ହାମିଲଟନ୍‌ରେ ଉଡ଼ିଲା ହୋସ୍: ନ୍ୟୁଜିଲାଣ୍ଡର ଧମାକାଦାର ପ୍ରତ୍ୟାବର୍ତନ, ୮ ୱିକେଟ୍‌ରେ ହାରିଲା ଭାରତ

ହାମିଲଟନ: ନାପିଏର ଓ ମାଉଣ୍ଟ ମଙ୍ଗନୁଇରେ ନ୍ୟୁଜିଲାଣ୍ଡକୁ ନିଶ୍ବାସ ନେବାର ସୁଯୋଗ ଦେଇ ନଥିବା ଭାରତ ହାମିଲଟନ୍‌ରେ ଅଚାନକ ଓ ଆଶ୍ଚର୍ଯ୍ୟଜନକ ଭାବେ ଲଜ୍ଜାଜନକ କ୍ରିକେଟ୍ ଖେଳିଛି। ନିୟମିତ ଅଧିନାୟକ ବିରାଟ କୋହଲି ଓ ଜବରଦସ୍ତ ଫର୍ମରେ ଥିବା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବା ଭାରତ କିୱି ବୋଲରଙ୍କ ସିମ୍ ଓ ସୁଇଂ ଆଗରେ ଏକବାର ଘାଇଲା ହୋଇ ବଲ୍ ବ୍ୟବଧାନରେ ସର୍ବବୃହତ୍ ପରାଜୟ ବରଣ କରିଛି। ଗୁରୁବାର ହାମିଲଟନର ସେଡନ୍‌ ପାର୍କରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଭାରତ ମାତ୍ର ୯୨ ରନ୍‌ରେ ଅଲଆଉଟ୍ ହୋଇ ଯାଇଛି। ସେପଟେ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ତା’ର ଅସଲ ଦକ୍ଷତା ଦେଖାଇ ୯୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ୧୪.୪ ଓଭରରେ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଛି। ଫଳରେ ପାଞ୍ଚ ଟିକିଆ ଶୃଙ୍ଖଳାରେ ବିଜୟ ଖାତା ଖୋଲି ସ୍ଥିତି ୩-୧ କରି ନେଇଛି। ପ୍ରଥମ ତିନିଟି ଦିନିକିଆ ଜିତି ୧୦ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଶୃଙ୍ଖଳା ବିଜୟର ଐତିହାସିକ ସଫଳତା ଲାଭ କରିଥିବା ଭାରତ ୮ ୱିକେଟ୍ ପରାଜୟ ସହ ସେଡନ ପାର୍କରେ ସର୍ବନିମ୍ନ ଦଳଗତ ସ୍କୋର କରିବାର ଅଲୋଡ଼ା କୀର୍ତ୍ତିମାନ କରିଛି। ଶୃଙ୍ଖଳା ବିଜୟ ପରେ କରିଥିବା ପରୀକ୍ଷା ନିରୀକ୍ଷାରେ ମଧ୍ୟ ବିଫଳ ହୋଇଛି। ସେହିଭଳି ଗତବର୍ଷ ୧୯ ବର୍ଷରୁ କମ୍ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁବମନ୍ ଗିଲ (୯) ନିଜ ପଦାର୍ପଣ ମ୍ୟାଚ୍‌ରେ ଏକ ଅଙ୍କ ଆଗକୁ ବଢ଼ି ପାରିନାହାନ୍ତି। କାମଚଳା ଅଧିନାୟକ ରୋହିତ ଶର୍ମା (୭)ଙ୍କ ୨୦୦ତମ ଦିନିକିଆ ମଧ୍ୟ ଫିକା ପଡ଼ିଯାଇଛି। ହାମିଲଟନରେ ଷଷ୍ଠ ମ୍ୟାଚ୍ ଖେଳି ଭାରତ ପଞ୍ଚମ ପରାଜୟ ବରଣ କରିଛି। ଶୃଙ୍ଖଳାର ପଞ୍ଚମ ତଥା ଶେଷ ଦିନିକିଆ ୱେଲିଂଟନରେ ଫେବ୍ରୁଆରି ୩ ତାରିଖ (ରବିବାର)ରେ ଖେଳାଯିବ। ନ୍ୟୁଜିଲାଣ୍ଡ ଏଥିରେ ୩-୨ କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଭାରତ ୪-୧ ବିଜୟ ସହ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଯିବାର ଆଶାରେ ପଡ଼ିଆକୁ ଓହ୍ଲାଇବ।

ସେଡନ୍‌ ପାର୍କରେ ସର୍ବନିମ୍ନ ସ୍କୋର
ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ୪-୦ରେ ଆଗୁଆ ‌ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଉପରକୁ ଗୁରୁବାର ଟସ୍ ହାରିବା ପରେ ପରେ ହିଁ ଦୁର୍ଦ୍ଦଶା ମାଡ଼ି ଆସିଥିଲା। ସୁଇଂ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ‌ଟ୍ରେଣ୍ଟ ବୋଲ୍ଟ (୧୦-୪-୨୧-୫) ଭାରତ ଉପରେ ଆରମ୍ଭରୁ ଅଗ୍ନିବର୍ଷା କରିଥିଲେ। ଇନ୍ ଓ ଆଉଟ୍ ସୁଇଂରେ ଘାଇଲା କରି ୨୩ ରନ୍ ଭିତରେ ଭାରତର ଦକ୍ଷ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା‌ ଓ ଶିଖର ଧାୱନ (୧୩)ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। କୋହଲିଙ୍କ ସ୍ଥାନ ନେଇଥିବା ପଦାର୍ପଣକାରୀ ଶୁବମନ ପ୍ରଥମ ୬ ବଲ୍‌କୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ପରେ ସପ୍ତମ ବଲ୍‌ରେ ହେନରି ନିକୋଲ୍ସଙ୍କୁ ଚୌକା ମାରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ରନ୍ କରିଥିଲେ। ତେବେ ବୋଲ୍ଟଙ୍କ ଚତୁର ବୋଲିଂ ଆଗରେ ହାର ମାନିଥି‌ଲେ। ଷ୍ଟମ୍ପ ଉପରେ ଥିବା ଲେନ୍ଥ ବଲ୍‌କୁ ରୋହିତଙ୍କ ଭଳି ସିଧା ବୋଲ୍ଟଙ୍କ ହାତକୁ ଦେଇ କ୍ରିଜ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ସେ। ତେବେ କଲିନ ଡି ଗ୍ରାଣ୍ଡ୍‌ହୋମେଙ୍କ ଗୋଟିଏ ଓଭରରେ ଅମ୍ବାତି ରାୟୁଡୁ (୦) ଓ ଦୀନେଶ କାର୍ତିକ ନିଜ ନିଜ ୱିକେଟ୍ ଫିଙ୍ଗି ଦେବା ଭାରତକୁ ସବୁଠାରୁ ବେଶୀ ବାଧିଥିଲା। ଏମାନଙ୍କ ଦାୟିତ୍ବହୀନ ବ୍ୟାଟିଂ ପାଇଁ ପ୍ରଥମ ତିନି ଦିନିକିଆରେ ଅପରାଜେୟ ମନେ ହୋଇଥିବା ଭାରତ ୩୩ ରନ୍‌ରେ ହିଁ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ସେହି ୩୩ ରନ୍‌ରେ କେଦାର ଯାଦବ (୧) ମଧ୍ୟ ବୋଲ୍ଟଙ୍କ ଆଉ ଏକ ଶିକାର ବନିଥିଲେ। ବେପରୁଆ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବୋଲ୍ଟଙ୍କ ଚାରିଟି ବଲ୍‌ରୁ ତିନିଟି ଚୌକା କରି ନିଜ ଆକ୍ରମଣାତ୍ମକ ଖେଳର ଝଲକ ଦେଇଥିଲେ। ହେଲେ ପର ଓଭରରେ ଏକ ଅକାଟ୍ୟ ବାଉନ୍ସରକୁ ଖେଳି ନପାରି କ୍ୟାଚ୍ ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ସ୍ପିନ୍ ଯୋଡ଼ି ୟୁଜବେନ୍ଦ୍ର ଚହଲ (୧୮*) ଓ କୁଲଦୀପ ଯାଦବ (୧୬)ଙ୍କ ମଧ୍ୟରେ ହୋଇଥିବା ୩୫ ରନ୍‌ର ଭାଗୀଦାରି ପାଇଁ ଭାରତ ଗୁରୁଣ୍ଡି ଗୁରୁଣ୍ଡି ୧୦୦ ରନ୍‌ର ନିକଟତର ‌ହୋଇ ପାରିଥିଲା। ତଥାପି ସେଡନ୍ ପାର୍କରେ ସବର୍ନିମ୍ନ ଦଳଗତ ସ୍କୋର କରିବାର ଲଜ୍ଜାକୁ ଟାଳି ପାରିନଥିଲା। ଅବଶ୍ୟ ଏହି ପଡ଼ିଆରେ ସବର୍ନିମ୍ନ ଦଳଗତ ସ୍କୋର୍‌ର ଅପଯଶ ପୂର୍ବରୁ ଭାରତ (୧୨୨) ନାଁରେ ରହିଥିଲା। ୨୦୧୦ ପରଠାରୁ କିନ୍ତୁ ଭାରତ ଆଜି ନିଜର ସର୍ବନିମ୍ନ ଦଳଗତ ସ୍କୋର କରିଥିଲା।

ଛକାରୁ ଆରମ୍ଭ, ଚୌକାରେ ଶେଷ
୯୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଓଭରରୁ ହିଁ ୧୪ ରନ୍ ଅମଳ କରି ନେଇଥିଲା। ଭୁବନେଶ୍ବର କୁମାରଙ୍କ ପ୍ରଥମ ତିନି ବଲ୍‌କୁ ଘରୋଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ ଆରାମରେ ସୀମା ରେଖା ବାହାରକୁ ପଠାଇ ଦେଇଥିଲେ। ପ୍ରଥମ ବଲ୍‌କୁ ଛକା ଏବଂ ପରବର୍ତୀ ଦୁଇ ବଲ୍‌କୁ ଚୌକା ମାରିବା ପରେ ଅବଶ୍ୟ ଚତୁର୍ଥ ବଲ୍‌ରେ ତାଙ୍କୁ ଆଉଟ୍ କରି ଭୁବନେଶ୍ବର ତୁରନ୍ତ ଏହାର ମଧୁର ପ୍ରତିଶୋଧ ନେଇଥିଲେ। ତେବେ ଛୋଟିଆ ଲକ୍ଷ୍ୟ ହୋଇଥିବାରୁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ନିର୍ଭୟରେ ନିଜ ସ୍ବାଭାବିକ ଖେଳ ଖେଳିଥିଲେ। ଦ୍ବିତୀୟ ଓ ଶେଷ ୱିକେଟ୍ ଭାବେ ଅଧିନାୟକ କେନ୍ ୱିଲିୟମସନ୍ (୧୧) ସେହି ଭୁବନେଶ୍ବରଙ୍କ ଶିକାର ହୋଇଥିଲେ। ତେବେ ରସ୍ ଟେଲର (୩୭* ରନ୍, ୨୫ ବଲ୍, ୨ ଚୌକା, ୩ ଛକା) ଓ ହେନରି ନିକୋଲ୍ସ (୩୦* ରନ୍, ୪୨ ବଲ୍, ୪ ଚୌକା, ୧ ଛକା) ଅବିଭାଜିତ ତୃତୀୟ ୱିକେଟ୍‌ରେ ୫୪ ରନ୍ ଯୋଡ଼ି ୧୪.୪ ଓଭରରେ ହିଁ ନ୍ୟୁଜିଲାଣ୍ଡକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ୟୁଜବେନ୍ଦ୍ର ଚହଲଙ୍କୁ ଛକା, ଚୌକା ମାରି ଟେଲର ଏଥିରେ ମୁଣ୍ଡି ମାରିଥିଲେ। ଗପ୍ଟିଲ ଛକାରୁ ନ୍ୟୁଜିଲାଣ୍ଡର ପଛୁଆ ବ୍ୟାଟିଂ ଆରମ୍ଭ କରିଥିଲା ବେଳେ ଟେଲର ଚୌକାରେ ଏହାକୁ ଶେଷ କରିଥିଲେ।

ହାଡ୍‌ଲିଙ୍କ ସମକକ୍ଷ ହେଲେ ବୋଲ୍ଟ
ଗୁରୁବାରର ମ୍ୟାଚ୍ ବିଜୟୀ ପ୍ରଦର୍ଶନ ସହ ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ଦିନିକିଆରେ ପଞ୍ଚମ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ଏହା କରି ସେ ମହାନ କିୱି ବୋଲର ରିଚାର୍ଡ ହାଡଲିଙ୍କ ସମକକ୍ଷ ହୋଇଥିଲେ। ପାଞ୍ଚଟି ପାଞ୍ଚ ୱିକେଟ୍ ସଫଳତା ଲାଗି ହାଡ୍‌ଲି ୧୧୫ ଦିନିକିଆ ନେଇଥିଲା ବେଳେ ବୋଲ୍ଟ ମାତ୍ର ୭୫ ଦିନିକିଆରେ ଏହାକୁ କରାୟତ କରି ନେଇଛନ୍ତି। ପ୍ରଥମ ୭୫ ଦିନିକିଆରେ କେବଳ ୱାକର ୟୁନିସ୍ (୬) ବୋଲ୍ଟଙ୍କଠାରୁ ଅଧିକ ଥର ପାଞ୍ଚ ୱିକେଟ୍ ସଫଳତା ଲାଭ କରିଛନ୍ତି। ଲାନ୍ସ କ୍ଲୁଜନର ଏବଂ ମିଚେଲ ଷ୍ଟାର୍କ ମଧ୍ୟ ନିଜ ନିଜ ପ୍ରଥମ ୭୫ ଦିନିକିଆରେ ପାଞ୍ଚଟି ଲେଖାଏଁ ପାଞ୍ଚ ୱିକେଟ୍ ସଫଳତା ପାଇଛନ୍ତି। ବୋଲ୍ଟ ମଧ୍ୟ ଡାନିଏଲ୍ ଭିଟୋରୀ (୧୨୯)ଙ୍କ ପରେ ଦ୍ବିତୀୟ ବୋଲର ଭାବେ ନ୍ୟୁଜିଲାଣ୍ଡରେ ୧୦୦ ଦିନିକିଆ ୱିକେଟ୍ ପୂରଣ କରିଥିଲେ।

ବାସ୍ତବତା‌ ଜାଣିପାରିଲୁ: ଭୁବନେଶ୍ବର
ହାମିଲଟନ୍‌ରେ ଲଜ୍ଜାଜନକ ପରାଜୟ ଭାରତୀୟ ଖେଳାଳିଙ୍କ ପାଇଁ ଏକ ବଡ଼ ଝଟ୍‌କା ହୋଇଛି। ଏହି ଅଦିନିଆ ଝଡ଼ରେ ଅଧିକାଂଶ ପୂରା ଦୋହଲି ଯାଇଛନ୍ତି। ତେବେ ପରାଜୟକୁ ସକାରାତ୍ମକ ଢଙ୍ଗରେ ନେଇଛନ୍ତି ଦ୍ରୁତ ବୋଲର ଭୁବନେଶ୍ବର କୁମାର। ଚତୁର୍ଥ ଦିନିକିଆର ଅପ୍ରତ୍ୟାଶିତ ପରାଜୟ ପରେ ଶୃଙ୍ଖଳାର ବଳକା ମ୍ୟାଚ୍ ପୂର୍ବରୁ ଆମେ ବାସ୍ତବତାକୁ ବୁଝି ପାରିଛୁ ବୋଲି ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ଭୁବି କହିଛନ୍ତି। ଗୁରୁବାରର ଏକତରଫା ପରାଜୟକୁ ନେଇ ସେ ମତ ରଖିଥିଲେ ଯେ ଆପଣ ଯଦି ଗତ କିଛି ମାସର ପ୍ରଦଶର୍ନକୁ ତର୍ଜମା କରିବେ, ତାହାଲେ ଜାଣି ପାରିବେ ଯେ ଆମେ ଭଲ କ୍ରିକେଟ୍ ଖେଳିଛୁ। କେବେ କେବେ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଥିପାଇଁ ଏଥିରୁ ଆମକୁ ବାସ୍ତବତା ଜଣାପଡ଼ିଛି। ଆଗାମୀ ମ୍ୟାଚ୍‌ରେ ଆମକୁ କଣ କରିବାକୁ ହେବ? କେଉଁ କ୍ଷେତ୍ରରେ ସୁଧାର ଆଣିବାକୁ ହେବ ତାହା ଆମେ ଭଲ ଭାବରେ ବୁଝି ପାରିଛୁ। ଶୃଙ୍ଖଳା ଜିତିବା ପରେ ଆମ ଆତ୍ମବିଶ୍ବାସ ଢେର ଉଚ୍ଚରେ ଥିଲା। ହେଲେ ପରିସ୍ଥିତି ଆମ ସପକ୍ଷରେ ଯାଇ ନଥିଲା। ମୁଁ ନ୍ୟୁଜିଲାଣ୍ଡଠାରୁ ବିଜୟର ଶ୍ରେୟ ଛାଡ଼ାଇ ନେବିନି। ସେମାନେ ଏହାର ହକ୍‌ଦାର ଥିଲେ। ସେମାନେ ସତରେ ବଢ଼ିଆ ବୋଲିଂ କରିଥିଲେ, ଆମକୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ।

ଅନ୍ୟତମ ଖରାପ ବ୍ୟାଟିଂ ପ୍ରଦର୍ଶନ: ରୋହିତ
ହାମିଲଟନ୍‌ରେ ଭାରତର ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ ନେଇ କାମଚଳା ଅଧିନାୟକ ରୋହିତ ଶର୍ମା ବିସ୍ମୟ ପ୍ରକଟ କରିଛନ୍ତି। ଦୀର୍ଘ ଦିନ ମଧ୍ୟରେ ଆମ ଦଳର ଏହା ଅନ୍ୟତମ ଖରାପ ବ୍ୟାଟିଂ ପ୍ରଦର୍ଶନ ବୋଲି ନିରାଶ ରୋହିତ ମ୍ୟାଚ୍ ପରେ କହିଛନ୍ତି। ଆମେ ଏଭଳି କିଛି ଆଶା କରି ନଥିଲୁ। ଆପଣଙ୍କୁ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଶ୍ରେୟ ଦେବାକୁ ହେବ। ସେମାନଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ। ଘରୋଇ ବୋଲରମାନେ ପାଗ ଏବଂ ପରିବେଶରୁ ଭରପୁର ଫାଇଦା ଉଠାଇଲେ। ଆମେ ଏଥିରୁ ଅନେକ କିଛି ଶିଖିଲୁ। ଆମ ବିପର୍ଯ୍ୟୟ ପାଇଁ ଆମେ ନିଜେ ହିଁ ଦାୟୀ। ଏକଦା ସ୍ଥିତି ଭଲ ଥିଲା। ହେଲେ ପରେ ଆମ ହାତରୁ ସବୁକିଛି ଖସି ଯାଇଥିଲା। ଖରାପ ସଟ୍ ଚୟନ ହିଁ ଆମ ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି ରୋହିତ ନିଜ ପ୍ରତିକ୍ରିୟାରେ ମତ ରଖିଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ନିଜ ବୋଲରଙ୍କୁ ମନଖୋଲା ପ୍ରଶଂସା କରିଥିଲେ। ବୋଲରଙ୍କ ପାଇଁ ହିଁ ଆମେ ଏହି ମ୍ୟାଚ୍ ଜିତିଲୁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ହାମିଲଟନ୍ ମୁକାବିଲା ରୋହିତଙ୍କ ଖେଳ ଜୀବନର ୨୦୦ତମ ଦିନିକିଆ ଥିଲା। ହେଲେ ନ୍ୟୁଜିଲାଣ୍ଡ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂ ପାଇଁ ଏହା ଏକବାର ଫିକା ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର