ୍ ଖେଳୁଥିବା ବେଳେ ଇଣ୍ଡିରେ ଏଭଳି ଏକ ଘୋଷଣା କରୁଥିବାର ଭିଡିଓ ପଦାକୁ ଆସିଛି। ୱାର୍ନରଙ୍କ ପତ୍ନୀ କ୍ୟାଣ୍ଡିସ୍ ୱାର୍ନର ଏହି ଭିଡିଓକୁ ସୁଟିଂ କରିଥିଲା ବେଳେ ଉଭୟ ନିଜ ନିଜର ଟ୍ବିଟର ଆକାଉଣ୍ଟରେ ଏହାକୁ ପ୍ରକାଶ କରିଛନ୍ତି। ଭିଡିଓରେ ଇଣ୍ଡିରେଙ୍କୁ ୱାର୍ନର ବଲ୍ ଫିଙ୍ଗୁଛନ୍ତି। ଏକ ବଲ୍‌ର ସମ୍ମୁଖୀନ ହେବାର ଠିକ୍ ପୂର୍ବରୁ ଇଣ୍ଡିରେ ବାରମ୍ବାର ମୁଁ ବିରାଟ କୋହଲିଙ୍କ ଭଳି ବୋଲି କହୁଥିବା‌ ଶୁଣିବାକୁ ମିଳୁଛି। ୱାର୍ନର ଭିଡିଓକୁ ପ୍ରକାଶ କରି ଲେଖିଛନ୍ତି ଯେ ଏହି ବିଷୟରେ ମୁଁ ନିଶ୍ଚିତ ନୁ‌ହେଁ, ଇଣ୍ଡି ବିରାଟ କୋହଲି ହେବାକୁ ଚାହୁଁଛି। ସେପଟେ କ୍ୟାଣ୍ଡିସ୍ ଲେଖିଛନ୍ତି ଯେ ଏଇ ଛୋଟିଆ ଝିଅ ଅନେକ ସମୟ ଭାରତରେ କଟାଇଛି। ସେ ବିରାଟ କୋହଲି ହେବାକୁ ଚାହୁଁଛି। ୩୩ ବର୍ଷୀୟ ୱାର୍ନରଙ୍କ ତିନିଟି ଝିଅ ଥିଲା ବେଳେ ଇଣ୍ଡିରେ ହେଉଛନ୍ତି ମଝିଆ। ଅନ୍ୟ ଦୁଇ ଝିଅଙ୍କ ନାଁ ହେଲା ଇଭି ମେ ଓ ଇସଲା ରୋଜ୍। ଆଇପିଏଲରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ କୋହଲି (୫୪୧୨)ଙ୍କ ନାଁରେ ଥିଲା‌ ବେଳେ ୱାର୍ନର ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ୪୭୦୬ ରନ୍ କରି ସେ ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ମିଳିଥିଲା ବେଳେ ୱାର୍ନର ହେଉଛନ୍ତି ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଉଜ୍ଜ୍ବଳମୟ ତାରକା। ତଥାପି ତାଙ୍କ ଝିଅ କୋହଲିଙ୍କ ଭଳି ହେବାକୁ ଆଗ୍ରହ ପ୍ରକାଶ କରିବା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଉଲ୍ଲସିତ କରିଛି।

ସମ୍ବନ୍ଧିତ ଖବର