ଭାରତୀୟ ଯୁବ ହ୍ୟାଣ୍ଡ୍‌ବଲ୍ ଦଳରେ ସନ୍ଦୀପ

ବ୍ରହ୍ମପୁର: ଆସନ୍ତା ମାସ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ସ୍ବିଡେନ୍‌ର ଗୁଟନ୍‌ବର୍ଗଠାରେ ହ୍ୟାଣ୍ଡବଲ୍ କନିଷ୍ଠ ବର୍ଗ (୨୦ବର୍ଷରୁ କମ୍‌)ର ୫୦ତମ ପାର୍ଟାଇଲ୍‌ କପ୍‌ ଅନୁଷ୍ଠିତ ହେବ। ଭାରତ ପାଇଁ ମନୋନୀତ ୧୬ ଜଣିଆ ଦଳରେ ଗଂଜାମ ଜିଲ୍ଲାର ଏକମାତ୍ର ଖେଳାଳି ସନ୍ଦୀପ ପାତ୍ର ସ୍ଥାନ ପାଇଛନ୍ତି। ସନ୍ଦୀପ ଖଲ୍ଲିକୋଟ କଲେଜ ପଡ଼ିଆରେ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ୍‌ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ପାଡ଼ୀ ଏବଂ ଜାତୀୟ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିୟମିତ ଅଭ୍ୟାସ କରନ୍ତି। ଚଳିତ ବର୍ଷ ବ୍ରହ୍ମପୁରରେ ଅନୁ‌ଷ୍ଠିତ କନିଷ୍ଠ ବର୍ଗର ରାଜ୍ୟ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା ପାଇଁ ପ୍ରତିନିଧିତ୍ବ କରି ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଜାତୀୟ ଦଳରେ ସ୍ଥାନ ପାଇ ଗତ ଫେବ୍ରୁଆରିରେ ମଣିପୁରରେ ଅନୁଷ୍ଠିତ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ରାଜ୍ୟ ପାଇଁ ପ୍ରତିନିଧିତ୍ବ କରି ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।

ସମ୍ବନ୍ଧିତ ଖବର