ଜାଭଲିନ୍‌ ଦିବସରେ ଅନୁ ଜିତିଲେ କାଂସ୍ୟ

ବର୍ମିଂହାମ: ଜାତୀୟ ଜାଭଲିନ୍‌ ଦିବସରେ ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ଅନୁ ରାଣୀ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି।‌ ଫାଇନାଲ୍‌ରେ ସେ ନିଜର ତୃତୀୟ ପ୍ରୟାସରେ ୬୦ ମିଟର ଜାଭଲିନ୍‌ ଫିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଶ୍ବ ବିଜୟିନୀ ଅଷ୍ଟ୍ରେଲିଆର କେଲ୍‌ସି-ଲି ବାର୍ବର (୬୪.୪୩ ମିଟର) ସ୍ବର୍ଣ୍ଣ ଏବଂ ମାକେଞ୍ଜି ଲିଟଲ୍‌ (୬୪.୨୭ ମିଟର) ରୌପ୍ୟ ଜିତିଥିଲେ। ତେବେ ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଜଣେ ଭାରତୀୟ ଶିଳ୍ପା ରାଣୀ (୫୪.୬୨ ମିଟର) ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଏଥିସହ ଅନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଜାଭ୍‌ଲିନ୍‌ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଦୁଇ ପୁରୁଷ ଖେଳାଳି କାଶୀନାଥ ନାଏକ (୨୦୧୦, କାଂସ୍ୟ) ଏବଂ ଅଲିମ୍ପିକ୍‌ ବିଜେତା ନୀରଜ ଚୋପ୍ରା (୨୦୧୮, ସ୍ବର୍ଣ୍ଣ) ଜାଭ୍‌ଲିନ୍‌ରେ ପଦକ ଜିତିଥିଲେ।

ସନ୍ଦୀପଙ୍କୁ ୧୦,୦୦୦ ମିଟର କାଂସ୍ୟ
ସନ୍ଦୀପ କୁମାର ୧୦,୦୦୦ ମିଟର ରେସ୍‌ ଚାଲିରେ କାଂସ୍ୟ ପଦକ ଜିତିଛନ୍ତି। ‌ତେବେ ଅନ୍ୟ ଭାରତୀୟ ଅମିତ ନବମ ସ୍ଥାନରେ ରହିଥିଲେ। ସନ୍ଦୀପ (୩୮:୪୯.୨୧) ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ‌ସମୟ ବଳରେ ରେସ୍‌ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ। ଅମିତ (୪୩:୦୪.୯୭) ଚଳିତ ଋତୁ‌ରେ ନିଜର ଶ୍ରେଷ୍ଠ ଦେଇଥିଲେ ମଧ୍ୟ ଜିତିବାରେ ବିଫଳ ହୋଇଥିଲେ। କାନାଡ଼ାର ଇଭାନ ଡନ୍‌ଫି (୩୮:୩୬.୩୭) ସ୍ବର୍ଣ୍ଣ ଏବଂ ଡିକ୍ଲାନ ଟିଙ୍ଗେ (୩୮:୪୨.୩୩) ରୌପ୍ୟ ପଦକ ଜିତିଥିଲେ।

ପଦକରୁ ବଞ୍ଚିତ ହେଲେ ଦୂତି, ଶ୍ରାବଣୀ
ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦ ପଦକ ଜିତିବାରେ ବିଫଳ ହୋଇଛନ୍ତି। ରବିବାର ହିମା ଦାସ ଓ ଜ୍ୟୋତି ୟାରାଜୀଙ୍କ ସହ ୪ ଗୁଣା ୧୦୦ ମିଟର ମହିଳା ରିଲେ ଭାରତୀୟ ଦଳରେ ଏହି ଦୁଇ ଓଡ଼ିଆ ଥିଲେ। ଏହି ଦଳ ୪୩.୮୧ ସେକେଣ୍ଡରେ ରେସ୍‌ ଶେ‌ଷ କରି ପଞ୍ଚମ ସ୍ଥାନରେ ରହିଥିଲା। ନାଇଜେରିଆ (୪୨.୧୦) ସ୍ବର୍ଣ୍ଣ, ଇଂଲଣ୍ଡ (୪୨.୪୧) ‌ରୌପ୍ୟ ଏବଂ ଜାମାଇକା (୪୩.୦୮) କାଂସ୍ୟ ପଦକ ଜିତିଥିଲା। ପୂର୍ବରୁ ୧୦୦ ମିଟର ଦୌଡ଼ରେ ଭାଗନେଇଥିବା ଦୂତି ସେମିଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର