ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି: ମହିଳାରେ ଭାରତ-େଓ୍ଵଲ୍‌ସ ଉଦ୍‌ଘାଟନୀ ମୁକାବିଲା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ୨୦୧୮ରେ ଅଷ୍ଟ୍ରେଲିଆର ଗୋଲ୍‌ଡ୍‌ କୋଷ୍ଟରେ ଆୟୋଜିତ ହେବ। ଏହି କ୍ରୀଡ଼ାରେ ୧୦ ଦଳୀୟ ବିଶିଷ୍ଟ ହକି ପ୍ରତିଯୋଗିତା ବିଶ୍ୱସ୍ତରୀୟ ଗୋଲ୍‌ଡ କୋଷ୍ଟ ହକି ସେଣ୍ଟରରେ ଏପ୍ରିଲ ୫ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ। ଏଥିପାଇଁ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ମଙ୍ଗଳବାର ଗୋଲ୍‌ଡ କୋଷ୍ଟ ହକି ସେଣ୍ଟରରେ ଉଭୟ ପୁରୁଷ ଓ ମହିଳା ବର୍ଗର ସୂଚୀ ଘୋଷଣା କରିଛି। ଉଭୟ ବିଭାଗରେ ଅଂଶଗ୍ରହଣ କରୁଥିବା ୧୦ ଦଳକୁ ଦୁଇଟି ପୁଲ୍‌ରେ ଭାଗ କରାଯାଇଛି। ପ୍ରତି ପୁଲ୍‌ରେ ୫ ଲେଖାଏଁ ଦଳ ରହିଛନ୍ତି। ପୁଲ୍‌ ପର୍ଯ୍ୟାୟରେ ପ୍ରତି ଦଳ ପରସ୍ପର ସହ ଥରେ ଲେଖାଏଁ ମ୍ୟାଚ୍‌ ଖେଳିବେ। ହକି ପ୍ରତିଯୋଗିତାରେ ମୋଟ ୫୪ ମ୍ୟାଚ୍‌ (ଉଭୟ ପୁରୁଷ ଓ ମହିଳା) ଖେଳାଯିବ। ଏସୀୟ ବିଜେତା ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଗତ ସଂସ୍କରଣ କାଂସ୍ୟ ବିଜେତା ଇଂଲଣ୍ଡ, ମାଲେସିଆ ଏବଂ େଓ୍ଵଲ୍‌ସ ସହ ପୁଲ୍‌-ବି’ରେ ସ୍ଥାନ ପାଇଥିଲା ବେଳେ ୫ ଥର ବିଜେତା ତଥା ଆୟୋଜକ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଦକ୍ଷିଣ ଆଫ୍ରିକା, କାନାଡା ଓ ସ୍କଟ୍‌ଲାଣ୍ଡ୍‌ ପୁଲ୍‌-ଏ’ରେ ସାମିଲ ହୋଇଛନ୍ତି। ଭାରତ ପୁରୁଷ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଏପ୍ରିଲ ୭ ତାରିଖରେ ଭେଟି ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ଏପ୍ରିଲ ୮ରେ େଓ୍ଵଲ୍‌ସ, ୧୦ରେ ମାଲେସିଆ ଓ ୧୧ ତାରିଖରେ ଇଂଲଣ୍ଡ ସହ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ଭାରତୀୟ ପୁରୁଷ ଦଳ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି। ତଥାପି ଆମେ ଭୁବନେଶ୍ୱରରେ ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ଆୟୋଜିତ ହକି ବିଶ୍ୱ ଲିଗ୍‌ରେ୍‌ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ଖେଳିବାକୁ ଥିବାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଏହା ଆମର ମନୋବଳ ବଢ଼ାଇବ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ କହିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ପୁଲ୍‌-ଏ’ରେ ରୌପ୍ୟ ବିଜେତା ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ମାଲେସିଆ ଓ େଓ୍ଵଲ୍‌ସ ସହିତ ସ୍ଥାନ ପାଇଥିଲା ବେଳେ ପୁଲ୍‌-ବି’ରେ ଆୟୋଜକ ଅଷ୍ଟ୍ରେଲିଆ ସାଙ୍ଗକୁ ନ୍ୟୁଜିଲାଣ୍ଡ୍‌, ସ୍କଟ୍‌ଲାଣ୍ଡ୍‌, କାନାଡା ଓ ଘାନା ସାମିଲ ହୋଇଛନ୍ତି। ଭାରତୀୟ ମହିଳା ଦଳ ଉଦ୍‌ଘାଟନୀ ଦିବସ (ଏପ୍ରିଲ-୫)ରେ େଓ୍ଵଲ୍‌ସ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ଏପ୍ରିଲ ୬ରେ ମାଲେସିଆ, ଏପ୍ରିଲ ୮ରେ ଇଂଲଣ୍ଡ ଓ ୧୦ରେ ଦକ୍ଷିଣ ଆଫ୍ରିକା ସହ ଖେଳି ଭାରତ ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ମହିଳା ବର୍ଗରେ ଅଷ୍ଟ୍ରେଲିଆ ୫ ଥର ଯାକ ବିଜେତା ହୋଇଥିଲା ବେଳେ ୨୦୦୨ରେ ଥରେ ମାତ୍ର ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ମହିଳା ଦଳ ଗତ ଦୁଇ ସଂସ୍କରଣ ଧରି ଉପବିଜୟିନୀରେ ସନ୍ତୁଷ୍ଟ ରହିଛି। ଉଭୟ ପୁରୁଷ ଓ ମହିଳା ଦଳର ପୁଲ୍‌କୁ ନେଇ ଭାରତୀୟ ଦଳର ଦୁଇ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ (ପୁରୁଷ) ଓ ହରେନ୍ଦ୍ର ସିଂହ (ମହିଳା) ସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରତ୍ୟେକ ପୁଲ୍‌ (ଉଭୟ ପୁରୁଷ ଓ ମହିଳା)ର ଶ୍ରେଷ୍ଠ ୨ ଦଳ ସିଧାସଳଖ ସେମିଫାଇନାଲ୍‌କୁ ଯୋଗ୍ୟତା ହାସଲ କରିବେ। ଅନ୍ୟମାନେ ପଞ୍ଚମରୁ ଦଶମ ସ୍ଥାନ ପର୍ଯ୍ୟନ୍ତ କ୍ଲାସିଫିକେସନ୍‌ ମ୍ୟାଚ୍‌ ଖେଳିବେ। ମହିଳା ବର୍ଗରେ ସେମିଫାଇନାଲ୍‌ ଏପ୍ରିଲ ୧୨ ଏବଂ ପୁରୁଷ ବର୍ଗରେ ସେମିଫାଇନାଲ୍‌ ଏପ୍ରିଲ ୧୩ ତାରିଖରେ ଖେଳାଯିବ। ଉଭୟ ପୁରୁଷ ଓ ମହିଳା ବର୍ଗରେ କାଂସ୍ୟ ପଦକ (ତୃତୀୟ ସ୍ଥାନ) ସହିତ ଫାଇନାଲ୍‌ ମ୍ୟାଚ୍‌ ୧୪ ତାରିଖରେ ଖେଳାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏସିଆ, ଓସେନିଆ, ୟୁରୋପ, ଆଫ୍ରିକା ଓ ଆମେରିକୀୟ ଶ୍ରେଷ୍ଠ ହକି ଦଳ ସାମିଲ ଥିବାରୁ ପ୍ରତିଯୋଗିତା ଖୁବ୍‌ ଆକର୍ଷଣୀୟ ହେବ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘର ସଭାପତି ଲୁଇସ୍‌ ମାର୍ଟିନ୍‌ କହିଛନ୍ତି। ସେହିପରି ଅଂଶଗ୍ରହଣକାରୀ ଦଳମାନଙ୍କୁ ଆନ୍ତର୍ଜାତିକ ହକି ମହାସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଜାସନ୍‌ ମ୍ୟାକ୍ରାକେନ୍‌ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର