ଏସିଆ/ଓସେନିଆ ଯୋଗ୍ୟତାପର୍ଯ୍ୟାୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ବିକାଶ ରୌପ୍ୟରେ ସନ୍ତୁଷ୍ଟ; ମେରିଙ୍କୁ କାଂସ୍ୟ

୯ ଭାରତୀୟ ମୁଷ୍ଟିଯୋଦ୍ଧାଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ଅମନ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ବିକାଶ କୃଷ୍ଣନ୍‌ (୬୯ କେଜି) ଏଠାରେ ଚାଲିଥିବା ଏସିଆ/ଓସେନିଆ ଯୋଗ୍ୟତାପର୍ଯ୍ୟାୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ମଙ୍ଗଳବାର ସେମିଫାଇନାଲ୍‌ରେ ସେ ଦୁଇ ଥର ବିଶ୍ବ କାଂସ୍ୟ ବିଜେତା କାଜାକସ୍ତାନର ଅବ୍‌ଲେଇଖାନ୍‌ ଝୁସୁପୋଭ୍‌ଙ୍କୁ ପରାସ୍ତ କରିଥିଲେ। ହେଲେ ଆହତ ଯୋଗୁଁ ସେ ବୁଧବାର ଫାଇନାଲ୍‌ ଲଢ଼େଇକୁ ଓହ୍ଲାଇପାରିନଥିଲେ। ତାଙ୍କ ବାମ ଆଖି ପତା କଟିଯାଇଥିଲା। ଫଳରେ ଫାଇନାଲ୍‌ ଲଢ଼େଇରୁ ଓହରିଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କ ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ଜୋର୍ଡାନ୍‌ ଯୋଦ୍ଧା ଜେୟାଦ୍‌ ଏସାସ୍‌ ସ୍ବର୍ଣ୍ଣ ପଦକ କରାୟତ୍ତ କରିନେଲେ।

ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ତଥା ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌ (୫୧ କେଜି)ଙ୍କ ସାଙ୍ଗକୁ ବିଶ୍ବର ଏକ ନମ୍ବର ଅମିତ ପଂଘଲ (୫୨ କେଜି), ଲଭ୍‌ଲିନା ବୋର୍ଗୋହେଁ (୬୯ କଜେି) ଓ ପୂଜା ରାଣୀ (୭୫ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ମେରି କମ୍‌ ଚୀନ୍‌ର ଚାଙ୍ଗ୍‌ ୟୁଆନ୍‌ଙ୍କଠୁ ହାରି ଯାଇଥିଲା ବେଳେ ପଂଘଲ ଚୀନ୍‌ର ଜିଆଙ୍ଗୁଆନ୍‌ ହୁ, ଲଭ୍‌ଲିନା ଚୀନ୍‌ର ହଙ୍ଗ୍‌ ଗୁ ଏବଂ ପୂଜା ଶୀର୍ଷ ମାନ୍ୟତାପ୍ରାପ୍ତ ଲି କ୍ବିଆନ୍‌ଙ୍କ ନିକଟରୁ ହାରିଯାଇଥିଲେ।

ଏହାସତ୍ତ୍ବେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୯ ଭାରତୀୟ ମୁଷ୍ଟିଯୋଦ୍ଧା ସେମିଫାଇନାଲ୍‌ରେ ପ୍ରବେଶ ପରେ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ସେମାନେ ହେଲେ ସତୀଶ କୁମାର (+୯୧ କେଜି), ଆଶିଷ କୁମାର (୭୫ କେଜି), ବିକାଶ କୃଷ୍ଣନ୍‌, ସିମ୍ରନ୍‌ଜିତ୍‌ କୌର (୬୦ କେଜି), ମେରି କମ୍‌, ଅମିତ ପଂଘଲ, ଲଭ୍‌ଲିନା ବୋର୍ଗୋହେଁ, ପୂଜା ରାଣୀ। ବୁଧବାର ମନୀଷ କୌଶିକ୍‌ (୬୩ କେଜି) ଟୋକିଓ ଅଲିମ୍ପିକ୍‌କୁ ଯୋଗ୍ୟତା ହାସଲ ତାଲିକାରେ ନିଜ ନାମକୁ ଯୋଡ଼ିଛନ୍ତି। ସେ କ୍ବାର୍ଟର ଫାଇନାଲ୍‌ରେ ହାରିଯାଇଥିଲେ। ହେଲେ ଏହି ବର୍ଗରେ ୬ ଜଣ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିବାକୁ ଥିବାରୁ ୪ ସେମିଫାଇନାଲିଷ୍ଟଙ୍କ ବ୍ୟତୀତ ଶ୍ରେଷ୍ଠ ୨ କ୍ବାର୍ଟର ଫାଇନାଲ୍‌ ପରାଜିତ ମୁଷ୍ଟିଯୋଦ୍ଧାଙ୍କୁ ଟିକେଟ୍‌ ମିଳିଥିଲା। ଏଥିରେ କୌଶିକ୍‌ ସାମିଲ ଥିଲେ।

ସମ୍ବନ୍ଧିତ ଖବର