ଈରାନୀ କପ୍‌: ଜାଫରଙ୍କ ଶତକରେ ବିଦର୍ଭ ସ୍ଥିତି ଦୃଢ଼

ନାଗପୁର: ରଣଜୀ ଟ୍ରଫି ବିଜେତା ବିଦର୍ଭ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ବୁଧବାରଠୁ ଆରମ୍ଭ ହୋଇଛି ଈରାନୀ କପ୍‌। ଏହି ୫ ଦିନିଆ ପ୍ରତିଯୋଗିତା ଜାମ୍‌ତାର ବିଦର୍ଭ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏଥିରେ ଟସ୍‌ ଜିତି ବିଦର୍ଭ ପ୍ରଥମେ ବ୍ୟାଟିଂ ନେଇଥିଲା। ଅଧିନାୟକ ଫୈଜ୍‌ ଫଜଲ୍‌ଙ୍କ ଏହି ନିଷ୍ପତ୍ତିକୁ ବ୍ୟାଟ୍‌ସମ୍ୟାନ୍‌ମାନେ ଯଥାର୍ଥ ପ୍ରମାଣିତ କରିଛନ୍ତି। ଯାହାକି ପୁରୁଖା ତଥା ୪୦ ବର୍ଷ ବୟସ୍କ ଓ୍ଵାସିମ୍‌ ଜାଫରଙ୍କ ଅପରାଜିତ ଶତକ ସାଙ୍ଗକୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଫଜଲ୍‌ ଓ ସଞ୍ଜୟ ରାମାସ୍ୱାମୀଙ୍କ ଅର୍ଧଶତକ ଏବଂ ଦୁଇଟି ଶତକୀୟ ଭାଗିଦାରୀ ହିଁ ବିଦର୍ଭକୁ ପ୍ରଥମ ଦିବସରେ ଦୃଢ଼ ସ୍ଥିତି ଦେଇଛି। ଫଜଲ୍‌ (୮୯) ଶତକରୁ ୧୧ ରନ୍‌ ପାଇଁ ବଞ୍ଚିତ ହୋଇଥିଲା ବେଳେ ସଞ୍ଜୟ ୫୩ ରନ୍‌ରେ ପାଭିଲିୟନ୍‌ ଫେରିଥିଲେ। ଅବଶ୍ୟ ଦୁହେଁ ପ୍ରଥମ ଓ୍ଵିକେଟ୍‌ରେ ୧୦୧ ରନ୍‌ ଯୋଡ଼ି ଦଳ ପାଇଁ ଦୃଢ଼ ମୁଳଦୂଆ ପକାଇଥିଲେ। ଏହାପରେ ଫଜଲ୍‌ ଓ ଜାଫର ଦ୍ୱିତୀୟ ଓ୍ଵିକେଟ୍‌ରେ ୧୧୭ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର୍‌ ଦେବାର ବାଟ ପରିଷ୍କାର କରି ଦେଇଥିଲେ। ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ବିଦର୍ଭ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ଓ୍ଵିକେଟ୍‌ ହରାଇ ୨୮୯ ରନ୍‌ କରିନେଇଛି। ଜାଫର ନିଜର ୫୩ତମ ପ୍ରଥମ ଶ୍ରେଣୀ ଶତକ ଜମାଇବା ସାଙ୍ଗକୁ ୧୧୩ ରନ୍‌ (୧୬ ଚୌକା, ୧ ଛକା)ରେ ଅପରାଜିତ ରହିଛନ୍ତି। ତାଙ୍କ ସହିତ ସତୀଶ ଗଣେଶ ୨୯ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଉଭୟେ ଜାଫର ଓ ଗଣେଶ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୭୧ ରନ୍‌ ମଧ୍ୟ ଯୋଡ଼ି ସାରିଛନ୍ତି। ଅବଶିଷ୍ଟ ଭାରତ ପକ୍ଷରୁ ପ୍ରଥମ ଦିବସର ସଫଳ ବୋଲର ଭାବେ ଆନ୍ତର୍ଜାତିକ ତାରକା ତଥା ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୨୫ ଓଭରରେ ୬୬ ରନ୍‌ ଦେଇ ଗୋଟିଏ ଏବଂ ଜୟନ୍ତ ଯାଦବ ୧୮ ଓଭରରେ ୭୩ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର