କଳିଙ୍ଗ ଷ୍ଟାଡିୟମ୍‌ରେ ଗୋଲ୍ଡ କପ୍ ଆରମ୍ଭ: ମହିଳା ଫୁଟ୍‌ବଲ୍‌ରେ ମହତ୍ବପୂର୍ଣ୍ଣ ମୋଡ଼

ଉଚ୍ଚ ମାନ୍ୟତା ଇରାନକୁ ହରାଇଲା ଭାରତ

ଭୁବନେଶ୍ବର: ଓଡ଼ିଶା ସହ ଭାରତୀୟ ମହିଳା ଫୁଟବଲ୍ ଇତିହାସରେ ଶନିବାର ନୁଆ ଫର୍ଦ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଭାରତରେ ଏକ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତା ପଦାପର୍ଣ କରିଛି। ଚର୍ତୁରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହିଁ ଆରମ୍ଭ ହୋଇଛି। ହକି ବିଶ୍ବକପ୍, ଏସୀୟ ଦୌଡ଼କୁଦ ଭଳି ପ୍ରତିଯୋଗିତା ଆୟୋଜନ କରି ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ସାରିଥିବା କଳିଙ୍ଗ ଷ୍ଟାଡିୟମ୍ ତା’ ସହ ନିଜ ଅନ୍ତର୍ଜାତୀୟ ଆୟୋଜନ ତାଲିକାରେ ମହିଳା ଫୁଟ୍‌ବଲ୍‌କୁ ସାମିଲ କରି ନେଇଛି। ଶନିବାର ଅପରାହ୍ନର ଉଦ୍‌ଘାଟନୀ ଉତ୍ସବରେ ‌କ୍ରୀଡ଼ା ସଚିବ ବିଶାଲ ଦେବ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘର ବୈଷୟିକ ନିର୍ଦେଶକ ଅଭିଷେକ ଯାଦବ ଏହି ଅବସରରେ ଉପସ୍ଥିତ ଥିଲେ। ସେହିଭଳି ରାତିରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ଦୁଇ ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ସସ୍ମିତା ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହୋଇଥିଲେ। ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ବେଳେ କଳିଙ୍ଗ ଷ୍ଟାଡିୟମର ଦର୍ଶକ ଗ୍ୟାଲେରି ଦୁର୍ଭାଗ୍ୟଜନକ ଭାବେ ଫାଙ୍କା ପଡ଼ିଥିଲା। ଭାରତ-ଇରାନ ମ୍ୟାଚ୍ ବେଳକୁ ଅବଶ୍ୟ ଏହା ଟିକିଏ ଭରି ଯାଇଥିଲା। ଗୋଲ୍ଡ କପ୍ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାକୁ ସ୍ଥାନୀୟ ଦର୍ଶକଙ୍କୁ ଓଡ଼ିଶା ଫୁଟ୍‌ବଲ୍ ସଂଘ ଏବଂ ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ ଆହ୍ବାନ କରିଛନ୍ତି। ପ୍ରତିଯୋଗିତାର ପରବର୍ତୀ ଲଢ଼େଇ ସୋମବାର ହେବ। ସେହିଦିନ ପ୍ରଥମ ମ୍ୟାଚ୍ ମିଆଁମାର-ଇରାନ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ-ନେପାଳ ମଧ୍ୟରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ୧୫ ତାରିଖରେ ଆୟୋଜିତ ହେବ।

ଚଳିତ ଗୋଲ୍ଡକପ୍ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଉତ୍କଣ୍ଠାପୂର୍ଣ୍ଣ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ହିଁ ଭାରତୀୟ ଦଳ ଉଚ୍ଚମାନ୍ୟତାପ୍ରାପ୍ତ ଇରାନକୁ ୧-୦ ଗୋଲ୍‌ରେ ହରାଇ ଦେଇଛି। ତା’ ସହ ଭାରତ ମଧ୍ୟ ଲଗାତାର ପଞ୍ଚମ ବିଜୟ ହାସଲ କରିଛି। ଏହି ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳ ହଂକଂ ଏବଂ ଇଣ୍ଡୋନେସିଆ ଗସ୍ତରେ ଚାରିଟି ମ୍ୟାଚ୍ ଖେଳି ଚାରିଟି ବିଜୟ ହାସଲ କରିଥିଲା। ଶନିବାର ମ୍ୟାଚ୍‌ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିବା ଭାରତ ପ୍ରଥମାର୍ଧରେ ବହୁ‌ଚେଷ୍ଟା କରିବା ସତ୍ତ୍ବେ ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲା। ଦ୍ବିତୀୟାର୍ଧର ତୃତୀୟ ମିନିଟ୍‌ରେ କିନ୍ତୁ ଇରାନ ରକ୍ଷଣଭାଗକୁ ଚକ୍‌ମା ଦେଇ ମ୍ୟାଚ୍‌ର ଏକମାତ୍ର ଗୋଲ୍ ଦେଇଥିଲା। ୧୦ ନମ୍ବର ଜର୍ସିରେ ଖେଳିଥିବା ଅଞ୍ଜୁ ତମାଙ୍ଗ ଏହି ଗୋଲ୍ ଦେଇଥିଲେ। ଭାରତ ପାଇଁ ପ୍ରଥମ ସୁଯୋଗ କିନ୍ତୁ ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଆସିଥିଲା। ସେହିଭଳି ୧୫ ଓ ୩୦ ମିନିଟ୍‌ରେ ଆଉ ଦୁଇଟି ସୁଯୋଗକୁ ବ୍ୟର୍ଥ ଯିବାକୁ ଦେଇଥିଲା ଘରୋଇ ଦଳ। ପ୍ରଥମାର୍ଧ ଗୋଲ୍ ଶୂନ୍ୟ ଭାବେ ଶେଷ ହେବା ପରେ ଦ୍ବିତୀୟାର୍ଧରେ ସଞ୍ଜୁଙ୍କ ପାସ୍‌କୁ ଗୋଲ୍ ପୋଷ୍ଟ୍‌ ଭିତରକୁ ପଠାଇ ଭାରତକୁ ଆଗୁଆ କରି ଦେଇଥିଲେ। ଦ୍ବିତୀୟାର୍ଧରେ ବିଶ୍ବମାନ୍ୟତାର ୬୦ତମ ସ୍ଥାନରେ ଥିବା ଇରାନ ଚାପଗ୍ରସ୍ତ ହୋଇ ନିଜ ଦକ୍ଷତା ମୂଳକ ଖେଳ ଖେଳି ପାରି ନଥିଲା। ଆଶାଲତା ଦେବୀ ଓ ସ୍ବିଟ୍ଟୀ ଦେବିଙ୍କୁ ନେଇ ଗଠିତ ଭାରତୀୟ ସେଣ୍ଟର ବ୍ୟାକ୍ ଇରାନ ଅଗ୍ରଭାଗ ଖେଳାଳିଙ୍କୁ ଭାରତୀୟ ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ କରିବାର କୌଣସି ସୁଯୋଗ ଦେଇ ନଥିଲେ। ସୂଚନା ଯୋଗ୍ୟ ଯେ ଭାରତ ସଂପ୍ରତି ବିଶ୍ବ ମାନ୍ୟତାର ୬୨ତମ ସ୍ଥାନରେ ରହିଛି। ଏଣୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳକୁ ହରାଇ ଘରୋଇ ଦଳ ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି।

୩ ନମ୍ବର ଜର୍ସିରେ ଜବାମଣୀ
ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ଜବାମଣୀ ଟୁଡୁ ଶନିବାର ଘରୋଇ ପରିବେଶରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୩ ନମ୍ବର ଜର୍ସି ପିନ୍ଧିଥିବା ଜବାମଣୀ ଭାରତର ପ୍ରାରମ୍ଭିକ ଏକାଦଶରେ ରହି ଦଳ ବିଜୟରେ ନିଜ ଯୋଗଦାନ ଦେଇଥିଲେ। ୧୮ ବର୍ଷୀୟା ଜବାମଣୀ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ମହିଳା ଫୁଟବଲ୍ ମ୍ୟାଚ୍ ଖେଳିବାରେ ପ୍ରଥମ ଓଡ଼ିଆ ଖେଳାଳି ହୋଇଥିଲେ। ମୟୁରଭଞ୍ଜ ଝିଅ ଜବାମଣୀ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରୁ ବାହାରି ବିଭିନ୍ନ କନିଷ୍ଠ ସ୍ତରୀୟ ଦଳରେ ଖେଳି ପ୍ରଭାବୀ ପ୍ରଦଶର୍ନ କରିବା ପରେ ୨୦୧୬ରେ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇଥିଲେ।

ନେପାଳ ପ୍ରଶଂସକ ନିରାଶ
ଚଳିତ ଗୋଲ୍ଡ କପ୍‌ର ସର୍ବନିମ୍ନ ମାନ୍ୟତା ଦଳ ହେଉଛି ନେପାଳ (୧୦୪)। ତଥାପି ଶନିବାର ଏହି ଦଳ ପ୍ରତିଯୋଗିତାର ଫେବରିଟ୍ ଦଳ ମିଆଁମାର (୪୦)କୁ କଡ଼ା ଟକ୍କର ଦେଇଥିଲା। ଅନ୍ତତଃ ପ୍ରଥମ ୪୪ ମିନିଟ୍ ଖେଳରେ ନେପାଳୀ ଖେଳାଳିମା‌ନେ ମିଆଁମାର ରକ୍ଷଣଭାଗକୁ ପାଣି ପିଆଇ ଦେଇଥିଲେ। ଏଥିରେ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ହାତଗଣତି ନେପାଳୀ ସମର୍ଥନ ବେଶ୍ ଉତ୍ସାହିତ ହୋଇ ଯାଇଥିଲେ। ସେମାନେ ବରାବର ନିଜ ଦଳକୁ ସମର୍ଥନ କରିବା ଜାରି ରଖିଥିଲେ। ନିଜ ଜାତୀୟ ପାତାକା ହଲାଇ ଗୋଲ୍ କରିବାକୁ ଅନୁପ୍ରେରିତ କରିଥିଲେ। ହେଲେ ନେପାଳ ଶେଷ ୪୬ ମିନିଟ୍ ଖେଳରେ ତିନିଟି ଗୋଲ୍ ବରଣ କରିଥିଲା। ଫଳରେ ସୁଦୂର କାଠମାଣ୍ଡୁ ଓ ଅନ୍ୟ ସ୍ଥାନରୁ ଆସିଥିବା ଏହି ଦେଶର ସମର୍ଥକ ନିରାଶ ହୋଇଥିଲେ।

ସୁଶାନ୍ତ ରେଫରି ଆସେସର୍‌
ଜବାମଣୀ ଟୁଡୁଙ୍କ ସହ ଚଳିତ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆ ସୁଶାନ୍ତ ଚନ୍ଦ୍ର ମହାନ୍ତି ମଧ୍ୟ ଜଡ଼ିତ ଅଛନ୍ତି। ସୁଶାନ୍ତ ଏହି ଚର୍ତୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ରେଫରି ଆସେସର ଦାୟିତ୍ବରେ ରହିଛନ୍ତି। ରେଫରି ମ୍ୟାଚ୍ ପରିଚାଳନା କରୁଥିଲା ବେଳେ ସୁଶାନ୍ତ ହିଁ ସେମାନଙ୍କ ପ୍ରଦଶର୍ନକୁ ତଉଲୁଛନ୍ତି। ତାଙ୍କ ରିପୋର୍ଟ ଆଧାରରେ ହିଁ ଏହି ପ୍ରତିଯୋଗିତାରେ ସଂପୃକ୍ତ ଥିବା ରେଫରିମାନେ ପରବର୍ତୀ ଦାୟିତ୍ବ ପାଇବେ। ସୁଶାନ୍ତ ଏହି ଦାୟିତ୍ବରେ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ରହିବେ। କ୍ରୀଡ଼ା ପରିବାରରେ ଜନ୍ମିତ ସୁଶାନ୍ତ ସଂପ୍ରତି ଏଜି ଓଡ଼ିଶାରେ ବରିଷ୍ଠ ଅଡିଟର ଭାବେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ପରେ ୪୯ ବର୍ଷୀୟ ସୁଶାନ୍ତ ୨୦୦୧ ମସିହାରେ ରେଫରି ଜୀବନ ଆରମ୍ଭ କରିଥିଲେ। ୨୦୦୫ ମସିହାରୁ ସେ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘର ସ୍ବୀକୃତିପ୍ରାପ୍ତ ରେଫରି ଦାୟିତ୍ବ ତୁଲାଇବା ଆରମ୍ଭ କରିଥିଲେ। ୨୦୧୧ରେ ସର୍ବଭାରତୀୟ ରେଫରି ଆସେସର ଓ ଇଭାଲ୍ୟୁସନ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ରାଜ୍ୟର ପ୍ରଥମ ରେଫରି ଆସେସର ହେବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ପିତା କ୍ଷିରୋଦ ଚନ୍ଦ୍ର ମହାନ୍ତି ଜଣେ ବିଶ୍ବ ବିଦ୍ୟାଳୟ ସ୍ତରୀୟ ହକି ଓ ଫୁଟବଲ୍ ଖେଳାଳି ଥିଲେ। ଭାଇ ସ୍ବାଧୀନଚିତ୍ତ ମହାନ୍ତି ଓଡ଼ିଶା ତରଫରୁ କନିଷ୍ଠ ସ୍ତରୀୟ ଫୁଟବଲ୍ ଖେଳିଛନ୍ତି। ସୁଶାନ୍ତ ମଧ୍ୟ ଶାରୀରିକ ଶିକ୍ଷାରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି।

ଉଦଘାଟନୀରେ ମିଆଁମାରର ଏକତରଫା ବିଜୟ
ଶନିବାର ଅପରାହ୍ନରେ ଅନୁଷ୍ଠିତ ଗୋଲ୍ଡ କପର ଉଦଘାଟନୀ ମ୍ୟାଚ୍‌ରେ ଏହି ପ୍ରତିଯୋଗିତାର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ମିଆଁମାର ଏକତରଫା ବିଜୟ ହାସଲ କରିଥିଲା। ନେପାଳକୁ ୩-୦ ଗୋଲ୍‌ରେ ହରାଇ ନିଜ ଅଭିଯାନ ଆରମ୍ଭ କରିଥିଲା। ନେପାଳ ଏହି ମ୍ୟାଚର ପ୍ରଥମ କିଛି ମିନିଟ୍ ଘନ ଘନ ଆକ୍ରମଣ କରିଥିଲା। ହେଲେ ମିଆଁମାରର ଦକ୍ଷ ରକ୍ଷଣଭାଗକୁ ଭେଦ କରିବାକୁ ପୂରା ଅସମର୍ଥ ହୋଇଥିଲା। ସେହିଭଳି ଏହି ଦଳର ଫିନିସିଂ ମଧ୍ୟ ଅତି ଖରାପ ଥିଲା। ନେପାଳ ଖେଳାଳି ହାଲିଆ ହେବା ମଉକାରେ ଚୌକା ମାରିଥିଲା ମିଆଁମାର। ପ୍ରଥମାର୍ଧ ‌ଶେ‌ଷ ହେବାର ୧ ମିନିଟ୍ ପୂର୍ବରୁ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଆଗୁଆ ହୋଇ ଯାଇଥିଲା। ୪୪ ମିନିଟରେ ଏହି ଗୋଲ୍ ୧୧ ନମ୍ବର ଖେଳାଳି ଖିନ ମୋଏ ୱାଇ ଦେଇଥିଲେ। ୫୪ ମିନିଟରେ ୭ ନମ୍ବର ଖେଳାଳି ୱିନ୍ ଥିଏଙ୍ଗି ତୁନ୍ ସ୍ଥିତି ୨-୦ କରି ନେଇଥିଲେ। ସେହିଭଳି ୭୭ତମ ମିନିଟ୍‌ରେ ୱାଇ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଏବଂ ମ୍ୟାଚର ତୃତୀୟ ଗୋଲ୍ ଦେଇ ମିଆଁମାରକୁ ସହଜ ବିଜୟ ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର