ଭାରତ ଓ ଅଷ୍ଟ୍ରେଲିଆ ୧୦୦ତମ ଟେଷ୍ଟ୍: ଅଷ୍ଟ୍ରେଲିଆ ଜିତିଛି ୪୩, ଭାରତ ୨୮

୯୯ରୁ ଅଧିକ ଟେଷ୍ଟ୍‌ ଖେଳିଥିବା ପ୍ରତିଦ୍ବନ୍ଦ୍ବୀ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ମେଲ୍‌ବର୍ନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ୍‌। ଏହା ଉଭୟ ଦଳ ମଧ୍ୟରେ ହେବ ୧୦୦ତମ ଟେଷ୍ଟ୍‌। ପୁଣି ଅଷ୍ଟ୍ରେଲିଆରେ ପରସ୍ପର ମୁହାଁମୁହିଁରେ ୫୦ତମ ଟେ‌ଷ୍ଟ୍‌ ହେବ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଏହା ପୂର୍ବର ୪୯ ଟେଷ୍ଟ୍‌ରେ ଘରୋଇ ଦଳ ୩୦ ଜିତିଥିଲା ବେଳେ ଭାରତ ୭ ଜିତିଛି। ୧୨ ଟେଷ୍ଟ୍‌ ଅମୀମାଂସିତ ରହିଛି। ସେହିପରି ଭାରତରେ ଖେଳାଯାଇଥିବା ୫୦ ଟେଷ୍ଟ୍‌ ମଧ୍ୟରୁ ଭାରତ ୨୧ ଏବଂ ଅଷ୍ଟ୍ରେଲିଆ ୧୩ ଜିତିଥିଲା ବେଳେ ୧୫ ଅମୀମାଂସିତ ଏବଂ ଗୋଟିଏ ଟେଷ୍ଟ୍‌ ‘ଟାଇ’ ରହିଛି। ଦୀର୍ଘ ୭୩ ବର୍ଷ ଧରି (୧୯୪୭ ନଭେମ୍ବର ୨୮ରୁ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍‌ ଖେଳାଯାଇଆସୁଥିଲା ବେଳେ ଉଭୟଙ୍କ ମୁହାଁମୁହିଁରୁ ଏହା ହିଁ ସ୍ପଷ୍ଟ ହୋଇଯାଇଛି ଯେ ଉଭୟ ଦଳ ଘରୋଇ ମାଟିରେ ଆଧିପତ୍ୟ ଜାହିର କରିଛନ୍ତି। ଏହାସତ୍ତ୍ବେ ଅଷ୍ଟ୍ରେଲିଆ ଅଧିକ ଶକ୍ତିଶାଳୀ ଭାବେ ପ୍ରମାଣିତ କରିଛି। ତେବେ କିଛି ବର୍ଷ ଧରି ଭାରତ ଉନ୍ନତ ପ୍ରଦର୍ଶନର ନମୂନା ଛାଡ଼ିଛି। କାରଣ ୨୦୦୧ ପୂର୍ବରୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୨୮-୧୧ ବ୍ୟବଧାନ‌ରେ ଆଗୁଆ ରହିଥିଲା। ହେଲେ ଏହାପରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୭ ବିଜୟ ପାଇଥିଲା ବେଳେ ୧୫ ହାରିଛି। ଗତ ୨୦ ବର୍ଷ ଧରି ଉଭୟ ଦଳ ନିଜ ନିଜ ଘରେ ପରସ୍ପର ବିପକ୍ଷରେ ଆଧିପତ୍ୟ ବିସ୍ତାର କରିଛନ୍ତି। ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ୨୧ ଟେ‌ଷ୍ଟ୍‌ରୁ ୧୧ ଜିତିଥିଲା ବେଳେ ୪ ହାରିଛି। ଅନ୍ୟପକ୍ଷରେ ଭାରତ ତା’ ଘରୋଇ ମାଟିରେ ସମାନ ୨୧ ଟେଷ୍ଟ୍‌ରୁ ୧୩ ଜିତିଥିଲା ବେଳେ ୪ ହାରିଛି।

ସେହି ଦୃଷ୍ଟିରୁ ବକ୍ସିଂ ଡେ’(ଡିସେମ୍ବର ୨୬)ରେ ଆରମ୍ଭ ହେବାକୁ ଥିବା ଏହି ଶତକୀୟ ଟେଷ୍ଟ୍‌ ଉଭୟ ଦଳ ପାଇଁ ଗୁରୁତ୍ବ ବହନ କରିବ। କାରଣ ଏହା ପୂର୍ବରୁ ଖେଳାଯାଇଥିବା ୯୯ ଟେଷ୍ଟ୍‌ରୁ ଅଷ୍ଟ୍ରେଲିଆ ୪୩ରେ ବିଜୟୀ ହୋଇ ଫାଇଦାରେ ରହିଥିଲା ବେଳେ ଭାରତ ୨୮ ଜିତିଛି। ଦୁଇ ଦଳ ମଧ୍ୟରେ ୯୯ ବା ତା’ଠୁ ଅଧିକ ଟେଷ୍ଟ୍‌ ଖେଳାଯିବାରେ ଏହା ମଧ୍ୟ ବିଶ୍ବ କ୍ରିକେଟ୍‌ରେ ସପ୍ତମ ହେବ। ଅଷ୍ଟ୍ରେଲିଆ-ଇଂଲଣ୍ଡ (୩୫୧), ୱେଷ୍ଟଇଣ୍ଡିଜ୍‌-ଇଂଲଣ୍ଡ (୧୬୦), ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା (୧୫୩), ଇଂଲଣ୍ଡ-ଭାରତ (୧୨୨), ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍‌ (୧୧୬) ଏବଂ ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ (୧୦୫) ଶତାଧିକ ଟେଷ୍ଟ୍‌ରେ ମୁହାଁମୁହିଁ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର