ଜୟସ୍ବାଲଙ୍କ ଶତକ, ପାକିସ୍ତାନକୁ ୧୦ ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ଭାରତ

ପଶ୍ଚଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା): ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ତା’ର ଆଧିପତ୍ୟ ଜାରି ରଖିଛି। ବିଶ୍ବକପ୍‌ ସାଙ୍ଗକୁ ଏସିଆ କପ୍‌ରେ ବି ପାକିସ୍ତାନକୁ ଘାଇଲା କରି ଆସୁଥିବା ଭାରତ ପୁର୍ନବାର ଏହି ଦଳକୁ ହରାଇ ଦେଇଛି। ଗତ ୨୦୧୮ ସଂସ୍କରଣ କନିଷ୍ଠ ବିଶ୍ବକପ୍‌ରେ ଭାରତ ଫାଇନାଲରେ ପାକିସ୍ତାନକୁ ୨୦୩ ରନ୍‌ର ବଡ଼ ବ୍ୟବଧାନରେ ହରାଇ ବିଜେତା ହୋଇଥିଲା। ଏବେ ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍ ବିଶ୍ବକପ୍‌ର ମଙ୍ଗଳବାର ଖେଳାଯା‌ଇଥିବା ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନକୁ ଶୋଚନୀୟ ଭାବେ ୧୦ ୱିକେଟ୍‌ରେ ପରାସ୍ତ କରି ୪ ଥର ବିଜେତା ଭାରତ କ୍ରମାଗତ ତୃତୀୟ ଏବଂ ମୋଟ ସପ୍ତମ ଥର ଫାଇନାଲ୍‌ରେ ପ୍ରବେଶ କରିଛି। ଅପରାଜିତ ଶତକୀୟ ପାଳି ଖେଳିଥିବା ଯଶସ୍ବୀ ଜୟସ୍ବାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଉଭୟ ଦଳ ଏହାକୁ ମିଶାଇ ଦଶମ ଥର ପାଇଁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲେ। ହେଲେ ମଙ୍ଗଳବାର ମୁକାବିଲା ସଂପୂର୍ଣ୍ଣ ଏକତରଫା ରହିଥିଲା। ପାକିସ୍ତାନ ପାଳିକୁ ୧୭୨ ରନ୍‌ରେ ସଫା କରିଦେବା ପରେ ପ୍ରାରମ୍ଭିକ ଯୋଡ଼ି ଯଶସ୍ବୀ ଜୟସ୍ବାଲ (୧୦୫*, ୧୧୩ ବଲ୍‌, ୮ ଚୌକା, ୬ ଛକା) ଏବଂ ଦିବ୍ୟାଂଶ ସାକ୍ସେନା (୫୯ ରନ୍‌, ୯୯ ବଲ୍‌, ୬ ଚୌକା)ଙ୍କ ଅପରାଜିତ ପାଳି ବଳରେ ଭାରତ ୮୮ ବଲ୍‌ ପୂର୍ବରୁ କୌଣସି ୱିକେଟ୍‌ ନହରାଇ ମ୍ୟାଚ୍‌ ଜିତି ନେଇଥିଲା। ଏଥି ସହିତ ଚଳିତ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ଏହି ବିଶ୍ବକପ୍‌ରେ ୪ ମ୍ୟାଚ୍‌ରୁ ୩ ଅର୍ଧଶତକ ଜମାଇଥିବା ଜୟସ୍ବାଲ ପ୍ରଥମ ଶତକ ହାସଲ କରି ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ। ଉଭୟ ଜୟସ୍ବାଲ ଓ ସାକ୍ସେନା ୩୫.୨ ଓଭରରେ ୧୭୬ ରନ୍ ଯୋଡ଼ି ପାକିସ୍ତାନ ବୋଲରଙ୍କୁ ପୂରା ନିରାଶ କରିଥିଲେ। ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତର ଏହା ତୃତୀୟ ସର୍ବାଧିକ ଭାଗୀଦାରି ଥିଲା। ଉଭୟ ଦଳ ନିଜ ନିଜ ଗ୍ରୁପ୍‌ରେ ଅପରାଜିତ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ହେଲେ ସେମିଫାଇନାଲ୍‌ରେ ଭାରତୀୟ ବୋଲରଙ୍କ କମାଲ ଆଗ‌ରେ ପାକିସ୍ତାନ ବ୍ୟାଟିଂକ୍ରମ ସଂପୂର୍ଣ୍ଣ ଭୁଶୁଡ଼ି ଯାଇଥିଲା। ବିଶେଷକରି କାର୍ତିକ ତ୍ୟାଗୀ (୮-୦-୩୨-୨), ସୁଶାନ୍ତ ମିଶ୍ରା (୮.୧-୦-୨୮-୩), ରବି ବିଷ୍ଣୋଇ (୧୦-୦-୪୬-୨), ଅଥର୍ବ ଅଙ୍କେ‌ାଲେକର (୭-୦-୨୯-୧) ଓ ଯଶସ୍ବୀ ଜୟସ୍ବାଲ (୩-୦-୧୧-୧)ଙ୍କ ମାପଚୁପ ବୋଲିଂ ନିକଟରେ ତିଷ୍ଠିନପାରି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପାକିସ୍ତାନ ୪୩.୧ ଓଭରରେ ୧୭୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ହାଇଦର ଅଲ୍ଲୀ (୫୬ ରନ୍‌, ୭୭ ବଲ୍‌, ୯ ଚୌକା) ଓ ଅଧିନାୟକ ରୋହେଲ ନାଜିର (୬୨ ରନ୍‌, ୧୦୨ ବଲ୍‌, ୬ ଚୌକା) ଅର୍ଧଶତକ ଜମାଇଥିଲା ବେଳେ ମହମ୍ମଦ ହାରିସ୍‌ ୨୧ ରନ୍‌ କରିଥିଲେ। ଆଉ କେହି ଏକ ଅଙ୍କ ଟପିପାରିନଥିଲେ।

ରନ୍‌ ଆଉଟ୍‌କୁ ନେଇ ପାକିସ୍ତାନୀ ପ୍ରଶଂସକଙ୍କ ସମାଲୋଚନା
ପାକିସ୍ତାନ ପାଳିରେ ଭାରତୀୟ ବୋଲରମାନେ ୯ ୱିକେଟ୍‌ ବାଣ୍ଟି ନେଇଥିଲା ବେଳେ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ କ୍ବାସିମ୍‌ ଆକ୍ରମ୍‌ ରନ୍‌ ଆଉଟ୍‌ ହୋଇଥିଲେ। ହାଇଦର ଅଲ୍ଲୀଙ୍କ ଆଉଟ୍‌ ପରେ ଅଧିନାୟକଙ୍କ ସହ କ୍ରିଜ୍‌ରେ ଯୋଗ ଦେଇଥିଲେ କ୍ବାସିମ। ସେ ମଧ୍ୟ ଅଧିନାୟକଙ୍କୁ ସାଥୀ ଦେଉଥିଲେ। ହେଲେ ରବି ବିଷ୍ଣୋଇ ବୋଲିଂ କରୁଥିବା ୩୧ତମ ଓଭରର ତୃତୀୟ ବଲ୍‌କୁ କ୍ବାସିମ୍‌ ଅଫ୍‌ ସାଇଡ୍‌କୁ ଠେଲିଦେଇ ସିଙ୍ଗଲ୍‌ ରନ୍‌ ନେବାକୁ ପ୍ରୟାସ କରିଥିଲେ। ଏହାକୁ ନାଜିର ପ୍ରଥମେ ଶୁଣିଥିଲେ ମଧ୍ୟ ପରେ ରନ୍‌ ‌ନନେଇ ଫେରିଯାଇଥିଲେ। ଫଳରେ ଉଭୟ ନାଜିର ଓ କ୍ବାସିମ୍ ନନ୍‌ ଷ୍ଟ୍ରାଇକର ପଟେ ରହିଯାଇଥିଲା। ଅଥର୍ବ ଅଙ୍କୋଲେକର ବଲ୍‌କୁ ଧରି ୱିକେଟ୍‌ରକ୍ଷକଙ୍କ ପାଖକୁ ଫିଙ୍ଗି ଦେଇଥିଲେ। ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ କୌଣସି ତ୍ରୁଟିନକରି ବେଲ୍‌ ଉଡାଇ ଦେଇଥିଲେ। କିନ୍ତୁ ଉଭୟଙ୍କ ଦୌଡ଼ରେ ନାଜିର ଆଗୁଆ ଥିବାରୁ ସେ ଆଉଟ୍‌ରୁ ବଞ୍ଚି ଯାଇଥିଲେ। ମାତ୍ର କ୍ବାସିମ୍‌ ରନ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ଏହାକୁ ପାକିସ୍ତାନୀ ପ୍ରଶଂସକ ସହଜରେ ଗ୍ରହଣ କରିପାରିନଥିଲେ। ପ୍ରଶଂସକମାନେ ତୁରନ୍ତ ଟ୍ବିଟରରେ ସମାଲୋଚନା ଆରମ୍ଭ କରିଦେଇଥିଲେ। ଆମେ ପୂର୍ବରୁ ଏଭଳି ଆଉଟ୍‌ ଏକାଧିକ ଥର ଦେଖିସାରିଛି; କେତେ ଥର ଆଉ ଦେଖିବୁ ବୋଲି ଟ୍ବିଟରରେ ଲେଖିଥିଲେ। ଅନ୍ୟ ଜଣେ ପାକିସ୍ତାନ ଦଳର ପ୍ରଦର୍ଶନ ଅସ୍ଥାୟୀ, ହେଲେ ରନ୍‌ ଆଉଟ୍‌ ସ୍ଥାୟୀ ବୋଲି ଟ୍ବିଟରରେ ଲେଖିଥିଲେ।

ସମ୍ବନ୍ଧିତ ଖବର