ଓଡ଼ିଶା ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇବା ମୋ ଦାୟିତ୍ବ: ଜାଫର

‘ଆଇପିଏଲ୍‌ରେ ଖେଳିବାକୁ ହେଲେ ପ୍ରଦର୍ଶନ ଦେବା ସହିତ ଧୈର୍ଯ୍ୟ ରଖିବାକୁ ହେବ’

କଟକ : ଓଡ଼ିଶା ଖେଳାଳିଙ୍କଠାରେ ଅନେକ ପ୍ରତିଭା ରହିଛି। ସେମାନଙ୍କୁ କେବଳ ଉଚିତ୍‌ ଦିଗ ଦେଖାଇବା ଆବଶ୍ୟକତା ରହିଛି। ଖେଳାଳିମାନଙ୍କୁ ଭରପୂର ଆତ୍ମବିଶ୍ବାସ ଯୋଗାଇଦେବା ମୋ ଦାୟିତ୍ବ ରହିବ ବୋଲି ଓଡ଼ିଶା କ୍ରିକେଟ୍‌ର ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଵାସିମ୍‌ ଜାଫର କହିଛନ୍ତି। ଵାସିମ୍‌ଙ୍କ ସହ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ଆସନ୍ତା ଦୁଇଟି ଋତୁ ପାଇଁ ଚୁକ୍ତି କରିଛି। ଏଥିପାଇଁ ଆଜି ଵାସିମ୍‌ କଟକରେ ପହଞ୍ଚିଥିବା ବେଳେ ଶନିବାରଠୁ ଖେଳାଳିମାନଙ୍କ ସହିତ ପରିଚିତ ହେବେ।

କଟକରେ ପହଞ୍ଚିବା ପରେ ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୌଣସି ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେଲେ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବାକୁ ପଡ଼ିବ। ପୂର୍ବରୁ ଏକାଧିକ ଆମନ୍ତ୍ରଣୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ବିଭିନ୍ନ ଦଳ ଅ˚ଶଗ୍ରହଣ କରୁଥିଲେ। କିନ୍ତୁ ଏବେ କୋଭିଡ୍‌ କଟକଣା ଯୋଗୁଁ ଏହି ସୁବିଧା ମିଳିପାରିବନି। ତେଣୁ ସୀମିତ ସମ୍ବଳ ମଧ୍ୟରେ ଅଭ୍ୟାସ କରିବାକୁ ହେବ। ଭଲ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଟିକେ ସମୟ ଦରକାର। ରାଜ୍ୟର ପ୍ରତି କୋଣରେ କ୍ରିକେଟ ପହଞ୍ଚିପାରିଲେ ଓସିଏର ଭିଜନ୍‌ ୨୦୨୪ ଯୋଜନା ସଫଳ ହୋଇପାରିବ ବୋଲି ଵାସିମ୍‌ କହିଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରତିଯୋଗିତା ହେଉଛି। କିନ୍ତୁ ସବୁ କ୍ରିକେଟରଙ୍କ ନଜର ଆଇପିଏଲ୍‌ ଉପରେ। ଭାରତୀୟ ଦଳର ଖେଳାଳି ଚୟନ ପ୍ରକ୍ରିୟାରେ ମଧ୍ୟ ଆଇପିଏଲ୍‌ ପ୍ରଦର୍ଶନ ନିର୍ଭର କରୁଛି। ଯଦି ଓଡ଼ିଶା ଖେଳାଳିମାନେ ସେହି ସ୍ତରର ପ୍ରଦର୍ଶନ କରନ୍ତି ଏବ˚ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ଖେଳନ୍ତି, ତାହେଲେ ଆଇପିଏଲ୍‌ରେ ସୁଯୋଗ ପାଇବା ସମ୍ଭବ ହେବ। ହୋଇପାରେ ଚଳିତ ଋତୁରେ କେହି ଅସାଧାରଣ ପ୍ରତିଭା ଆଗକୁ ଆସିପାରନ୍ତି। ହେଲେ ତାହା ଗୋଟିଏ ରାତିରେ ସମ୍ଭବ ନୁହେଁ। ଏଥିପାଇଁ ଓଡ଼ିଶା ଖେଳାଳିଙ୍କୁ ଧୈର୍ଯ୍ୟ ରଖିବାକୁ ହେବ ବୋଲି ଵାସିମ୍‌ ପରାମର୍ଶ ଦେଇଛନ୍ତି। ରାଜ୍ୟର ଅନ୍ୟ ବୟସବର୍ଗ କ୍ରିକେଟ ବିଷୟରେ ସେ କହିଛନ୍ତି ଯେ ସ˚ପୃକ୍ତ ଦଳର ପ୍ରଶିକ୍ଷକ ଓ ଖେଳାଳିମାନଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ। ବାସ୍ତବରେ କନିଷ୍ଠ ଖେଳାଳିମାନେ ହେଉଛନ୍ତି ଆମର ଭବିଷ୍ୟତ। ସେମାନଙ୍କୁ ମଧ୍ୟ ଆତ୍ମବିଶ୍ବାସ ଯୋଗାଇଦେବା ଆମ ଦାୟିତ୍ବ ବୋଲି ସେ କହିଛନ୍ତି।

ଵାସିମ୍‌ ଏହା ପୂର୍ବରୁ ଉତ୍ତରାଖଣ୍ତ, ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସ ଓ ବା˚ଲାଦେଶ କ୍ରିକେଟ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥର ଓଡ଼ିଶା ଦଳର ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ନିଜ ଅଭିଜ୍ଞତା ସହିତ ଦଳର ବୋଲି˚ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକଙ୍କ ସହଯୋଗରେ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି।

ବିମାନବନ୍ଦରରେ ଅଧଘଣ୍ଟା ଅପେକ୍ଷା କଲେ ଵାସିମ୍‌
କଟକ : ଦୁଇ ବର୍ଷ ପାଇଁ ଓଡ଼ିଶା କ୍ରିକେଟ୍‌ର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବା ପରେ ଆନ୍ତର୍ଜାତିକ କ୍ରିକେଟର ଵାସିମ୍‌ ଜାଫର ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ହେଲେ ତାଙ୍କ ଫ୍ଲାଇଟ୍‌ ଧାର୍ଯ୍ୟ ସମୟର ୨୫ ମିନିଟ୍‌ ପୂର୍ବରୁ ପହଞ୍ଚିଯାଇଥିବାରୁ ବିମାନବନ୍ଦର ଯାତ୍ରୀ ବିଶ୍ରାମାଗାରଠାରେ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ତାଙ୍କୁ ସ୍ବାଗତ କରିବା ପାଇଁ ଓସିଏ ପ୍ରତିନିଧିମାନେ ମଧ୍ୟ ବିଳମ୍ବ କରିଥିଲେ। ଯଦିଓ ଫ୍ଲାଇଟ୍‌ ଅପରାହ୍ନ ୨ଟା ୨୫ ମିନିଟ୍‌ରେ ଲ୍ୟାଣ୍ତ କରିବାର ଥିଲା, ତଥାପି ଏହାର କିଛି ସମୟ ପୂର୍ବରୁ ଓସିଏ ପ୍ରତିନିଧିମାନେ ବିମାନବନ୍ଦର ପାଖରେ ପହଞ୍ଚିବା ଉଚିତ୍‌ ଥିଲା। ହେଲେ ଓସିଏ ପ୍ରତିନିଧିମାନେ ପାଖାପାଖି ୨ଟା ୪୦ ମିନିଟ୍‌ରେ ବିମାନବନ୍ଦରରେ ପହଞ୍ଚିଥିଲେ। ଟ୍ରାଫିକ୍‌ ଜାମ୍‌ ପାଇଁ ପହଞ୍ଚିବାରେ ବିଳମ୍ବ ହୋଇଥିବା ସେତେବେଳେ ପ୍ରତିନିଧିମାନେ କହିଥିଲା ବେଳେ ଧାର୍ଯ୍ୟ ସମୟ ଅନୁସାରେ ଵାସିମ୍‌ଙ୍କୁ ସ୍ବାଗତ କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି। ହେଲେ ଏନେଇ ଵାସିମ୍‌ ଓସିଏ ନିକଟରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର