ଉନ୍ନତ ତାଳମେଳର ଆଭାସ

ଇଂଲଣ୍ଡ ୧, ଭାରତ ୧

ଭୁବନେଶ୍ୱର: ନୂଆ ପ୍ରଶିକ୍ଷକ ତଥା ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଓଡ଼ିଶା ଆସିଥିବା ଭାରତୀୟ ହକି ଦଳ ଉଭୟ ଅଭ୍ୟାସ ମୁକାବିଲାରେ ଉନ୍ନତ ତାଳମେଳର ନମୁନା ଦେଖାଇଛି। ପ୍ରଶିକ୍ଷକ ଜୋଏଡ୍‌ ମାରିନ୍‌ ପ୍ରସ୍ତୁତ କରୁଥିବା ଯୋଜନାର ସଫଳ ରୂପାୟନ ମଧ୍ୟ ପଡ଼ିଆରେ ଦେଖିବାକୁ ମିଳୁଛି। ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ୨-୦ରେ ହରାଇ ଦେଇଥିବା ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ମଙ୍ଗଳବାର ସଂଧ୍ୟାରେ ଖେଳିଥିବା ଦ୍ୱିତୀୟ ଅଭ୍ୟାସ ମୁକାବିଲାରେ ଇଂଲଣ୍ଡକୁ ୧-୧ରେ ଅଟକାଇଛି। ତିନିଟି କ୍ୱାର୍ଟରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ହିଁ ଦୁଇଟି ଯାକ ଗୋଲ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ମାର୍କ ଗ୍ଲେଘୋରିନ ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରି ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ। ହେଲେ ମାତ୍ର ୬ ମିନିଟ୍‌ ପରେ ଭାରତ ଗୁରଜନ୍ତ ସିଂହଙ୍କ ଫିଲ୍ଡ ଗୋଲ୍‌ ବଳରେ ଏହାକୁ ଶୁଝାଇ ଦେଇଥିଲା। ପ୍ରଥମ କ୍ୱାର୍ଟର ୧-୧ରେ ଶେଷ ହୋଇଥିଲା। ପରବର୍ତୀ ଦୁଇ କ୍ୱାର୍ଟରରେ ଉଭୟ ଦଳ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। କଳିଙ୍ଗ ଷ୍ଟାଡିୟମ୍‌ ଅଭ୍ୟାସ ପଡ଼ିଆରେ ଖେଳା ଯାଇଥିବା ଏହି ମୁକାବିଲାକୁ ଦେଖିବାକୁ ଅଳ୍ପ କିଛି ସ୍ଥାନୀୟ ଦର୍ଶକ ରୁଣ୍ଡ ହେବା ଉତ୍ସାହ ଜନକ ଖବର ଥିଲା।

ସେପଟେ ମଙ୍ଗଳବାର ଖେଳା ଯାଇଥିବା ଅନ୍ୟ ଅଭ୍ୟାସ ମ୍ୟାଚ୍‌ରେ ଜର୍ମାନି ପେନାଲ୍ଟି ସୁଟ୍‌ ଆଉଟ୍‌ରେ ବେଲଜିୟମକୁ ହରାଇଥିଲା। ନିର୍ଧାରିତ ସମୟରେ ଦୁଇଟି ଯାକ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ମ୍ୟାଚ୍‌ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଫୈସଲା ହୋଇଥିଲା। ସେହିଭଳି ୨୦୧୮ ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି ସକାଶେ ସଂପ୍ରତି ଭୁବନେଶ୍ୱରରେ ଥିବା କୋରିଆ ଦଳି ଦଳକୁ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ହରାଇଥିଲା। ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଭାରତଠାରୁ ହାରିଥିବା ଆର୍ଜେଣ୍ଟିନା ଏଥିସହ କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷ ପ୍ରଥମ ବିଜୟ ପାଇଥିଲା।

ବିଶ୍ୱକପ୍‌ ଅବଗଣନା ଉତ୍ସବ ଆଜି

କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱ ଲିଗ୍‌ ଆୟୋଜନର ଶ୍ରେୟକୁ ନେଇ ରାଜଧାନୀ ଭୁବନେଶ୍ୱରରେ ପୋଷ୍ଟର ଯୁଦ୍ଧ ଚାଲିଛି। ବିଭିନ୍ନ ଛକ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ବିଶାଳ ହୋର୍ଡିଂ ଲଗା ଯାଇଥିଲା ବେଳେ ଠିକ୍‌ ତା’ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ହକି ବିଶ୍ୱ ଲିଗ୍‌ ପ୍ରଚାର ପୋଷ୍ଟର ମରା ହୋଇଛି। ଏଣୁ ହକି ବିଶ୍ୱ ଲିଗ୍‌ ଆୟୋଜନରେ ଏବେ ରାଜନୈତିକ ରଙ୍ଗ ଲାଗିବା ଆରମ୍ଭ ହୋଇଛି। ସମୀକ୍ଷକମାନେ ଏହାକୁ ବିଜେଡି-ବିଜେପି ଯୁଦ୍ଧର ‘ନବୀନତମ ଅଧ୍ୟାୟ’ର ନାଁ ଦେଲେଣି। ହେଲେ ପ୍ରତିଯୋଗିତାର ମାତ୍ର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆସନ୍ତାବର୍ଷ ଶେଷ ଭାଗରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌ର ଅବଗଣନା ଉତ୍ସବ ଆୟୋଜନ କରି ଶାସକ ଦଳ ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି। ହକି ବିଶ୍ୱ ଲିଗ୍‌ ଆୟୋଜନର ସବୁତକ ଶ୍ରେୟ ସାଉଣ୍ଟି ନେବା ସହ ବିଶ୍ୱକପ୍‌କୁ ମଧ୍ୟ ନିଜ ନାମରେ କରିବାର ମୂଳଦୁଆ ପକାଇ ଦେଇଛି। ବିଶ୍ୱକପ୍‌ ଅବଗଣନା ଉତ୍ସବର ମାଷ୍ଟରଷ୍ଟ୍ରୋକ୍‌ ସହ ଓଡ଼ିଶାକୁ କୌଣସି ପରିସ୍ଥିତିରେ ମୋଦିମୟ କରିବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସଙ୍କେତ ଦିଆ ଯାଇଛି। ଏବେ ବିଜେପି କ’ଣ କରୁଛି ତାହା କେବଳ ଦେଖିବା ବାକି ରହିଛି। ଏହି ଉତ୍ସବ ଗୁରୁବାର ସଂଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ବିଶ୍ୱକପ୍‌ ଅବଗଣନା ଉତ୍ସବ ସହ ରାଜ୍ୟର ବହୁ ପ୍ରତିଭାବାନ ଏବଂ ସଫଳ କ୍ରୀଡ଼ା ତାରକାଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଧିତ କରାଯିବ। ୧୬ ଦଳିଆ ହକି ବିଶ୍ୱକପ୍‌ ନଭେମ୍ବର ୨୮ ୨୦୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର