କଳିଙ୍ଗରେ କନିଷ୍ଠ ବିଶ୍ବକପ୍‌ ହକି: ଜର୍ମାନି ସବୁଠୁ ସଫଳ; ତୃତୀୟ ଟ୍ରଫି ଲକ୍ଷ୍ୟରେ ଭାରତ

ଭୁବନେଶ୍ବର: ପୁରୁଷ ଏଫ୍‌ଆଇଏଚ୍‌ ହକି କନିଷ୍ଠ ବିଶ୍ବକପ୍‌ ପୂର୍ବରୁ ହକି କନିଷ୍ଠ ବିଶ୍ବକପ୍‌ ଭାବେ ପରିଚିତ ଥିଲା। ଏହି ପ୍ରତିଯୋଗିତାରେ ୨୧ ବର୍ଷରୁ କମ୍ ଖେଳାଳି ଅଂଶଗ୍ରହଣ କରନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ବାରା ଏହି ପ୍ରତିଯୋଗିତା ୧୯୭୯ରୁ ଖେଳାଯାଉଛି। ୧୯୮୨ରେ ଦ୍ବିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା ବେଳେ ୧୯୮୫ ମସିହାରୁ ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷ ଅନ୍ତରରେ ଖେଳାଯାଉଛି। ଚଳିତ ବର୍ଷ ଏହି ପ୍ରତିଯୋଗିତା ଲଗାତାର ତୃତୀୟ ଥର ଲାଗି ଭାରତକୁ ଆୟୋଜନ ଅଧିକାର ମିଳିଛି। ଭାରତ ୨୦୧୩ ଓ ୨୦୧୬ ପରେ ୨୦୨୧ରେ ଏହାକୁ ଆୟୋଜନ କରୁଛି। ଗତ ୧୧ ସଂସ୍କରଣରେ ୫ ଦେଶ ଟ୍ରଫି ଜିତିବାକୁ ସକ୍ଷମ ହୋଇଛନ୍ତି। ୬ (୧୯୮୨, ୧୯୮୫, ୧୯୮୯, ୧୯୯୩, ୨୦୦୯, ୨୦୧୩) ଥର ଟ୍ରଫି ଜିତି ଜର୍ମାନି ସବୁଠୁ ସଫଳ ଥିଲା ବେଳେ ଭାରତ ଦୁଇ (୨୦୦୧, ୨୦୧୬) ଥର ଜିତି ଦ୍ବିତୀୟରେ ରହିଛି। ଏମାନଙ୍କ ପଛକୁ ଅଷ୍ଟ୍ରେଲିଆ (୧୯୯୭), ପାକିସ୍ତାନ (୧୯୭୯) ଓ ଆର୍ଜେଣ୍ଟିନା (୨୦୦୫) ଥରେ ଲେଖାଏଁ ଜିତିଛନ୍ତି। ଭାରତ ତୃତୀୟ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

୨୦୦୯ ବିଶ୍ବକପ୍‌ ପ୍ରଥମ ଥର ଲାଗି ମିଳିତ ଭାବେ ଆୟୋଜିତ ହୋଇଥିଲା। ଏହାକୁ ମାଲେସିଆ ଓ ସିଙ୍ଗାପୁର ଆୟୋଜନ କରିଥିଲେ। ଫାଇନାଲ୍‌ରେ ଜର୍ମାନି ୩-୧ରେ ନେଦରଲାଣ୍ଡ୍ସକୁ ହରାଇ ଟ୍ରଫି କରାୟତ୍ତ କରିଥିଲା। ଏହା ପର ସଂସ୍କରଣ (୨୦୧୩) ଆୟୋଜନ ଅଧିକାର ପ୍ରଥମ ଥର ଲାଗି ଭାରତକୁ ମିଳିଥିଲା। ଏହା ନୂଆଦିଲ୍ଲୀରେ ନଭେମ୍ବର ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏଥର ଜର୍ମାନି ୫-୨ରେ ଫ୍ରନ୍ସକୁ ହରାଇ କୀର୍ତ୍ତିମାନ ଭରା ଷଷ୍ଠ ଥର ଲାଗି ବିଜେତା ହୋଇଥିଲା। ଫାଇନାଲ୍‌ରେ ହାରି ଫ୍ରାନ୍ସ ପ୍ରଥମ ଥର ଲାଗି ପଦକ (ରୌପ୍ୟ) ଜିତିଥିଲା। ୨୦୧୬ରେ ଭାରତକୁ ପୁଣି ଥରେ ଆୟୋଜନ ଅଧିକାର ମିଳିଥିଲା। ଦ୍ବିତୀୟ ଥର ଲାଗି ଭାରତରେ ଆୟୋଜିତ ଏହି ପ୍ରତିଯୋଗିତା ଲକ୍ଷ୍ନୌରେ ଡିସେମ୍ବର ୮ରୁ ୧୬ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏଥିରେ ଆୟୋଜକ ଭାରତ ଫାଇନାଲ୍‌ରେ ୨-୧ରେ ବେଲ୍‌ଜିୟମକୁ ପରାସ୍ତ କରି ଦ୍ବିତୀୟ ଥର ଲାଗି ଟ୍ରଫି ଜିତିଥିଲା। ଏଥିସହ ଭାରତ ପ୍ରଥମ ଓ ଏକମାତ୍ର ଆୟୋଜକ ଦେଶ ଭାବେ କନିଷ୍ଠ ବିଶ୍ବକପ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା।

ସମ୍ବନ୍ଧିତ ଖବର