କୋହଲି, ଭୁବି ଦେଲେ ସାନ୍ତ୍ବନା: ଭାରତ ୧୦୧ ରନ୍‌ରେ ଜିତିଲା

ପତ୍ନୀ ଓ ଝିଅକୁ ଶତକ ଉତ୍ସର୍ଗ

ଦୁବାଇ: ଦୀପ ଲିଭିଯିବା ପୂର୍ବରୁ ଜୋରରେ ଜଳି ଉଠିଥାଏ। ଭାରତୀୟ କ୍ରିକେଟ୍‌ ଦଳର ଏସିଆ କପ୍‌ ଅଭିଯାନ କିନ୍ତୁ ମଉଳିଯିବା ପରେ ତେଜ ଦେଖାଇଛି। ଅବଶ୍ୟ ସାନ୍ତ୍ବନାମୂଳକ ବିଜୟରେ। ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ବିସ୍ଫୋରକ ଶତକ (୬୧ ବଲ୍‌ରୁ ୧୨୨*, ୧୨ ଚୌକା, ୬ ଛକା) ପରେ ଭୁବନେଶ୍ବର କୁମାରଙ୍କ ଘାତକ ବୋଲିଂ (୪-୧-୪-୫) ଭାରତକୁ ବିଜୟ ସହ ବିଦାୟ ଦେଇଛି। ୭ ଥର ବିଜେତା ଭାରତ କିନ୍ତୁ ଫାଇନାଲ୍ ଖେଳିବା ପୂର୍ବରୁ ଏସିଆ କପ୍‌ ଅଭିଯାନ ଶେଷ କରିଛି। ରବିବାର ଫାଇନାଲ୍‌ ଖେଳିବା ପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ଶୁକ୍ରବାର ଅନ୍ତିମ ସୁପର୍‌ ଫୋର୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଭାରତ ଓ ଆଫ୍‌ଗାନିସ୍ତାନ ଗ୍ରୁପ୍‌ ବିଜେତା ହୋଇ ସୁପର୍‌ ଫୋର୍‌କୁ ଆସିଥିଲେ ମଧ୍ୟ ଆଗକୁ ନ ବଢ଼ି ଉଭୟ ଅଭିଯାନ ଶେଷ କରିଛନ୍ତି।

ଗୁରୁବାର ଆଫଗାନିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରୋହିତ ଶର୍ମା ବିଶ୍ରାମ ‌ନେଇଯିବାରୁ କେଏଲ୍ ରାହୁଲ ଦଳର ନେତୃତ୍ବ ସମ୍ଭାଳିଥିଲେ। ଭାରତ ମଧ୍ୟ ହାର୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ୟୁଝବେନ୍ଦ୍ର ଚହଲଙ୍କ ବଦଳରେ ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ୍‌ ଓ ଦୀପକ ଚହରଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇଥିଲା। ଲଗାତାର ମ୍ୟାଚ୍‌ ଖେଳୁଥିବା କ୍ଲାନ୍ତ ଆଫଗାନିସ୍ତାନ ବୋଲରଙ୍କୁ ପ୍ରଥମରୁ ଧୂଲେଇ କରିଥିଲେ ଭାରତର ନୂଆ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ ଏବଂ ବିରାଟ କୋହଲି। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୨.୪ ଓଭରରେ ୧୧୯ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। କୋହଲି ପାଳି ସାରା ଖେଳି ୧୨୨* ରନ୍‌ କରିଥିବା ବେଳେ ରାହୁଲ ଚଳିତ ଏସିଆ କପ୍‌ରେ ନିଜର ପ୍ରଥମ ଅର୍ଦ୍ଧଶତକ (୪୧ ବଲ୍‌ରୁ ୬୨ ରନ୍‌, ୬ ଚୌକା, ୨ ଛକା) ହାସଲ କରିଥିଲେ। କୋହଲିଙ୍କ ପାଳିକୁ ଦୁଇ ଭାଗରେ ଦେଖିଲେ ତାଙ୍କ ଆତ୍ମବିଶ୍ବାସର ନିର୍ଯ୍ୟାସ ନଜରକୁ ଆସିବ। ପ୍ରଥମ ୪୦ ବଲ୍‌ରୁ ସେ ୫୯ ରନ୍‌ କରିଥିଲେ। ପରବର୍ତୀ ୨୧ ବଲ୍‌ରୁ ଯୋଡ଼ିଥିଲେ ୭୨ ରନ୍‌। ଶତକ ହାସଲ କରିବା ମାତ୍ରେ କୋହଲିଙ୍କ ମୁହଁର ବହୁ ପ୍ରତୀକ୍ଷିତ ହସ ଫୁଟିବା ସାଙ୍ଗକୁ ସେ ନିଜ ବେକରୁ ରିଙ୍ଗ କାଢ଼ି ଚୁମିବାରେ ଲାଗିଥିଲେ। ବିଗତ ଅଢ଼େଇ ବ‌ର୍ଷ ମୋତେ ଅନେକ କିଛି ଶିଖାଇଥିଲା ବୋଲି ଭାବବିହ୍ବଳ କୋହଲି ପ୍ରକାଶ କରିଥିଲେ। ରାହୁଲଙ୍କ ବିଦାୟ ପରେ ସୂର୍ଯ୍ୟକୁମାର ଯାଦବ ସଅଳ ଫେରିଯାଇଥିଲେ। କୋହଲିଙ୍କ ସହ କିନ୍ତୁ ଋଷଭ ପନ୍ତ (୧୬ ବଲ୍‌ରୁ ୨୦* ରନ୍‌) ଅତୁଟ ତୃତୀୟ ୱିକେଟ୍ ପାଇଁ ୮୭ ରନ୍‌ ଯୋଡ଼ିଥିଲେ। ଭାରତ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣ ଏସିଆ କପ୍‌ରେ ୨୦୦ ରନ୍‌ ଅତିକ୍ରମ କରି ୨୧୨/୨ରେ ଅଭିଯାନ ଶେଷ କରିଥିଲା।

ଜବାବରେ ଭାରତକୁ ନିଜର ପ୍ରଥମ ୨ ଓଭର ଭିତରେ ୪ ୱିକେଟ୍‌ ଦେଇଥିଲେ ଭୁବନେଶ୍ବର କୁମାର। ଭୁବିଙ୍କ ଶାଣିତ ଇନ୍‌ ସୁଇଙ୍ଗରେ ଆଫଗାନ୍ ବ୍ୟାଟର୍‌ ଆତ୍ମସମର୍ପଣ କରିଥିଲେ। କେବଳ ମିତ୍ତବ୍ୟୟୀ ନୁହେଁ ୱିକେଟ୍‌ ଦଖଲରେ ମଧ୍ୟ ନିଜର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ପାୱାର ପ୍ଲେ ଭିତରେ ଆଫଗାନିସ୍ତାନ ୨୧ ରନ୍‌ ଭିତରେ ୫ ୱିକେଟ୍‌ ହରଇବା ପରେ ୧୧୧/୮ରେ ସୀମିତ ରହିଯାଇଥିଲା। ଭାରତ ୧୦୧ ରନ୍‌ର ବଡ଼ ବ୍ୟବଧାନରେ ଜିତିଥିଲା। ରନ୍‌ ବ୍ୟବଧାନରେ ଏହା ହେଉଛି ଭାରତର ଦ୍ବିତୀୟ ସର୍ବାଧିକ ବିଜୟ। ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିଦ୍‌ ଜଦ୍ରାନ (୬୪* ରନ୍‌) କେବଳ ଲଢ଼ିଥିଲେ।

କୀର୍ତ୍ତିମାନ ପଥେ ପଥେ କୋହଲି
-ଚତୁର୍ଥ ଭାରତୀୟ ଭାବେ ସମସ୍ତ ଫର୍ମାଟରେ ଶତକ ହାସଲ କଲେ କୋହଲି। ପୂର୍ବରୁ ଏହି କ୍ଲବ୍‌ରେ ଥିଲେ ସୁରେଶ ରାଇନା, ରୋହିତ ଶର୍ମା, କେଏଲ୍ ରାହୁଲ୍‌। ଷଷ୍ଠ ଭାରତୀୟ ଭାବେ ଟ୍ବେଣ୍ଟି-୨୦ରେ ଶତକ ମାରିଲେ। ପୂର୍ବରୁ ରୋହିତ ଶର୍ମା, କେଏଲ୍ ରାହୁଲ, ସୁରେଶ ରାଇନା, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା ଏହି କ୍ଲବ୍‌ରେ ଥିଲେ।
-ସମସ୍ତ ଶ୍ରେଣୀୟ ଟ୍ବେଣ୍ଟି-୨୦ରେ ସର୍ବାଧିକ ଶତକ (୬) ହାସଲ କରିବାରେ ଭାରତୀୟଙ୍କ କ୍ଲବ୍‌ରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ସମକକ୍ଷ।
-ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଛକା ମାରି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ପୂର୍ଣ୍ଣ କଲେ।
-ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ୩,୫୦୦ ରନ୍‌ ଅତିକ୍ରମ କଲେ।
-ତୃତୀୟ ଭାରତୀୟ ତଥା ବିଶ୍ବର ସପ୍ତମ ଖେଳାଳି ଭାବେ ୨୪,୦୦୦ ଅନ୍ତର୍ଜାତୀୟ ରନ୍‌ ପୂର୍ଣ୍ଣ କଲେ। ସଚିନଙ୍କ ୫୪୦ ପାଳିକୁ ପଛରେ ପକାଇ କୋହଲି (୫୨୨ ପାଳି) ଦ୍ରୁତତମ ଭାରତୀୟ ହୋଇଛନ୍ତି।
-ବିରାଟ କୋହଲି ମଧ୍ୟ ପ୍ରଥମ ବ୍ୟାଟର୍ ଭାବେ ପୁରୁଷ ଏସିଆ କପ୍‌ର ଟ୍ବେଣ୍ଟି-୨୦ ଫର୍ମାଟରେ ଶତକ ହାସଲ କଲେ।
ପତ୍ନୀ ଓ ଝିଅକୁ ଶତକ ଉତ୍ସର୍ଗ
ପ୍ରାୟ ଅଢ଼େଇ ବର୍ଷ ପରେ ଆନ୍ତର୍ଜାତିକ ଶତକ ଅର୍ଜନ କରିଥିବା ବିରାଟ କୋହଲି ନିଜର ଏହି ଶତକକୁ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କୁ ଉତ୍ସର୍ଗ କରିଛନ୍ତି। ମ୍ୟାଚ୍‌ ପରେ ବିରାଟ କହିଥିଲେ, ମୋର ବିଫଳତା ବେଳେ ଜଣେ ବ୍ୟକ୍ତି ସର୍ବଦା ମୋ ସହିତ ରହିଥିଲେ। ସେ ହେଉଛନ୍ତି ଅନୁଷ୍କା। ତେଣୁ ଏହି ୭୧ତମ ଆନ୍ତର୍ଜାତିକ ଶତକ ପାଇଁ ତାଙ୍କୁ ଧନ୍ୟବାଦ। ମୁଁ ମୋର ଏହି ଶତକକୁ ମୋ ପତ୍ନୀ ସହ ଭାମିକାଙ୍କୁ ଉତ୍ସର୍ଗ କରୁଛି।

ସମ୍ବନ୍ଧିତ ଖବର