ଜାଭଲିନ୍‌ ଫିଙ୍ଗାଳି ଶିବପାଲ୍‌ଙ୍କୁ ‌ଅଲିମ୍ପିକ୍‌ ଯୋଗ୍ୟତା

ପୋଚେଫ୍‌ଷ୍ଟ୍ରୁମ୍‌ : ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ଶିବପାଲ ସିଂହଙ୍କୁ ମିଳିଯାଇଛି ଟୋକିଓ ଟିକେଟ୍‌। ଏଠାରେ ଚାଲିଥିବା ଏକ ପ୍ରତିଯୋଗିତାରେ ୨୪ ବର୍ଷ ବୟସ୍କ ଶିବପାଲ୍‌ ଯୋଗ୍ୟତା ମାନଦଣ୍ଡ ୮୫ ମିଟରକୁ ଅତିକ୍ରମ କରିବା ସହିତ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିନେଇଛନ୍ତି। ସେ ନିଜର ପଞ୍ଚମ ପ୍ରୟାସରେ ୮୫.୪୭ ମିଟର ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗ୍‌ଥିଲେ। ଏଥି ସହିତ ଶିବପାଲ୍‌ ମଧ୍ୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ହେ‌ଲେ ଶିବପାଲ୍‌ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ (୮୬.୨୩ ମିଟର, ଗତବର୍ଷ ଦୋହା ଏସୀୟ ପ୍ରତିଯୋଗିତା) ପ୍ରଦର୍ଶନଠୁ ପଛରେ ରହିଥିଲେ। ଦୋହାରେ ଶିବପାଲ୍‌ ରୌପ୍ୟ ପଦକ ପାଇଥିଲେ। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଅକ୍ଷଦୀପ ସିଂହ ୭୫ ମିଟର ଦୂରକୁ ଫିଙ୍ଗି ତୃତୀୟ ସ୍ଥାନ ପାଇଥିଲେ। ହେଲେ ମହିଳା ଜାଭ୍‌ଲିନ୍‌ ଫିଙ୍ଗାରେ ଜାତୀୟ କୀର୍ତ୍ତିମାନଧାରୀ ଅନୁ ରାଣୀ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ସେ ୬୧.୧୫ ମିଟର ଦୂରକୁ ଫିଙ୍ଗ୍‌ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ମାନଦଣ୍ଡ (୬୪ ମିଟର)ଠୁ ପଛରେ ରହିଯାଇଥିଲେ।

ତେବେ ତାରକା ଆଥ୍‌ଲେଟ୍‌ ନୀରଜ ଚୋପ୍ରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଶିବପାଲ୍‌ ଟୋକିଓ ଯୋଗ୍ୟତା ହାତେଇଛନ୍ତି। ଚୋପ୍ରା ଗତ ଜାନୁଆରିରେ ଆୟୋଜିତ ଅନ୍ୟ ଏକ ପ୍ରତିଯୋଗିତାରେ ୮୭.୮୬ ମିଟର ଦୂରତାକୁ ଫିଙ୍ଗି ଟୋକିଓ ଟିକେଟ୍‌ ହାସଲ କରିଥିଲେ। ନୀରଜ ଓ ଶିବପାଲ୍‌ଙ୍କ ବ୍ୟତୀତ ପୁରୁଷ ଜାତୀୟ କୀର୍ତ୍ତିମାନଧାରୀ କେଟି ଇର୍ଫାନ୍‌ (୨୦ କିମି ଚାଲି), ଅବିନାଶ ସାବ୍‌ଲେ (ପୁରୁଷ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌) ଏବଂ ଦେଶର ମିଶ୍ରିତ ୪ ଗୁଣା ୪୦୦ ମିଟର ରିଲେ ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର