ଏଆଇଏଫ୍‌ଏଫ୍‌କୁ ବାସନ୍ଦ କଲା ଫିଫା: କନିଷ୍ଠ ମହିଳା ବିଶ୍ବକପ୍‌ ଅୟୋଜନ ଅଧିକାର ପ୍ରତ୍ୟାହୃତ

ଭୁବନେଶ୍ବର, ନବି ମୁମ୍ବାଇ ଓ ଗୋଆରେ ହେବାକୁ ଥିଲା, ଓଡ଼ିଶା ଫୁଟ୍‌ବଲ୍ ପ୍ରେମୀ ଓ ଖେଳାଳି ନିରାଶ

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍‌କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। ସର୍ବ ଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ)କୁ ଏହି ଖେଳର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଫା ତୁରନ୍ତ ନିଲମ୍ବିତ କରିବା ସହ ଚଳିତ ବ‌ର୍ଷ ଭାରତରେ ଖେଳାଯିବାକୁ ଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଆୟୋଜନ ଅଧିକାରକୁ ପ୍ରତ୍ୟାହାର କରିନେଇଛି। ‘ତୃତୀୟ ପକ୍ଷଙ୍କ ଅଯଥା ହସ୍ତକ୍ଷେପ’ ଅଭିଯୋଗ ଆଣି ଫିଫା ଏଭଳି କଠୋର ନିଷ୍ପତ୍ତି ନେଇଛି। ଏଆଇଏଫ୍‌ଏଫ୍‌ର ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଫିଫା ବାସନ୍ଦାଦେଶ ଲାଗୁ କରିଛି। ଫିଫା ପରିଷଦ ବ୍ୟୁରୋର ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଏହି ନିର୍ଦେଶ ଲାଗୁ କରାଯାଇଛି। ଫିଫା ନିୟମାବଳୀକୁ ଏଆଇଏଫ୍‌ଏଫ୍‌ ସଂଘାତିକ ଭାବେ ଉଲ୍ଲଂଘନ କରୁଥିବାର ଅଭିଯୋଗ ଆସିଥିଲା। ଏଆଇଏଫ୍‌ଏଫ୍‌ର ସମସ୍ତ ଦୈନନ୍ଦିନ କାର୍ଯ୍ୟକଳାପକୁ ସିଓଏ (କମିଟି ଅଫ୍‌ ଆଡମିନିଷ୍ଟ୍ରେସନ୍‌) ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ଏହି ନିଲମ୍ବନ ପ୍ରତ୍ୟାହାର କରାଯାଇପାରିବ ବୋଲି ମଧ୍ୟ ଫିଫା ସର୍ତ୍ତ ରଖିଛି। ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ସୁପ୍ରିମକୋର୍ଟ ଏଆଇଏଫ‌୍ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ବହିଷ୍କାର କରିବା ସହ ଏକ ୩ ଜଣିଆ ପ୍ରଶାସନିକ ସମିତି (ସିଓଏ) ଗଠନ କରିଥିଲା। ପୂର୍ବତନ ପ୍ରମୁଖ ବିଚାରପତି ଏଆର୍‌ ଡାଭ୍‌ ଏହାର ମୁଖ୍ୟ ରହିଛନ୍ତି। ଜାତୀୟ କ୍ରୀଡ଼ା ସଂହିତା ଓ ଆଦର୍ଶ ନିୟମାବଳୀ ଅନୁଯାୟୀ ସିଓଏ ମଧ୍ୟ ଏକ ନୂଆ ସମ୍ବିଧାନ ପ୍ରଣୟନ କରିଛି। ତଥାପି ଭାରତ ପାଇଁ ଫିଫା ଏହାର ସମସ୍ତ ବିକଳ୍ପ ବନ୍ଦ କରିନାହିଁ। କ୍ରୀଡ଼ା ମନ୍ତ୍ରାଳୟ ସହ ଫିଫା ଯୋଗାଯୋଗରେ ରହିଛି ଏବଂ ସକାରାତ୍ମକ ଦିଗ ପଦାକୁ ଆସିବ ବୋଲି ଆଶା ରଖିଛି। ମଙ୍ଗଳବାରର ନିଲମ୍ବନ ଆଦେଶପତ୍ରରେ କିନ୍ତୁ ଫିଫା ସ୍ପଷ୍ଟ ଭାବେ ଲେଖିଛି, ‘ନିଲମ୍ବନର ଅର୍ଥ ଭାରତରେ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫିଫା ୧୭ ବ‌ର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଯୋଜନା ଅନୁସାରେ ଖେଳାଯାଇପାରିବ ନାହିଁ’। ପ୍ରତିଯୋଗିତାର ଭବିଷ୍ୟତକୁ ନେଇ ଫିଫା ମଧ୍ୟ ଏହାର ସୁପାରିସ୍‌କୁ ଫିଫା ପରିଷଦ ବ୍ୟୁରୋକୁ ପ୍ରେରଣ କରିବ।

ସୁପ୍ରିମକୋର୍ଟଙ୍କ ଜରୁରୀ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ର ସରକାର, ଶୁଣାଣି ଆଜି
ଫିଫାର ବାରମ୍ବାର ଚେତାବନୀ ତଥା ଧମକ ଫଳପ୍ରଦ ନ ହେବାରୁ ଏହି‌ ଖେଳର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଫା ନିଲମ୍ବନ ପରେ କେନ୍ଦ୍ର ସରକାର ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ଉଚ୍ଚତମ ନ୍ୟାୟାଳୟ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜରୁରୀ ଶୁଣାଣି ପାଇଁ ନିବେଦନ କରିବା ପରେ ଅଗ‌ଷ୍ଟ ୧୭ ତାରିଖରେ ଏହାର ଶୁଣାଣି ହେବ ବୋଲି ଘୋଷଣା କରାଯାଇଛି। ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ସିଲିସିଟର୍‌ ଜେନେରାଲ ତୁଷାର ମେହେଟା ‘ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ’ ଭାବେ ବିଚାରକୁ ନେବାକୁ ଦାବି କରିଛନ୍ତି। ଏହାର ଜରୁରୀ ଶୁଶାଣି କରାଯାଉ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଫିଫା ଜେନେଭାରେ ଥିଲେ ମଧ୍ୟ ନେଇଥିବା ନିଷ୍ପତ୍ତି ଭାରତୀୟ ଫୁଟ୍‌ବଲ୍ ପାଇଁ ଖରାପ କଥା। ଏହା ଜରୁରୀ ଶୁଣାଣିର ଆବଶ୍ୟକତା ରଖୁଛି। ଅଗଷ୍ଟ ୫ ତାରିଖରେ ଫିଫା ମଧ୍ୟ ଏଆଇଏଫ୍‌ଏଫ୍‌କୁ ନିଲମ୍ବିନ ଧମକ ଦେଇଥିଲା। ୨୦୨୦ ଡିସେମ୍ବରରେ ହେବାକୁ ଥିବା ନିର୍ବାଚନକୁ ଟାଳି ଚାଲିଥିବାରୁ ଏଆଇଏଫ୍‌ଏଫ୍‌ ଏଭଳି ନିଲମ୍ବନକୁ ନିମନ୍ତ୍ରଣ କରିଥିଲା। ଇତିମଧ୍ୟରେ ସୁପ୍ରମକୋର୍ଟଙ୍କ ଦ୍ବାରା ଗଠିତ ପ୍ରଶାସନିକ ସମିତି (ସିଓଏ) ନିଜ ସଂଶୋଧିତ ସମ୍ବିଧାନ ଅନୁସାରେ ଅଗଷ୍ଟ ୨୮ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଥିଲା। ଅଗଷ୍ଟ ୧୩ ତାରିଖରୁ ଏହାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦେଶର ଫୁଟ୍‌ବଲ୍ ଦୁନିଆ କିନ୍ତୁ ବୁଧବାରର ସୁପ୍ରିମକୋର୍ଟ ଆଦେଶକୁ ଅପେକ୍ଷା କରିଛନ୍ତି।

ଫିଫା ଇଛା ଅନୁସାରେ ନିର୍ବାଚନ କରିବାକୁ ସିଓଏ ରାଜି
ଫିଫାର କଠୋର ନିଷ୍ପତ୍ତି ପରେ ପ୍ରଶାସନିକ ସମିତି (ସିଓଏ)ର ସ୍ବର ମଧ୍ୟ ନରମ ହୋଇଛି। ବିଶ୍ବ ପରିଚାଳନା ସଂସ୍ଥାର ଇଚ୍ଛା ଓ ଆଦେଶ ଅନୁସାରେ ପ୍ରମୁଖ ଖେଳାଳିମାନଙ୍କୁ ଭୋଟିଂ ଅଧିକାର ପ୍ରଦାନ ନକରି ଏଆଇଏଫ୍‌ଏଫ୍ ନିର୍ବାଚନ କରିବାକୁ ସିଓଏ ରାଜି ହୋଇଛି। ଏଆଇଏଫ୍‌ଏଫ୍‌ର ଏହି ନିଲମ୍ବନ ସାମୟିକ ବୋଲି ଆଶା ପ୍ରକଟ କରିଛନ୍ତି ଜଣେ ସିଓଏ ସଦସ୍ୟ। ଫିଫାର ଇଚ୍ଛା ଓ ଆଦେଶ ମୁତାବକ ନିର୍ବାଚନ ହେବାକୁ ଯାଉଥିବାରୁ ମଝିରେ ନିଲମ୍ବନ ଆଶା କରିନଥିଲା ସିଓଏ। ଅଗଷ୍ଟ ୨୮ ତାରିଖ ଏଆଇଏଫ୍‌ଏଫ୍‌ ନିର୍ବାଚନରେ ଦେଶରେ ଥିବା ୩୬ଟି ଅନୁବଂଧିତ ରାଜ୍ୟ ସଂଘ/ୟୁନିଟ୍‌ର ପ୍ରତିନିଧି ଅଂଶଗ୍ରହଣ କରିବେ। ନିର୍ବାଚନ ଅଧିକାରୀ ମଧ୍ୟ ୩୬ ଜଣ ପ୍ରମୁଖ ଖେଳାଳିଙ୍କ ତାଲିକା ପ୍ରକାଶ କରିଥିଲା। ସବିର ଅଲୀ, ମ‌ନୋରଂଜନ ଭଟ୍ଟାଚାର୍ଯ୍ୟ, ପ୍ରଶାନ୍ତ ବାନାର୍ଜୀ, ଆଇଏମ୍ ବିଜୟନ, ବାଇଚୁଙ୍ଗ ଭୂତିଆଙ୍କ ଭଳି ଖେଳାଳିଙ୍କ ନାମ ଏଥିରେ ଥିଲା। ଏହି ପ୍ରମୁଖ ଖେଳାଳିଙ୍କ ତାଲିକାରୁ ୩ ପୁରୁଷ ଓ ୨ ମହିଳାଙ୍କୁ କିନ୍ତୁ ୨୨ ଜଣିଆ କାର୍ଯ୍ୟକାରୀ ସମିତିରେ ରଖାଯାଇ ଭୋଟିଂ ଅଧିକାର ପ୍ରଦାନ କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଜଣେ ସିଇଓକୁ ମଧ୍ୟ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ବୁଧବାରଠାରୁ ପ୍ରାର୍ଥପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ଭାରତୀୟ ଅଲିମ୍ପିକ୍ ସଂଘ ପାଇଁ ମଧ୍ୟ ସିଓଏ
ନୂଆଦିଲ୍ଲୀ: ହକି ଓ ଫୁଟ୍‌ବଲ୍ ପରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ପାଇଁ ମଧ୍ୟ ପ୍ରଶାସନିକ ସମିତି (ସିଓଏ) ଗଢ଼ିବା ଲାଗି ପ୍ରସ୍ତାବ ଦେଇଛନ୍ତି ଅଦାଲତ। ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏଭଳି ଏକ ନିର୍ଦେଶରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)କୁ ମଧ୍ୟ କ୍ରୀଡ଼ା ଆଚରଣ ସଂହିତା ଅନ୍ତର୍ଭୁକ୍ତ କରିବାକୁ କହିଛନ୍ତି। ବିଚାରପତି ମନମୋହନ ଓ ନଜମି ୱାଜିରିଙ୍କ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଆଇଓଏ ଏହାର ଆଚରଣ ସଂହିତାରେ ପୁନଃର୍ଗଠନ କରିବାକୁ କୁଣ୍ଠିତ ରହିବାରୁ ସିଓଏ ଗଠନ ଅପରିହାର୍ଯ୍ୟ ହୋଇପଡ଼ିଲା। ଏଥିସହ ଅଦାଲତ ମଧ୍ୟ ସୁପ୍ରିମ‌କୋର୍ଟର ପୂର୍ବତନ ବିଚାରପତି ଅନିଲ ଆର୍‌ ଡାଭ୍‌, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଡକ୍ଟର ଏସ୍‌ ୱାଇ କ୍ୟୁରେଶି ଏବଂ ବହିଃବ୍ୟାପାର ମନ୍ତ୍ରଣାଳୟ ପୂର୍ବତନ ସଚିବ ବିକାଶ ସ୍ବରୂପଙ୍କୁ ନେଇ ଏହି ସିଓଏ ଗଠନ କରିଛି। ଅଦାଲତ ମଧ୍ୟ ଏଥିସହ ନବଗଠିତ ସିଓଏକୁ ଆଇଓଏର ଦାୟିତ୍ବ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଏମାନଙ୍କୁ ତିନି ଜଣ ପ୍ରମୁଖ କ୍ରୀଡାବିତ୍‌ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ବଂଧୁକଚାଳକ ଅଭିନବ ବିନ୍ଦ୍ରା, ପ୍ରଥମ ଭାରତୀୟ ବିଶ୍ବ ଦୌଡକୁଦ ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜ ଏବଂ ଅଲିମ୍ପିଆନ୍‌ ତୀରନ୍ଦାଜ ବୋମ୍ବାଲ୍ୟା‌ ଦେବୀ ଲାଇସ୍ରାମ ସହାୟତା କରିବେ ବୋଲି କହିଛନ୍ତି। ଅଦାଲତ ବି‌‌ଶେଷ ଭାବେ ଆଇଓଏ କର୍ମକର୍ତାଙ୍କ କାର୍ଯ୍ୟକାଳ, ଭୋଟିଂ ଅଧିକାର, ଆଜୀବନ ସଭାପତି ପଦ ଉଚ୍ଛେଦ ନେଇ କେତେକ କଡ଼ା ଆଦେଶ ଦେଇଛନ୍ତି। ଏପରିକି କର୍ମକର୍ତା ଓ କାର୍ଯ୍ୟକାରୀ ସମିତି ସଦସ୍ୟତା ସର୍ବାଧିକ ୩ଟି କାର୍ଯ୍ୟକାଳରେ ସୀମିତ ରଖିବାକୁ କହିଛନ୍ତି। ସମିତିରେ ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତଙ୍କୁ ସାମିଲ କରିବା ସହ ଉଭୟ ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ସମିତିରେ ଅଧା ମହିଳାଙ୍କୁ ସାମିଲ କରିବାକୁ କହିଛନ୍ତି।

 

ସମ୍ବନ୍ଧିତ ଖବର