ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍ ଉଦଘାଟିତ, ୟନିଟ୍-୬- ପଳାଶୁଣୀ ମ୍ୟାଚ୍ ଅମୀମାଂସିତ

ଭୁବନେଶ୍ବର: ୟୁନିଟ-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ‌‌ସୋମବାର ଉଦଘାଟିତ ହୋଇଯାଇଛି। ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ୨୪ ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲା ଅମୀମାଂସିତ ରହିଥିଲା। ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ପଳାଶୁଣୀ ଉନ୍ନୀତ ବିଦ୍ୟାଳୟ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା। ହେଲେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲେ। ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟର ଗୋଲକ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଭୁବନେଶ୍ବର ଦୌଡ଼କୁଦ ସଂଘର ସଂପାଦକ ସୌର୍ଯ୍ୟରଞ୍ଜନ ପରିଜାଙ୍କଠାରୁ ଗ୍ରହଣ କରିଥିଲେ। ଏହା ପୂର୍ବରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ଅନୁଗୁଳ-ସୁକିନ୍ଦ ରେଳ ନିଗମର ପରିଚାଳନା ନିର୍ଦେଶକ ଦିଲୀପ ସାମନ୍ତରାୟ, ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୁଦନ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ସଂଘ ସଭାପତି ତପନ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସଂପାଦକ ଦିଲୀପ କୁମାର ଦାସ ବିଦ୍ୟାଳୟ ସ୍ତରରେ ଫୁଟବଲର ବିକାଶ ଲାଗି ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଥିବା କହିଥିଲେ। ଏହି ପ୍ରତିଯୋଗିତା ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର