ଭାରତ-ଅଷ୍ଟ୍ରେଲିଆ ହକି ଶୃଙ୍ଖଳା ଆଜିଠାରୁ

ଭୁବନେଶ୍ବର : ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍‌ର ପରବର୍ତୀ ସଂସ୍କରଣ ଖେଳାଯିବାକୁ ୫୦ରୁ କମ୍‌ ଦିନ ରହିଥିବା ବେଳେ ଭାରତୀୟ ଦଳ ଏବେ ନିଜକୁ ପ୍ରସ୍ତୁତ କରିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଛି। ଶନିବାରଠାରୁ ଆଡିଲେଡ୍‌ରେ ୫ ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳି ଭାରତୀୟ ଦଳ ନିଜର ଶକ୍ତି ଓ ଦୁର୍ବଳତାକୁ ପରଖିବ। ଅଷ୍ଟ୍ରେଲିଆ ବିଶ୍ବର ଏକ ନମ୍ବର ଦଳ ହୋଇଥିବାରୁ ଭାରତ ପାଇଁ ନିଶ୍ଚିତ ଫଳାଫଳ ନୁହେଁ ଅଭିଜ୍ଞତା ଅର୍ଜନ ଓ ଦୁର୍ବଳତାକୁ ଚିହ୍ନଟ କରିବା ଲାଗି ଏହା ସୁଯୋଗ ଦେବ।

ଭାରତ ଏବେ ଏଫ୍‌ଆଇଏଚ୍ ମାନ୍ୟତାରେ ୫ ନମ୍ବର ସ୍ଥାନରେ ରହିଛି। ଅକ୍ଟୋବର-ନଭେମ୍ବରରେ ଭୁବନେଶ୍ବରଠାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ର ପ୍ରୋ ଲିଗ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଖେଳିଥିବା ୪ ମ୍ୟାଚ୍‌ରୁ ୩ ଜିତିଥିବାରୁ ଆତ୍ମବିଶ୍ବାସରେ ରହିଛି। କିନ୍ତୁ ସେଠାରେ ଖେଳିଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ ନିମ୍ନ ମାନ୍ୟତାପ୍ରାପ୍ତ ଦଳ ଥିଲେ। ୮ ନମ୍ବର ସ୍ପେନ୍‌କୁ ଥରେ ହରାଇଥିବା ବେଳେ ଥରେ ଜିତିଥିଲା। ୯ ନମ୍ବର ନ୍ୟୁଜିଲାଣ୍ଡକୁ କିନ୍ତୁ ଉଭୟ ମୁକାବିଲାରେ ହରାଇଥିଲା ହର୍ମନପ୍ରୀତଙ୍କ ଦଳ। ଏକ ନମ୍ବର ଅଷ୍ଟ୍ରେଲିଆ ସହ ତାଙ୍କ ପରିବେଶରେ ଖେଳିବା ନିଶ୍ଚିତ ଭିନ୍ନ ହେବ ବୋଲି ବିଶ୍ବାସ କରାଯାଉଛି। ବିଶ୍ବକପ୍‌ ପ୍ରସ୍ତୁତି ନିମନ୍ତେ ଆମ ପାଇଁ ଏହାଠାରୁ ଉନ୍ନତ ସ୍ଥାନ ଓ ପ୍ରତିଦ୍ବନ୍ଦ୍ବୀ ନାହାନ୍ତି ବୋଲି କହିଛନ୍ତି ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌। ଏହି ଶୃଙ୍ଖଳା ବାସ୍ତବରେ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଅଧିନାୟକ ତଥା ଅଭିଜ୍ଞ ଡ୍ରାଗ୍ ଫ୍ଲିକର ହର୍ମନପ୍ରୀତ୍। ଅଷ୍ଟ୍ରେଲିଆରେ ଥିବା ହକି ପ୍ରଶଂସକଙ୍କଠାରୁ ଭଲ ସମର୍ଥନ ମିଳିବ ବୋଲି ‌ମଧ୍ୟ ସେ ଆଶା ପ୍ରକଟ କରିଛନ୍ତି। ଅଷ୍ଟ୍ରେଲିଆ ମୁଖ୍ୟ ପ୍ରଶିକ୍ଷକ କଲିନ୍ ବ୍ୟାଚ୍ ମଧ୍ୟ ଶୃଙ୍ଖଳା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଚଳିତ ବର୍ଷ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ଅଷ୍ଟ୍ରେଲିଆ ୭-୦ରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏଥର କିନ୍ତୁ ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଦଳ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଉପଲବ୍‌ଧ ହୋଇନାହିଁ। ଆରାନ୍ ଜାଲେକ୍ସି ଓ ଏଡି ଓକେନଡେନ୍‌ ଅଷ୍ଟ୍ରେଲିଆ ଦଳର କୋ କ୍ୟାପଟେନ୍ ରହି‌ବେ। ଦ୍ବିତୀୟ ମ୍ୟାଚ୍‌ ଅବସରରେ ଜାଲେକ୍ସି ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ମାଇଲଖୁଣ୍ଟ ଛୁଇଁବେ। ଶୃଙ୍ଖଳାର ଅବଶିଷ୍ଟ ୪ ମ୍ୟାଚ୍‌ ନ‌ଭେମ୍ବର ୨୭, ୩୦ ଏବଂ ଡିସେମ୍ବର ୩ ଓ ୪ ତାରିଖରେ ଖେଳାଯିବ।

ଭାରତୀୟ ଦଳ: ହର୍ମାନପ୍ରୀତ୍ ସିଂହ (ଅଧିନାୟକ), ଅମିତ ରୋହିଦାସ (ଉପ ଅଧିନାୟକ), କୃଷ୍ଣ ବାହାଦୁର ପାଠକ, ଶ୍ରୀଜେଶ ପରଟ୍ଟୁ ରବିନ୍ଦ୍ରନ, ଜର୍ମନପ୍ରୀତ୍ ସିଂହ, ସ‌ୁରେନ୍ଦର କୁମାର, ଯୁଗରାଜ ସିଂହ, ମନଦୀପ୍ ମୋର୍‌, ନୀଲମ ସଂଜୀବ ଖେସ, ବରୁଣ କୁମାର, ସୁମିତ, ମନପ୍ରୀତ୍‌ ସିଂହ, ହାର୍ଦିକ ସିଂହ, ସାମସେର୍ ସିଂହ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ, ମହମ୍ମଦ ରାହିଲ‌ ମୌସିମ୍‌, ଆକାଶଦୀପ ସିଂହ, ଗୁରଜାଣ୍ଟ୍ ସିଂହ, ମନଦୀପ୍ ସିଂହ, ଅଭିଷେକ, ଦୀଲପ୍ରୀତ୍‌ ସିଂହ, ସୁଖଜିତ ସିଂହ।

ସମ୍ବନ୍ଧିତ ଖବର