କନ୍ଦନଙ୍କ କ୍ୟାରିୟର୍‌ରେ ବଡ଼ ମୋଡ଼

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପୂର୍ବତନ ଜୁଡ଼ୋ ଖେଳାଳି ତଥା ପ୍ରଶିକ୍ଷକ କନ୍ଦନ ମୁର୍ମୁଙ୍କୁ ମିଳିଛି ବଡ଼ ଉପଲବ୍‌ଧି। ଅଲିମ୍ପିକ୍‌ ଖେଳ ଜୁଡ଼ୋରେ ତୃତୀୟ ଡାନ୍ ବ୍ଲାକ୍ ବେଲ୍ଟର ଅଧିକାରୀ‌ ହୋଇଛନ୍ତି ଏହି ପ୍ରତିଷ୍ଠିତ ପ୍ରଶିକ୍ଷକ। ଜୁନ୍ ପ୍ରଥମ ସପ୍ତାହରେ ଭାରତୀୟ ଜୁଡ଼ୋ ସଂଘ ଏବଂ ଛତିଶଗଡ଼ ଜୁଡ଼ୋ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ବ୍ଲାକ୍‌ ବେଲ୍ଟ ପରୀକ୍ଷାରେ କନ୍ଦନ ଶାରୀରିକ ଓ ମୌଖିକ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରି ଏହି ସମ୍ମାନ ଲାଭ କରିଛନ୍ତି। ଖେଳାଳିରୁ ପ୍ରଶିକ୍ଷକ ଏବଂ କ୍ରୀଡ଼ା ପ୍ରଶାସକ ଭାବେ ଜୁଡ଼ୋର ପ୍ରଚାର ଓ ପ୍ରସାରରେ ନି‌‌ୟୋଜିତ କନ୍ଦନଙ୍କ ତତ୍ବାବଧାନରେ ଆସିଥିବା ଏକାଧିକ ଖେଳାଳି ଏବେ ଜାତୀୟ ପଦକ ଜିତି ସାରିଛନ୍ତି। ଚଳିତ ମାସରେ ତାଙ୍କ ଶ୍ରେଷ୍ଠ ଶିଷ୍ୟ ନିତ୍ୟା ମାଝୀ ରାଜ୍ୟଗୋଷ୍ଠୀ ଜୁଡ଼ୋ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା କନ୍ଦନଙ୍କୁ ଉଚ୍ଚ ସୋପାନକୁ ନେଇଛି।
ମୟୂରଭଞ୍ଜର ଆଦିବାସୀ ଅଧ୍ୟୁଷିତ ଏକ କୃଷି ପରିବାରରୁ ଆସିଥିବା ୪୧ ବର୍ଷୀୟ କନ୍ଦନ ରାଇରଙ୍ଗପୁର ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମାର୍ସାଲ ଆର୍ଟ ପ୍ରତି ମନ ବଳାଇଥିଲେ। ଜୁଡ଼ୋ ଦୁନିଆରେ ମନୋଜ ନାମରେ ପରିଚିତ କନ୍ଦନ ବିଜେବି କଲେଜରେ ସ୍ନାତକ ଶ୍ରେଣୀରେ ପଢ଼ୁଥିବା ବେଳେ ଜୁଡ଼ୋ ଦମ୍ପତ୍ତି ବିରଞ୍ଚି ଦାସ ଏବଂ ଗୀତାଞ୍ଜଳି ପଣ୍ଡାଙ୍କ ସଂସ୍ପର୍ଷରେ ଆସି ଏହାକୁ ଖେଳ ଜୀବନରେ ପରିଣତ କରିଥିଲେ। ସବୁ ଆଦିବ‌ାସୀଙ୍କ ଭଳି କଠିନ ପରିଶ୍ରମ ଏବଂ ଗଭୀର ଅଧ୍ୟବସାୟ ବଳରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୦୪ରେ ନୂଆଦିଲ୍ଲୀରେ ପ୍ରଥମ ଡାନ୍ ବ୍ଲାକ୍‌ ବେଲଟ୍ ପାଇବା ପରେ ସେହି ବର୍ଷ ପାତିଆଲା‌ରେ ନେତାଜୀ ସୁବାଷ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସରେ ଜୁଡ଼ୋ ସାର୍ଟିଫିକେଟ୍‌କୁ ସଫଳତାର ସହ ସମାପନ କରିଥିଲେ। ୨୦୦୬ରେ ଜାତୀୟ ରେଫରି, ୨୦୧୦ରେ ଦ୍ବିତୀୟ ଡାନ୍ ବ୍ଲାକ୍‌ ବେଲ୍‌ଟ ପାଇଥିଲେ।‌‌ କେନ୍ଦ୍ରୀୟ ବିଦ୍ୟାଳୟ, ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଶିକ୍ଷକ, ପ୍ରବଂଧକ ଏବଂ ରେଫରି ଭାବେ ମଧ୍ୟ କନ୍ଦନ ନିଜ ପାରଦର୍ଶିତା ପ୍ରଦର୍ଶନ କରି ସାରିଛନ୍ତି।
୨୦୧୧ ମସିହାରୁ କିଟ୍‌ର କ୍ରୀଡ଼ା ବିଭାଗରେ ଜୁଡ଼ୋ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ମନୋଜ ତାଙ୍କ ସଫଳତାର ଶ୍ରେୟକୁ ପରିବାର, ପତ୍ନୀ ରୋଜାଲିନ୍ ବେହେରା, ଓଡ଼ିଶା ଜୁଡ଼ୋ ସଂଘ ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଏବଂ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦିଅନ୍ତି। କିନ୍ତୁ ଓଡ଼ିଶା ଖେଳାଳିମାନେ ଅଦ୍ୟାବଧି ଜାତୀୟ ବିଦ୍ୟାଳୟ କ୍ରୀଡ଼ା (ଏସଜେଏଫଆଇ)ରେ ଭାଗ ନେଇ ପାରୁନଥିବାରୁ କନ୍ଦନ ସରକାରଙ୍କୁ ଦୋଷ ଦେବା ସହିତ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର