ଆଇପିଏଲ୍‌ର ୫ ପ୍ରମୁଖ କାହାଣୀ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଉ ଦିନକ ପରେ ଶେଷ ହୋାଇଟିବ। ରବିବାର ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ଟ୍ରଫି ପାଇଁ ଲଢ଼ିବେ। ଏହି ଅବସର‌ରେ ଲିଗ୍‌ ପର୍ଯ୍ୟାୟର ପ୍ରମୁଖ ୫ କାହାଣୀକୁ ନେଇ ଆମର ଉପସ୍ଥାପନା।

।ଶାନ୍ତ ଆଚରଣକୁ ଭାଙ୍ଗିଲେ ଧୋନି
‘କ୍ୟାପ୍‌ଟେନ୍‌ କୁଲ୍‌’ ବା ‘ଶାନ୍ତ ଅଧିନାୟକ’ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି ତାଙ୍କର ଏହି ଆଚରଣଙ୍କୁ ଆଇପିଏଲ୍‌ର ଦ୍ବାଦଶ ସଂସ୍କରଣରେ ଭାଙ୍ଗିଥିଲେ। ଏପ୍ରିଲ ୧୧ରେ ଅନୁ‌ଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ପଡ଼ିଆ ଭିତରକୁ ପଶି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିପାଇଁ ସେ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ହରାଇଥିଲେ। ମ୍ୟାଚ୍‌ର ଶେଷ ଓଭରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ବୋଲିଂ କରୁଥିଲେ ରାଜସ୍ଥାନ ରୟାଲ୍‌ସର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ। ଏହି ଓଭରର ଚତୁର୍ଥ ବଲ୍‌ ଅଣ୍ଟା ଉପରେ ଥିବା ନେଇ ମୁଖ୍ୟ ଅମ୍ପାୟାର ନୋ’ ବଲ୍‌ ଡାକିଥିଲେ। ହେଲେ ଏହାକୁ ଲେଗ୍ ଅମ୍ପାୟାର ବଦଳାଇ ଦେଇଥିଲେ। ଏପରି ‌ହେବାରୁ ପଡ଼ିଆ ବାହାରେ ଥିବା ଧୋନି ଭିତରକୁ ପଶି ଯୁକ୍ତିତର୍କ କରିଥିଲେ। ହେଲେ ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତିଥିଲା।

।ବଟଲରଙ୍କୁ ଅଶ୍ବିନଙ୍କ ମଙ୍କଡିଂ
ଚଳିତ ଆଇପିଏଲ୍‌ର ତୃତୀୟ ଦିନରେ ମଙ୍କଡିଂକୁ ନେଇ ‌ଦେଖାଯାଇଥିଲା ବିବାଦ। କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ‌ଜୋସ ବଟଲର୍‌ଙ୍କୁ ମଙ୍କଡିଂ କରିଥିଲେ। ବଟଲର ବ୍ୟକ୍ତିଗତ ଭାବେ ୬୯ ରନ୍‌ରେ ଥିଲା ବେଳେ ନନଷ୍ଟ୍ରାଇକର ପଟେ ଅଶ୍ବିନ୍‌ ତାଙ୍କୁ ରନ୍‌ ଆଉଟ୍‌ କରିଦେଇଥିଲେ। ଏଥିଲାଗି ଅଶ୍ବିନ ମଧ୍ୟ ସମାଲୋଚିତ ହୋଇଥି‌ଲେ। ‌ଯେହେତୁ ଏପରି ଆଉଟ୍‌ ଆଇସିସି ନିୟମ‌ ପରିସର ଭୁକ୍ତ କିଛି ପୂର୍ବତନ ଖେଳାଳି ଅବଶ୍ୟ ତାଙ୍କୁ ସମର୍ଥନ କରିଥିଲେ। ଅନେକ କିନ୍ତୁ ନିନ୍ଦା କରିଥିଲେ।

।ରସେଲ ଉଦୟ
କୋଲ୍‌କାତା ନାଇଟ୍‌ ରାଇଡର୍ସ (କେ‌କେଆର୍‌)ର କାରବୀୟ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ କେକେଆର୍‌ର ନୂଆ ନାୟକ ଭାବେ ଉଭା ହୋଇଥିଲେ। ବିସ୍ଫୋରକ ବ୍ୟା‌ଟିଂ କରି ସେ ଏକାଏକା ‌କେ‌କେଆର୍‌କୁ କିଛି ମ୍ୟାଚ୍‌ରେ ଜିତାଇ ଥିଲେ। ରସେଲ ୧୩ ପାଳି ଖେଳି ୫୧୦ ରନ୍‌ କରିବା ସହ ୧୦ ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ ରହିଥିଲେ। ‌ରସେଲଙ୍କ ୧୩ ବଲ୍‌ ୪୮ ରନ୍‌ ପାଳି ଯୋଗୁଁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ କେ‌କେଆର୍‌ ଶେଷ ୩ ଓଭରରେ ୫୪ ରନ୍‌ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା। ବାଙ୍ଗାଲୋର ବିପକ୍ଷ ପାଲଟା ମ୍ୟାଚ୍‌ରେ ଶେଷ ୬ ଓଭରରେ ୧୧୩ ରନ୍‌ ଆବଶ୍ୟକ ଥିଲା। ଏହି ମ୍ୟାଚ୍‌ରେ ସେ ୨୫ ବଲ୍‌ରୁ ୬୫ ରନ୍‌ ସଂଗ୍ରହ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ହେଲେ ଶେଷ ଓଭରରେ ୨୪ ରନ୍‌ ଦରକାର ଥିଲା ବେଳେ ମୋଇନ ଅଲୀଙ୍କ ଶ୍ରେଷ୍ଠ ବୋଲିଂ ପାଇଁ କେକେ‌ଆର୍‌ ପରାସ୍ତ ହୋଇ ଯାଇଥିଲା।

‌।ହାର୍ଦିକଙ୍କ ଲେଉଟାଣୀ
ପିଠି ଯନ୍ତ୍ରଣା ଏବଂ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ କ୍ରିକେଟ୍‌ ପଡ଼ିଆରୁ ଦୂରେଇ ଥିବା ହାର୍ଦିକ ପାଣ୍ଡ୍ୟା ଚଳିତ ଆଇପିଏଲ୍‌ରେ ସଫଳ ଲେଉଟାଣୀ କରିଥିଲେ। ତାଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ଏହି ଯନ୍ତ୍ରଣା ଓ ବିବାଦକୁ ପଛରେ ପକାଇ ଦେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚାଇବାର ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏପ୍ରିଲ ୨୯ ତାରିଖ କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇକୁ ୨୩୩ ରନ୍‌ର ବିଜୟ ଲକ୍ଷ୍ୟ ଥିଲା ବେଳେ ହାର୍ଦିକ (୯୪ ରନ୍‌, ୩୪ ବଲ୍‌)ଙ୍କ ବିସ୍ଫୋରକ ଅର୍ଧଶତକ ଯୋଗୁଁ ମୁମ୍ବାଇ ହାରିଥିଲେ ମଧ୍ୟ ୧୯୮/୭ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ସେ ଏହି ମ୍ୟାଚ୍‌ରେ ୧୭ ବଲ୍‌ରୁ ଅର୍ଧଶତକ ହାସଲ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ହେଲିକପ୍ଟର ସଟ୍‌ର ଉଦ୍‌ଭାବକ ମହେନ୍ଦ୍ର ସିଂହ ଧୋନି ୱିକେଟ୍‌ ପଛରେ ଥିଲା ବେଳେ‌ ଏହି ଭାରତୀୟ ଅଲ୍‌ରାଉଣ୍ଡର ଅବିକଳ ସେହି ସଟ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମ୍ୟାଚ୍‌ରେ ସେ ୮ ବଲ୍‌ରୁ ୩ ଛକା ସହ ୨୫ ରନ୍‌ କରିଥିଲେ।

।୬ ଋତୁ ପରେ ପ୍ଲେ ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ
‌ଦିଲ୍ଲୀ ଡେୟାର ଡେଭିଲ୍ସରୁ ‌ନାମ ପରିବର୍ତନ କରି ଚଳିତ ଆଇପିଏଲ୍‌ ଋତୁ ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଏହି ନାମ ବଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ସୁହାଇଥିଲା। ପ୍ରଥମ ଥର ଲାଗି ୨୦୧୨ରେ ପ୍ଲେ ଅଫ୍‌କୁ ଯାଇଥିବା ଦିଲ୍ଲୀ । ଏହି ଦଳ ଏପ୍ରିଲ ୨୮ ତାରିଖରେ କୋଟ୍‌ଲାରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋର ବିପକ୍ଷ ମ୍ୟାଚ୍‌କୁ ୧୬ ରନ୍‌ରେ ଜିତି ପ୍ଲେ ଅଫ୍‌ ସ୍ଥାନ ପକ୍କା କରିଥିଲା। ଗତ ଋତୁର ମଧ୍ୟଭାଗରେ ଭଲ ଖେଳିଥିବ‌ା ଋଷବ ପନ୍ତ ଓ ଅଧିନାୟକ ଶ୍ରେୟସ ଆୟରଙ୍କୁ ଦଳ ରଖିଥିଲା। ଚଳିତ ବର୍ଷ ଏଥିରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗି‌ସୋ ରବାଦା ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ୍‌ଙ୍କୁ ସାମିଲ କରିଥିଲା। ଏମାନଙ୍କ ସଫଳତା ସହ ଦୁଇ ପରାମର୍ଶଦାତା ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲିଙ୍କ ସହଯୋଗ ଦିଲ୍ଲୀକୁ ପ୍ଲେ ଅଫ୍‌ରେ ପହଞ୍ଚାଇଥିଲା। ହେଲେ ଅନଭିଜ୍ଞତା ଯୋଗୁଁ ଦଳ ଫାଇନାଲ୍‌ରୁ ବଞ୍ଚିତ ହେଲା।

ସମ୍ବନ୍ଧିତ ଖବର