ଆଇପିଏଲ୍: ଦିଲ୍ଲୀଠୁ ପଞ୍ଜାବର ଶୋଚନୀୟ ପରାଜୟ

ମୁମ୍ବାଇ ବୁଧବାରର ଏକମାତ୍ର ଆଇପିଏଲ୍ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ୯ ୱିକେଟ୍‌ର ଶୋଚନୀୟ ପରାଜୟ ବରଣ କରିଥିଲା‌। ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଦିଲ୍ଲୀ ପାଇଁ ପଞ୍ଜାବ ଦେଇଥିବା ୧୧୬ ରନ୍‌ର ବିଜୟ ଲକ୍ଷ୍ୟ ବାଁ ହାତର ଖେଳ ଥିଲା। ଆଉ ଶେଷରେ ଏହା ହିଁ ଘଟିଥିଲା। ଦିଲ୍ଲୀ ୫୭ ବଲ୍ ପୂର୍ବରୁ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଏକମାତ୍ର ବ୍ୟାଟର୍ ଭାବେ ଓପନର ପୃଥ୍ବୀ ସ’ ୪୧ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟତମ ଓପନର ଡେଭିଡ୍ ୱାର୍ଣ୍ଣର ୬୦ ଏବଂ ସର୍ଫରାଜ ଖାନ୍ ୧୨ ରନ୍ କରି ଅପରାଜିତ ରହିଥିଲେ। ବୁଧବାରର ବୃହତ୍ ଓ ସହଜ ବିଜୟ ସହ ଦିଲ୍ଲୀ ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନକୁ ଉଠିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। କୁଲଦୀପ ଯାଦବ ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ କିନ୍ତୁ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୫ ରନ୍ କରିପାରିଥିଲା। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ ସହ ଦିଲ୍ଲୀ ବୋଲିଂ ବାହିନୀ ଏମିତି ଶାଣିତ ତଥା ମାପଚୁପ ବୋଲିଂ କରିଥିଲା ଯେ ପଞ୍ଜାବର ୬ ଜଣ ବ୍ୟାଟର୍ ଏକ ଅଙ୍କ ‌ଆଗକୁ ବଢ଼ି ପାରିନଥିଲେ। ୱିକେଟ୍‌ରକ୍ଷକ ଜିତେଶ ଶର୍ମା ସର୍ବାଧିକ ୩୨ ରନ୍ କରିଥିଲେ। ଦୁଇ ଅଙ୍କ ଛୁଇଁଥିବା ଅନ୍ୟ ୩ ବ୍ୟାଟର୍ ଯଥା ଅଧିନାୟକ ମୟଙ୍କ ଅଗ୍ରୱାଲ୍ ୨୪ ଏବଂ ଶାହରୁଖ ଖାନ୍ ଓ ରାହୁଲ ଚହର ୧୨ ରନ୍ ଲେଖାଏଁ କରିଥିଲେ। ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ, ଲଳିତ ଯାଦବ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପଞ୍ଜାବ କରିଥିବା ୧୧୫ ରନ୍ ଚଳିତ ଋତୁର ସର୍ବନିମ୍ନ ଦଳଗତ ସ୍କୋର ଥିଲା।

ସମ୍ବନ୍ଧିତ ଖବର