ଇଣ୍ଡିଆନ୍ ଲିଜେଣ୍ଡସ୍‌ର ନେତୃତ୍ବ ନେବେ ସଚିନ: ସେହବାଗ, ଗମ୍ଭୀର ବିକଳ୍ପ ଲିଗ୍‌ ଅଧିନାୟକ

ଭୁବନେଶ୍ବର: ରୋଡ୍‌ ସେଫଟି ବିଶ୍ବ ସିରିଜ୍ (ଆର୍‌ଏସ୍‌ଡବୁଲ୍ୟଏସ୍‌) କ୍ରିକେଟ୍‌ର ଦ୍ବିତୀୟ ସଂସ୍କରଣ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଦେଶର ୪ଟି ସହର କାନପୁର, ରାଇପୁର, ଇନ୍ଦୋର ଓ ଡେରାଡୁନ୍‌ରେ ଅନୁଷ୍ଠିତ ହେବ। କାନପୁରରେ ଉଦ୍‌ଘାଟନୀ ଏବଂ ରାଇପୁରରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା‌ ହେଲା ପ୍ରଥମ ସଂସ୍କରଣ ବିଜେତା ଇଣ୍ଡିଆ ଲିଜେଣ୍ଡ୍‌ସର ନେତୃତ୍ବ ନେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନ୍ୟୁଜିଲାଣ୍ଡ୍‌ ଲିଜେଣ୍ଡସ ଏଥର ନୂଆ ଦଳ ଭାବେ ‌ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡର ପୂର୍ବତନ କିଂବଦନ୍ତି ଖେଳାଳିମା‌ନେ ଏହି ୨୨ ଦିନିଆ ଲିଗ୍‌ରେ ଭାଗନେବେ। ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ବିଭାଗ ସହିତ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏହି ପ୍ରତିଯୋଗିତାକୁ ସହାୟତା ପ୍ରଦାନ କରିଆସୁଛନ୍ତି। ଆମେରିକାର ଟ୍ବେଣ୍ଟିସେଭେନ୍ଥ ଇନଭେଣ୍ଟମେଣ୍ଟ କମ୍ପାନି ଏହାର ମାର୍କେଟିଂ ଦାୟିତ୍ବ ନେଇଥିବା ବେଳେ ପିଏମଜି ଏହାର ଇଭେଣ୍ଟ ମ୍ୟାନେଜର ରହିଛି। ଦୁଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଏବଂ ଅନୁରାଗ ଠାକୁର ଏହାକୁ ସମର୍ଥନ କରୁଛନ୍ତି। ଦେଶରେ ଶହ ଶହ ଜୀବନ ଦୁର୍ଘଟଣାରେ ଚାଲି ଯାଉଥିବାରୁ ଏ ସମ୍ପର୍କରେ ସଚେତନତା ଜାଗ୍ରତ କରିବା ପ୍ରତିଯୋଗିତାର ମୁଖ୍ୟ ଲକ୍ଷ୍ୟ ରହିଛି।

ସେହବାଗ, ଗମ୍ଭୀର ବିକଳ୍ପ ଲିଗ୍‌ ଅଧିନାୟକ
ବିଶ୍ବ ସିରିଜ୍‌ ସହ ତାଳ ଦେଇ ଚଳିତ ବର୍ଷଠାରୁ ଅନ୍ୟ ଏକ ଲିଜେଣ୍ଡସ ଲିଗ୍‌ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୧୬ରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାର ନାମ ଲିଜେଣ୍ଡସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି) ରଖାଯାଇଛି। ୪ ଦଳୀୟ ଏବଂ ୧୬ ମ୍ୟାଚ୍‌ ବିଶିଷ୍ଟି ଏହି ପ୍ରତିଯୋଗିତାରେ ବୀରେନ୍ଦ୍ର ସେହବାଗ ଓ ଗୌତମ ଗମ୍ଭୀର ମଧ୍ୟ ଗୋଟିଏ ଲେଖାଏଁ ଦଳର ନେତୃତ୍ବ ‌ନେବେ ବୋଲି ଘୋଷଣା କରାଯାଇଛି। ଆଦାନି ପ୍ରା‌ୟୋଜିତ ଗୁଜରାଟ ଜାଏଣ୍ଟ୍‌ସର ଭାର ସେହବାଗ ସମ୍ଭାଳିବେ। ଇଣ୍ଡିଆ କ୍ୟାପିଟାଲ୍‌ସର ନେତୃତ୍ବ ‌ନେବେ ଗମ୍ଭୀର। ଏହ‌ି ଲିଗ୍‌ର ମ୍ୟାଚ୍‌ଗୁଡିକ କୋଲକାତା, ଲକ୍ଷ୍ନୌ, ନୂଆଦିଲ୍ଲୀ, କଟକ ଓ ଯୋଧପୁରରେ ହେବ। ପ୍ଲେ ଅଫ୍‌ ଓ ଫାଇନାଲ୍ ସ୍ଥାନ ନିର୍ଧାରିତ ହୋଇନାହିଁ।

ସମ୍ବନ୍ଧିତ ଖବର