ଭାରତ ୨-୧ରେ ଶୃଙ୍ଖଳା ଜିତିଲା

ମହିଳା ଦିନିକିଆ କ୍ରିକେଟ୍‌: ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ହାରିଲା

ନାଗପୁର: ଇଂଲଣ୍ଡ ବିପକ୍ଷ ତିନି ଟିକିଆ ଦ୍ୱିପାକ୍ଷିକ ଦିନିକିଆ କ୍ରିକେଟ୍‌ ଶୃଙ୍ଖଳାକୁ ଭାରତୀୟ ମହିଳା ଦଳ ୨-୧ରେ କବ୍‌ଜା କରିନେଇଛି। ପ୍ରଥମ ମ୍ୟାଚ୍‌କୁ ୧ ଓ୍ଵିକେଟ୍‌ରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ତେବେ ଗୁରୁବାର ତୃତୀୟ ତଥା ଶେଷ ଦିନିକିଆକୁ ୮ ଓ୍ଵିକେଟ୍‌ରେ ଜିତି ଭାରତ ଶୃଙ୍ଖଳା ନିଜ ନାମରେ କରିଥିଲା। ଗୁରୁବାର ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ୯୪ ଏବଂ ଅଧିନାୟିକା ହିଦର ନାଇଟ୍‌ ୩୬ ରନ୍‌ କରିଥିଲେ। ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ, ରାଜେଶ୍ୱରୀ ଗାଏକ୍ୱାଡ୍‌, ଦୀପ୍ତି ଶର୍ମା ଏବଂ ପୂନମ ଯାଦବ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ମାତ୍ର ୨୩ ରନ୍‌ରେ ଜେମିମା ରୋଦ୍ରିଗୁଏଜ୍‌ (୨) ଏବଂ ଭେଡ଼ା କୃଷ୍ଣମୂର୍ତ୍ତି (୭)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଏହି ସମୟରେ ବାମହାତୀ ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମାନ୍ଧାନାଙ୍କ ସହ ମିଶି ଅଧିନାୟିକା ମିତାଲି ରାଜ ପାଳି ସମ୍ଭାଳି ଥିଲେ। ସ୍ମୃତି ୫୩ ରନ୍‌ କରି ରିଟାୟର୍ଡ ହଟ୍‌ ହୋଇଥିଲେ। ଏହାପରେ ମିତାଲି (୭୪*) ଏବଂ ଦୀପ୍ତି ଶର୍ମା (୫୪*) ନିଜ ନିଜ ଅର୍ଧଶତକ ହାସଲ କରିବା ସହ ଅପରାଜିତ ରହି ଭାରତକୁ ୪୨.୨ ଓଭରରେ ବିଜୟ ଭେଟି ଦେଇଥିଲେ। ଏଥିସହ ମିତାଲି (୫୬) ସର୍ବାଧିକ ଦିନିକିଆ ଅର୍ଧଶତକରେ ଇଂଲଣ୍ଡର ଚାର୍ଲୋଟ୍‌ ଏଡ୍‌ଓ୍ଵାର୍ଡ (୫୫)ଙ୍କୁ ପଛରେ ପକାଇ ଦେଇଥିଲେ। ପୁଣି ମିତାଲି ୧୯୪ ମ୍ୟାଚ୍‌ରୁ ୫୦.୧୮ ହାରରେ ୬୩୭୩ ରନ୍‌ କରି ସର୍ବାଧିକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସଂପ୍ରତି ଖେଳ ଜାରି ରଖିଥିବା େଓ୍ଵଷ୍ଟ୍‍ଇଣ୍ଡିଜ୍‌ର ଷ୍ଟାଫାନି ଟେଲର (୪୨୩୦) ଏହି କ୍ରମରେ ମିତାଲିଙ୍କ ପଛକୁ ରହିଛନ୍ତି।

ସମ୍ବନ୍ଧିତ ଖବର